Before Header

ଦେଶର ସବୁଠୁ ବଡ଼ ଅର୍ଥନୈତିକ ଦୁର୍ନୀତିର କାହାଣୀ: ପୁଣି ଚର୍ଚ୍ଚାରେ ହର୍ଷଦ ମେହେତା

0 544

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ୧୯୯୨ର ଅର୍ଥନୈତିକ ଦୁର୍ନୀତି । ଯାହା ପୂରା ଦେଶକୁ ସ୍ତବ୍ଧ କରିଥିଲା । ଏ ଝଟକା ପ୍ରଧାନମନ୍ତ୍ରୀଙ୍କ ଯାଏଁ ବି ଯାଇଥିଲା । ଏତେବଡ଼ ଦୁର୍ନୀତି ନା କେବେ ଆଗରୁ ହୋଇଥିିଲା ନା ଆଜି ଯାଏଁ ହୋଇଛି । କିଏ କହେ ଏହା ୫୦୦ କୋଟିର ଦୁର୍ନୀତି, କିଏ କହେ ୫ ହଜାର କୋଟିର । ଆଉ କିଏ କହେ ଦଶ ହଜାର କୋଟିର । ଏ ସଂଖ୍ୟା ୧୯୯୨ ଆଧାରରେ । ଆଜିର ତାରିଖରେ ଏହାକୁ ତୁଳନା କଲେ କେତେ ବଡ଼ ରାଶି ହେବ ଚିନ୍ତା କରନ୍ତୁ । ଅନେକ ବ୍ୟାଙ୍କର ସଂପୃକ୍ତି ବି ଏଥିରେ ଥିଲା । ହେଲେ ଏସବୁର କେନ୍ଦ୍ରରେ ଥିଲା ଗୋଟିଏ ନାଁ । ହର୍ଷଦ ମେହେତା । ଦଲାଲ୍ ଷ୍ଟ୍ରିଟର ବିଗ୍ ବୁଲ୍  ।ବିଏସଇ(ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ)ର ଅମିତାଭ ବଚ୍ଚନ । ଏକ ମିଡିଲ କ୍ଲାସ ପରିବାରରୁ ଆସୁଥିବା ଜଣେ ବ୍ୟକ୍ତି ଦେଖୁ ଦେଖୁ ଦେଶର ସବୁଠୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ଗଣା ହୁଏ । ବମ୍ବେରେ ୧୫ ହଜାର ସ୍କୋୟାର ଫୁଟର ଆଲିସାନ ବଙ୍ଗଳା ଛିଡ଼ା କରେ । ମନଇଚ୍ଛା ନାମିଦାମି ବିଦେଶୀ ଗାଡ଼ି କିଣେ । ଯାହାର ଇସାରାରେ ଉଠବସ୍ ହୁଏ ସେୟାର ବଜାର । ହେଲେ ହଠାତ୍ ସବୁକିଛି ବଦଳି ଯାଏ । ଏ ଦୁର୍ନୀତିର ପର୍ଦ୍ଦାଫାଶ ପ୍ରଥମେ କୌଣସି ସରକାରୀ ଏଜେନ୍ସି କରି ନ ଥିଲେ । ବରଂ ଜଣେ ସାମ୍ବାଦିକା କରିଥିଲେ । ସୁଚେତା ଦଲାଲ୍ ନାମକ ଜଣେ ସାମ୍ବାଦିକ ଏହି ସ୍କାମକୁ ସାମ୍ନାକୁ ଆଣିଥିଲେ ।

ହର୍ଷଦ ମେହେତାଙ୍କ ଉପରକୁ ଉଠିବାର କାହାଣୀ ଯେମିତି ଆଶ୍ଚର୍ଯ୍ୟଜନକ, ତଳକୁ ଖସିବା ତାହାଠାରୁ ବେଶୀ ବିସ୍ମୟକର । କେହି କେହି କହନ୍ତି ୟେ ସବୁଠୁ ବଡ଼ ଅର୍ଥନୈତିକ ଦୁର୍ନୀତି । ଆଉ କେହି କେହି କହନ୍ତି, ୟେ ଏତେ ବଡ଼ ଦୁର୍ନୀତି ନୁହେଁ, ବରଂ ସେତେବେଳେ ଦେଶର ବ୍ୟାଙ୍କିଂ ସିଷ୍ଟମରେ ଥିବା ତ୍ରୁଟିର ଫାଇଦା ଉଠାଇଥିଲେ ହର୍ଷଦ ମେହେତା । ରାଜନୈତିକ ବ୍ୟକ୍ତିଙ୍କ ଚକ୍ରାନ୍ତର ଶିକାର ମଧ୍ୟ ହେବାକୁ ପଡ଼ିଲା ତାଙ୍କୁ । ପୂରା କାହାଣୀ ଆଜି ବି ଦେଶବାସୀଙ୍କ ମଧ୍ୟରେ ଉତ୍କଣ୍ଠା ତିଆରି କରେ । ଯାହା ଦେଖିବାକୁ ମିଳିଛି ଗତ ମାସ ରିଲିଜ ହୋଇଥିବା ୱେବ ସିରିଜ ସ୍କାମ୍-୧୯୯୨ରେ । ସୁଚେତା ଦଲାଲ ଓ ଦେବାଶିଷ ବାସୁଙ୍କ ଲିଖିତ ପୁସ୍ତକ ‘ଦି-ସ୍କାମ’ ଆଧାରରେ ଏହା ପ୍ରସ୍ତୁତ ହୋଇଛି । ଏହାକୁ ଦର୍ଶକଙ୍କ ଭଲ ରେସପୋନ୍ସ ମିଳିଛି । ହର୍ଷଦ ମେହେତାଙ୍କ ଭୂମିକାରେ ଥିବା ପ୍ରତୀକ ଗାନ୍ଧିଙ୍କୁ ମଧ୍ୟ ଅନେକ ପ୍ରଶଂସା ମିଳିଛି । ଆଗକୁ ଅଭିଷେକ ବଚ୍ଚନଙ୍କ ଅଭିନୀତ ‘ବିଗ୍ ବୁଲ୍’ ମଧ୍ୟ ରିଲିଜ ହେବାକୁ ଯାଉଛି । ତେବେ ସ୍କାମ୍-୧୯୯୨ ୱେବ ସିରିଜ ଦେଖିବା ପରେ ହର୍ଷଦ ମେହେତା ଜଣେ ଭିଲିଆନ୍ କି ହିରୋ ତାହାର ନିଷ୍ପତ୍ତି ନେବା କଷ୍ଟକର ହୋଇପଡ଼ିବ । ହେଲେ ଏହା ସ୍ପଷ୍ଟ ହର୍ଷଦଙ୍କ ଉଚ୍ଚାଭିଳାଷ, ଅଧିକ ଅର୍ଥ ରୋଜଗାରର ନିଶା ହିଁ ନିଃସନ୍ଦେହରେ ତାଙ୍କ ପତନର କାରଣ ଥିଲା ।

୨୯ ଜୁଲାଇ ୧୯୫୪ରେ ଗୁଜୁରାଟର ରାଜକୋଟରେ ହର୍ଷଦଙ୍କ ଜନ୍ମ । ତାଙ୍କ ପିତାଙ୍କ ନାମ ଥିଲା ଶାନ୍ତିଲାଲ୍ ମେହେତା । ହର୍ଷଦଙ୍କ ପରିବାର ଆର୍ଥିକ ଦୃଷ୍ଟିରୁ ଅଧିକ ସ୍ୱଚ୍ଛଳ ନ ଥିଲେ । ବମ୍ବେରେ ଥିବା ବାପାଙ୍କ ଲୁଗା ଦୋକାନ ବି ବନ୍ଦ ହୋଇଯାଇଥିଲା । ଘର ଚଳାଇବାକୁ ସେ ଓ ତାଙ୍କ ଭାଇ ଅଶ୍ୱିନୀ ମେହେତା ଅନେକ ଛୋଟମୋଟ ବ୍ୟବସାୟ ଓ ଚାକିରିରେ ଭାଗ୍ୟ ପରୀକ୍ଷା କରିଥିଲେ । କିନ୍ତୁ ଭବିଷ୍ୟତ ଯେମିତି ଆଉ କିଛି ଯୋଜନାରେ ଥିଲା । ଅଳ୍ପ ରୋଜଗାରରେ ଖୁସି ନ ଥିଲେ ହର୍ଷଦ । ତାଙ୍କ ଉଚ୍ଚଭିଳାଷ ତାଙ୍କୁ ନେଇ ପହଞ୍ଚାଇଥିଲା ସେୟାର ବଜାରରେ । ସେଠାରେ ଜଣେ ଜବର୍ ଭାବେ କ୍ୟାରିୟର ଆରମ୍ଭ କରିଥିଲେ । ହେଲେ ଖୁବ୍ ଶୀଘ୍ର ସେ ସେୟାର ବଜାର ଓ ଦେଶର ବ୍ୟାଙ୍କିଂ ସିଷ୍ଟମର ଲୁଫୋଲ୍ ବୁଝିସାରିଥିଲେ । ପ୍ରଥମେ ଷ୍ଟକ୍ ବ୍ରୋକର, ଏହାପରେ ନିଜର ଟ୍ରେଡ୍ ଲାଇସେନ୍ସ ବାହାର କରି ଅଶୀଦଶକରେ ଆରମ୍ଭ କରିଥିଲେ ‘ଗ୍ରୋ ମୋର୍ ରିସର୍ଚ୍ଚ’ ସଂସ୍ଥା । ହର୍ଷଦ ସେହି ସବୁ କମ୍ପାନୀର ସେୟାରରେ ଇନଭେଷ୍ଟ କରୁଥିଲେ ଯାହାର ସେୟାରର ଅଧିକ ଡିମାଣ୍ଡ ନ ଥିଲା । ତାଙ୍କର ଏଭଳି ଥିଓରୀ ସମସ୍ତଙ୍କ ବୁଝିବା ବାହାରେ ଥିଲା । ଗୋଟେ ସିମେଣ୍ଟ କମ୍ପାନୀର ସେୟାର ମୂଲ୍ୟକୁ ଯେବେ ସେ ୨୦୦ରୁ ନେଇ ୯୦୦୦ରେ ପହଞ୍ଚାଇ ଦେଇଥିଲେ ତାହା ସମସ୍ତଙ୍କୁ ହତଚକିତ କରିଦେଇଥିଲା । ଅଣପାରମ୍ପରିକ ବିଜନେସ ଷ୍ଟାଇଲରେ ଅନେକ ଛୋଟ କମ୍ପାନୀକୁ ସେ ସେୟାର ବଜାରରେ ମୂଲ୍ୟବାନ କରିଦେଇଥିଲେ । ତାଙ୍କ ରଣନୀତି ଲାଗି ସେନସେକ୍ସ ସବୁବେଳେ ଉପରମୁହାଁ ହୋଇ ରହୁଥିଲା । ଆଉ ଏପଟେ ତାଙ୍କ ସଫଳତା ଉଭୟ ପ୍ରଶଂସକ ଓ ଶତ୍ରୁ ସଂଖ୍ୟା ବଢାଉଥିଲା ।

ସେୟାର ବଜାରରେ ୨ ଗୋଷ୍ଠୀ କାମ କରେ । ଗୋଟିଏ ବୁଲ୍ ଓ ଅନ୍ୟଟି ବିୟର । ବୁଲ୍ ଗୋଷ୍ଠୀ ସେନସେକ୍ସକୁ ଉପରକୁ ଉଠାଇ ଲାଭ ନିଅନ୍ତି, ହେଲେ ବିୟର ଗୋଷ୍ଠୀ ମାର୍କଟେରେ ମାନ୍ଦାବସ୍ଥା କରି ଲାଭ କମାନ୍ତି । ହର୍ଷଦଙ୍କ କାମ କରିବା ଷ୍ଟାଇଲ ତାଙ୍କୁ ବୁଲ୍ ଗୋଷ୍ଠୀର ‘ବିଗ୍ ବୁଲ୍’ରେ ପରିଣତ କରିଥିଲା । ଆଉ ଏହା ବିୟର ଗୋଷ୍ଠୀଙ୍କ ଲାଗି ସ୍ୱାଭାବିକ ଭାବେ ପସନ୍ଦଯୋଗ୍ୟ ନ ଥିଲା । ତେବେ ଏତେ ବିନଯୋଗ ଲାଗି ହର୍ଷଦ ଫଣ୍ଡ କେଉଁଠୁ ଆଣୁଥିଲେ, ତାହା ସମସ୍ତଙ୍କ ମନରେ ପ୍ରଶ୍ନ ଥିଲା । ଯାହାର ଖୁଲାସା କରିଥିଲେ ସାମ୍ବାଦିକା ସୁଚେତା । । ସେତେବେଳେ ବ୍ୟାଙ୍କ୍-ବ୍ୟାଙ୍କ୍ ମଧ୍ୟରେ ଆର୍ଥିକ ସହଯୋଗ ପାଇଁ ସିକ୍ୟୁରିଟିଜ୍ ଦାଖଲ କିମ୍ବା ବ୍ୟାଙ୍କ୍ ରିସିପଟ୍(ବିଆର) ଦେବାର ବ୍ୟବସ୍ଥା ଥିଲା । ଅନେକ ବ୍ରୋକର ଏହି ବ୍ୟବସ୍ଥା ମଝିରେ ଥିଲେ । ଅର୍ଥାତ କୌଣସି ବ୍ୟାଙ୍କକୁ ଯଦି ହଠାତ୍ କିଛି ଅର୍ଥ ଦରକାର ହେଲା, ସେ ଅନ୍ୟ ବ୍ୟାଙ୍କଠାରୁ କିଛି ଦିନ ପାଇଁ ଉଧାର ନେଉଥିଲେ । ସେଥିଲାଗି ସିକ୍ୟୁରିଟିଜ୍ କିମ୍ବା ବିଆର୍ ଜମା କରୁଥିଲେ । ବ୍ୟାଙ୍କମାନଙ୍କ ମଧ୍ୟରେ ଏହି କାରବାରରେ ବ୍ରୋକରମାନଙ୍କ ସଂପୃକ୍ତି ଥାଏ । ହର୍ଷଦ ଏମିତି ହିଁ ଜଣେ ବ୍ରୋକର ସାଜିଥିଲେ । ଆଉ ଏହି ମଝିରେ ରହି ସେ ଅନୈତିକ ଭାବେ ନିଜର ଲାଭ ଉଠାଉଥିଲେ । କିଛି ବ୍ୟାଙ୍କ୍ ଅଧିକାରୀଙ୍କୁ ହାତ କରି ସେ ଟଙ୍କା ଉଠାଉଥିଲେ । ଋଣ ନୁହେଁ, ବରଂ ଆଉ କେଉଁ ବ୍ୟାଙ୍କ ନାଁରେ । ବିନା ବ୍ୟାଙ୍କ ରସିଦରେ ବି ତାଙ୍କୁ ଟଙ୍କା ମିଳିଯାଉଥିଲା । ସେ ଟଙ୍କାକୁ ସେପଟ ବ୍ୟାଙ୍କରେ ପହଞ୍ଚାଇବାର ସମୟ ଅବଧିର ଲାଭ ଉଠାଇ ନିଜ ନାଁରେ ସେୟାର ବାଜରରେ ବିନଯୋଗ କରିଦିଅନ୍ତି । ମାତ୍ର କିଛି ଦିନରେ ସେୟାର ବଜାରରୁ ସେହି ଟଙ୍କାରୁ ଲାଭ ଉଠାଇ ମୂଳ ଟଙ୍କା ବ୍ୟାଙ୍କକୁ ଫେରାଇ ଦିଅନ୍ତି । ଏଥିରେ ବ୍ୟାଙ୍କରେ କୌଣସି ଆର୍ଥିକ ହାନି ହୁଏନାହିଁ । ବରଂ ଏହି କାମରେ ସହଯୋଗ କରୁଥିବା ବ୍ୟାଙ୍କ୍ ଅଧିକାରୀମାନେ ବି ଲାଭ ଉଠାନ୍ତି । ଆଉ ଯେତେବେଳେ ଟଙ୍କା ମାର୍କେଟରୁ ଆସିବା ଡେରି ହୁଏ, ସେ ଆଉ ଏକ ବ୍ୟାଙ୍କରୁ ଟଙ୍କା ଉଠାନ୍ତି, ପୂର୍ବ ବ୍ୟାଙ୍କକୁ ଟଙ୍କା ଫେରାନ୍ତି । ଏମିତି କରି ଗୋଟିଏ ପରେ ଗୋଟିଏ ବ୍ୟାଙ୍କକୁ ସେ ନିଜର ଏହି କୌଶଳରେ ସାମିଲ କରନ୍ତି । ଏ ବ୍ୟାଙ୍କରୁ ଟଙ୍କା ସେ ବ୍ୟାଙ୍କରେ, ସେ ବ୍ୟାଙ୍କରୁ ଏ ବ୍ୟାଙ୍କରେ, ଏମିତି