ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ହିମାଚଳ ପ୍ରଦେଶ ଓ ପଶ୍ଚିମବଙ୍ଗର ଉପନିର୍ବାଚନରେ ବିଜେପିକୁ ବଡ଼ ଝଟକ୍କା ଲାଗିଛି। ଉପନିର୍ବାଚନରେ ଗୋଟିଏ ଲୋକସଭା ଆସନ ଓ ତିନୋଟି ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ କ୍ଲିନ୍ ସୁଇପ୍ କରିଛି କଂଗ୍ରେସ । ଯାହା ଆଗାମୀ ବିଧାନସଭା ନିର୍ବାଚନ ଉପରେ ବଡ଼ ପ୍ରଭାବ ପକାଇପାରେ । ମଣ୍ଡି ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିରଭଦ୍ର ସିଂଙ୍କ ପତ୍ନୀ ପ୍ରତୀଭା ସିଂ ବିଜେପି ପ୍ରାର୍ଥୀ କୁଶଲ ସିଂ ଠାକୁରଙ୍କୁ ପରାସ୍ତ କରିଛନ୍ତି। ପ୍ରତୀଭା ସିଂ ୮୭୬୬ ଭୋଟ ବ୍ୟବଧାନରେ ଏହି ଆସନ ଅକ୍ତିଆର କରିଛନ୍ତି। ସେହିପରି ଫତେହପୁର ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭବାନୀ ସିଂ ପଠାନିଆ ବିଜେପି ପ୍ରାର୍ଥୀ ବଲଦେବ ଠାକୁରଙ୍କ ଠାରୁ ୫୭୮୯ ଭୋଟ ବ୍ୟବଧାନରେ ଜିତିଛନ୍ତି। ଆର୍କି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ସଞ୍ଜୟ ଆୱସ୍ତି ଏଠାରେ ଜିତିଛନ୍ତି । ଯୁବଲ-କୋଟଖାଇ ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ରୋହିତ ଠାକୁର ଜିତିଛନ୍ତି ।

ସେହିପରି ପଶ୍ଚିମବଙ୍ଗର ଚାରିଟି ବିଧାନସଭା ଆସନ ପାଇଁ ହୋଇଥିବା ଉପ-ନିର୍ବାଚନରେ ଉଭୟ ବିଜେପି ଓ କଂଗ୍ରେସ ଅମାନତ ହରାଇଛନ୍ତି । ବାଜି ମାରିନେଇଛନ୍ତି ଦିଦି। ଏଠାରେ ଟିଏମସି ଚାରିଟି ସିଟରୁ ଚାରିଟି ଜିତିଛି। ଟିଏମସି ଗୋସାବା, ଦିନହାଟ, ଖରହଦା ଏବଂ ଶାନ୍ତିପୁର ବିଧାନସଭା ଆସନ ଜିତିଛି। ତୃଣମୂଳ କଂଗ୍ରେସ ପ୍ରାର୍ଥୀ ସୁବ୍ରତ ମଣ୍ଡଳ ୧,୪୩,୦୫୧ ଭୋଟ ବ୍ୟବଧାନରେ ଗୋସାବା ବିଧାନସଭା ଆସନ ଜିତିଛନ୍ତି। ଦିନହାଟରେ ଟିଏମସି ପ୍ରାର୍ଥୀ ଉଦୟନ ଗୁହା ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୧,୬୪,୦୮୯ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ସେହିଭଳି ଦଳର ପ୍ରାର୍ଥୀ ଶୋଭନଦେବ ଚଟୋପାଧ୍ୟାୟ ୯୩,୮୩୨ଖଣ୍ଡ ଭୋଟ ବ୍ୟବଧାନରେ ଖରହଦା ବିଧାନସଭା ଆସନ ଜିତିଛନ୍ତି। ଏହା ବ୍ୟତୀତ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ବ୍ରଜ କିଶୋର ଗୋସ୍ୱାମୀ ଶାନ୍ତିପୁର ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ନିରଂଜନ ବିଶ୍ୱାସଙ୍କୁ ୬୪,୬୭୫ ଭୋଟରେ ପରାସ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *