ସମ୍ବଲପୁର (ବଡ଼ ଖବର ବ୍ୟୁରୋ): ଆଜି ପୁଣି ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍ । ଜଳଭଣ୍ଡାରରେ ଜଳସ୍ତର ବଢୁଥିବାରୁ ଗେଟ୍ ଖୋଲିବାକୁ ନିଷ୍ପତ୍ତି । ସୂଚନା ଦେଲେ ହୀରାକୁଦ ଜଳଭଣ୍ଡାର ମୁଖ୍ୟ ଯନ୍ତ୍ରୀ । ସତର୍କ ସୂଚନା ଜାରି କଲେ ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ । ମହାନଦୀ ଭିତରକୁ ନ ଯିବାପାଇଁ ସତର୍କ ସୂଚନା ଜାରି । ଉପର ମୁଣ୍ଡରେ ବର୍ଷା ଯୋଗୁଁ ଜଳଭଣ୍ଡାର ଫୁଲୁଥିବା ସୂଚନା ।
ଲଘୁଚାପ ପ୍ରଭାବରେ ମହାନଦୀ ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଛି । ଗତ ୨୪ ଘଣ୍ଟାରେ ୧୬.୪୪ମିମି ବର୍ଷା ରେକର୍ଡ କରାଯାଇଛି । ଦିନକ ମଧ୍ୟରେ ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବାହ ୯୦ ହଜାର କ୍ୟୁସେକ୍ରୁ ବୃଦ୍ଧି ପାଇ ଅଢ଼େଇ ଲକ୍ଷ କ୍ୟୁସେକ୍ ଟପିଲାଣି । ଏହାକୁ ଲକ୍ଷ୍ୟ କରି ଶନିବାର ପୂର୍ବାହ୍ଣ ୧୦ଟାରେ ହୀରାକୁଦ ଜଳଭଣ୍ଡାରରୁ ଜଳ ନିଷ୍କାସନ କରିବାକୁ ନିଷ୍ପତ୍ତି ହୋଇଛି । ପ୍ରାରମ୍ଭିକ ଭାବେ ୪ଟି ଗେଟ୍ ଖୋଲାଯିବାକୁ ଯୋଜନା ରହିଛି ।
ଅନ୍ୟପକ୍ଷରେ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ପାର୍ଶ୍ବବର୍ତ୍ତୀ ବାଂଲାଦେଶ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ପ୍ରଭାବରେ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା। ସୁନ୍ଦରଗଡ଼ରେ ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି ହୋଇଥିଲା । ଏହାବ୍ୟତୀତ ଝାସରୁଗୁଡ଼ା, ସମ୍ୱଲପୁର, କେନ୍ଦୁଝର, ମୟୂରଭଞ୍ଜ ଏହି ୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଥିଲା ।
ସେପଟେ ରାଜ୍ୟର ପଶ୍ଚିମ ଓଡ଼ିଶା ସମେତ ବହୁ ସ୍ଥାନରେ ଲଗାଣ ବର୍ଷା ଯୋଗୁଁ ମହାନଦୀ, ସୁବର୍ଣ୍ଣରେଖା ଓ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଇଛି । ଆଜି ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ଅଧିକ ବର୍ଷା ହେବା ନେଇ ପାଣିପାଗ ବି ଭାଗ ପୂର୍ବାନୁମାନ କରିଛି । ୨୪ ଓ ୨୫ ତାରିଖରେ ମୟୂରଭଞ୍ଜ ଓ ବାଲେଶ୍ବରରେ ଭାରି ବର୍ଷା ସମ୍ଭାବନା ରହିଛି ।