ଅନୈତିକ ଅର୍ଥ କାରବାର ଜାରି ରହେ । ହେଲେ ଏହି କାରବାରର ଅନ୍ଧାର ରାତି ଆସେ ୧୯୯୨ରେ । ଯେତେବେଳେ ସେୟାର ବଜାରରେ ବଡ଼ ଅବନତି ଦେଖାଦିଏ । ସେ ସମୟରେ ଏଭଳି ପ୍ରକ୍ରିୟାରେ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆଠାରୁ ନେଇଥିବା ୫୦୦ କୋଟିକୁ ସେ ସମୟରେ ଫେରାଇପାରନ୍ତି ନାହିଁ । ଏହି ଖବର ଲାଗେ ସାମ୍ବାଦିକାଙ୍କ ହାତରେ । ଆରବିଆଇ ଗମ୍ଭୀରତାର ସହ ଏହି ପ୍ରସଙ୍ଗକୁ ନିଅନ୍ତି । ଏପଟେ ଏସବିଆଇରୁ ହର୍ଷଦଙ୍କ ଉପରେ ଚାପ ବଢେ । ଏହି ଟଙ୍କା ସୁଝାଇବାକୁ ନ୍ୟାସନାଲ ହାଉସିଂ ବ୍ୟାଙ୍କରୁ ସମାନ ପ୍ରକ୍ରିୟାରେ ଟଙ୍କା ଉଠାନ୍ତି । ଏଥର କିନ୍ତୁ ସେ ନିଜ ବୁଣିଥିବା ଜାଲରେ ଧୀରେ ଧୀରେ ଫସିବାରେ ଲାଗନ୍ତି । ଏଭଳି କାରବାର ଖବରଜାଗଜରେ ଶିରୋନାମା ସାଜେ । ଆରବିଆଇ ଏଥିଲାଗି ତଦନ୍ତ କମିଟି ବସାନ୍ତି । ସେତେବେଳେ କେନ୍ଦ୍ରରେ ପି.ଭି ନରସିହ୍ମା ରାଓଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ଉପରେ ଚାପ ବଢ଼େ । ଜଏଣ୍ଟ ପାର୍ଲାମେଣ୍ଟାରୀ ତଦନ୍ତ ହୁଏ । ସିବିଆଇକୁ ମଧ୍ୟ ମାମଲା ଯାଏ । ମାମଲା ପରେ ମାମଲାରେ ଛନ୍ଦି ଯା’ନ୍ତି ସେ । ଗିରଫ ହୋଇ ଜେଲ୍ ଯାଆନ୍ତି ।

ର୍ଷଦଙ୍କ ପାଇଁ ଲଢ଼ୁଥିଲେ ଖ୍ୟାତନାମା ଓକିଲ ରାମ ଜେଠମାଲିନୀ । ଏକ ପ୍ରେସ କନଫରେନରେ ହର୍ଷଦ ଆଣଥିବା ଅଭିଯୋଗ ସେତେବେଳେ ସାରା ଦେଶକୁ ଚକିତ କରିଦେଇଥିଲା । ହର୍ଷଦ ଅଭିଯୋଗ କରିଥିଲେ କି, ସେ ପ୍ରଧାନମନ୍ତ୍ରୀଙ୍କୁ ସୁଟକେସରେ ଭର୍ତ୍ତି କରି ୧ କୋଟି ଟଙ୍କାର ଚାନ୍ଦା ଦେଇଛନ୍ତି । ତେବେ ଏହି ଅଭିଯୋଗ କେବେ ବି ପ୍ରମାଣିତ ହୋଇପାରି ନ ଥିଲା । ହେଲେ ଏହି ଘଟଣାକୁ ନେଇ ତାଙ୍କ ବିରୋଧରେ ମଧ୍ୟ ମିଥ୍ୟାଭିଯୋଗର ମାମଲା ରୁଜୁ ହୋଇ ନ ଥିଲା । କୁହାଯାଏ କି, ହର୍ଷଦଙ୍କ ସହ ଅନେକ ରାଜନେତାଙ୍କ ସଂପର୍କ ଥିଲା । କାଳେ ତାଙ୍କ ନାଁ ସାମ୍ନାକୁ ଆସିଯିବ ସେଥିଲାଗ ମଧ୍ୟ ରାଜନୈତିକ ଚାପରେ ହର୍ଷଦଙ୍କ ବିରୋଧରେ ଅକାରଣରେ କିଛି ମାମଲା ମଧ୍ୟ ରୁଜୁ କରିଥିଲା ସିବିଆଇ । ସେପଟେ ହର୍ଷଦଙ୍କ ଭରସାରେ ଯେଉଁମାନେ ଅର୍ଥ ଲଗାଇଥିଲେ, ସେମାନେ ବିପୁଳ କ୍ଷତି ସେତେବେଳେ ସହିଥିଲେ । ଅନେକ ସର୍ବସ୍ୱାନ୍ତ ହୋଇ ଆତ୍ମହତ୍ୟା କରିଥିବାର ଅଭିଯୋଗ ମଧ୍ୟ ଆସିଥିଲା । କିଛି ମାମଲାରେ କୋର୍ଟ ହର୍ଷଦଙ୍କୁ ୫ ବର୍ଷ ଜେଲ ଓ ୨୫ ହଜାର ଟଙ୍କାର ଜରିମାନା ଶୁଣାଇଥିଲେ । ସେ ଜାମିନରେ ଆସି ଏଥର ଅର୍ଥ ନିବେଶର ପରାମର୍ଶଦାତା ଭାବେ କାର୍ଯ୍ୟ କରିଥିଲେ । ହେଲେ ପୁଣି ଥରେ ଆର୍ଥିକ ଅନିୟମିତତା ମାମଲାରେ ତାଙ୍କୁ ଜେଲ୍ ଯିବାକୁ ହୋଇଥିଲା । ୨୦୦୧ ଡିସେମ୍ବର ୩୧ରେ ଜେଲରେ ଥିବାବେଳେ ୪୬ ବର୍ଷରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା ।
ଏବେ ବି ସେହି ସ୍କାମର ସମସ୍ତ ମାମଲାର ବିଚାର ଶେଷ ହୋଇନି । ତାଙ୍କ ଭାଇ ଅଶ୍ୱିନୀ ଓକିଲ ଭାବେ ଅନେକ ମାମଲାରେ କୋର୍ଟରେ ପକ୍ଷ ରଖୁଛନ୍ତି । କିଛି ବ୍ୟାଙ୍କ୍ ଅଧିକାରୀଙ୍କ ବିରୋଧରେ ବି ମାମଲା ହୋଇଛି । ହର୍ଷଦ ମେହେତାଙ୍କ ପ୍ରସଙ୍ଗ ପରେ ଦେଶର ବ୍ୟାଙ୍କ ନୀତିରେ ଅନେକ ପରିବର୍ତ୍ତନ ହୋଇଛି । ସେୟାର ବଜାର କାରବାରକୁ ନିୟନ୍ତ୍ରଣରେ ରଖିବାକୁ ସେବିକୁ କ୍ଷମତା ମିଳିଛି । ଆଜି ବି ଆର୍ଥିକ ଦୁର୍ନୀତିର କଥା ଉଠିଲେ ହର୍ଷଦ ମେହେତାଙ୍କ ନାଁ ଆସେ । ଆଉ ଏହି ପ୍ରଶ୍ନ ବି ପ୍ରତିଥର ଆସେ, କ’ଣ ଏକା ହର୍ଷଦ ଏତେ ବଡ଼ ସ୍କାମ କରିବା ସମ୍ଭବ ଥିଲା? ହର୍ଷଦଙ୍କ ପରେ ନୀତିରେ ତ ପରିବର୍ତ୍ତନ ହୋଇଛି, ହେଲେ ଦୁର୍ନୀତିରେ ରୋକ୍ ଲାଗି ପାରିଛି କି?

 

Leave A Reply

Your email address will not be published.