କଟକ (ବଡ଼ ଖବର ବ୍ୟୁରୋ): ‘ଭାଇଚାରା’ର ସହର କଟକକୁ ଶାନ୍ତି ଫେରୁଛି । ସହରର ଜୀବନଯାତ୍ରାରେ ସ୍ୱାଭାବିକତା ଫେରାଇ ଆଣିବାକୁ ସବୁ ସ୍ତରରେ, ସବୁ ମହଲରେ ଉଦ୍ୟମ ଜାରି ରହିଛି । ବିଗିଡ଼ି ଯାଇଥିବା ଆଇନ ଶୃଙ୍ଖଳା ସ୍ଥିତିରେ ସୁଧାର ଆଣିବା ପାଇଁ ସହରରେ କର୍ଫ୍ୟୁ ଜାରି ହେବାର ୨୪ ଘଣ୍ଟାରୁ ଅଧିକ ସମୟ ବିତିଛି ଇତିମଧ୍ୟରେ । ସ୍ଥିତିରେ ବେଶ ସୁଧାର ମଧ୍ୟ ଆସିଛି । ସାରା ସହର ପୁଲିସ ଫୋର୍ସ ବଳୟରେ ରହିଥିବା ବେଳେ ପୁଲିସ ଡିଜି ୱାଇ. ବି. ଖୁରାନିଆ, ପୁଲିସ କମିସନର ଏସ୍. ଦେବଦତ୍ତ ସିଂଙ୍କ ସମେତ ବହୁ ବରିଷ୍ଠ ପୁଲିସ ଅଧିକାରୀ କଟକରେ କ୍ୟାମ୍ପ୍ କରି ସ୍ଥିତି ଉପରେ ନଜର ରଖିଛନ୍ତି ।
ଆଜି ସନ୍ଧ୍ୟା ୭ଟା ଯାଏଁ ଇଣ୍ଟରନେଟ ସେବା ବନ୍ଦ । ସିଏମସି, ସିଡିଏ, ବୟାଳିଶି ମୌଜାରେ କଟକଣା ବଳବତ୍ତର । ହ୍ୱାଟ୍ସଆପ, ଫେସବୁକ, ଇନଷ୍ଟାଗ୍ରାମ, ଏକ୍ସ ଓ ସ୍ନାପଚାଟ୍ ବନ୍ଦ । ୩୬ ଘଣ୍ଟିଆ କର୍ଫ୍ୟୁ ଆଜି ଦିନ ୧୦ଟାରେ ସମାପ୍ତ ହୋଇଛି ସମ୍ବେଦନଶୀଳ ଅଞ୍ଚଳରେ ପୋଲିସର କଡ଼ା ପହରା ରହିଛି । ସହର ସାରା ପୋଲିସ ଛାଉଣୀ ରହିଛି । ଛକ ଛକରେ ପଇଁତରା ମାରୁଛନ୍ତି ସୁରକ୍ଷା ବଳ । ପାଟ୍ରୋଲିଂ ଓ ଚେକିଂ ଜାରି ରହିଛି । କିଛି ସ୍ଥାନରେ ରାସ୍ତା କଡ଼ରେ ଥିବା ଦୋକାନ ଖୋଲିଛି । ଜରୁରୀ ସେବା ପାଇଁ ପରିଚୟପତ୍ର ଯାଞ୍ଚ କରି ଛଡ଼ାଯାଉଛି ।
ବିଶୃଙ୍ଖଳା ଘଟଣା ପରେ ୧୩ଟି ଥାନା ଅଞ୍ଚଳରେ କର୍ଫ୍ୟୁ ଲାଗୁ ହୋଇଛି । ଘଟଣାରେ ୩ଟି ମାମଲା ରୁଜୁ କରି ୮ଜଣଙ୍କୁ ଗିରଫ କରାଯାଇଛି । କୌଣସି ପ୍ରକାର ଗୁଜବରେ ବିଶ୍ବାସ ନକରିବାକୁ ପରାମର୍ଶ ଦେଇଛି ଓଡ଼ିଶା ପୋଲିସ ।ଅକ୍ଟୋବର ୩ତାରିଖରେ ରାତିରେ ଦଶହରା ଭସାଣ ଶୋଭାଯାତ୍ରାରେ ଦରଘାବଜାର ଓ ହାତୀପୋଖରୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିଥିଲା । ସ୍ଥିତି ନିୟନ୍ତ୍ରଣକୁ ଫେରୁଥିବା ବେଳେ ଗତକାଲି ବାଇକ ରାଲି ବାହାରିଥିଲା । ତେବେ ଏଥିପାଇଁ ଅନୁମତି ନଥିବାରୁ ପୋଲିସ ଏହାକୁ ଅଟକାଇଥିଲା । ଏହାକୁ ନେଇ ପୋଲିସ ସହ ମୁହାଁମୁହିଁ ପରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା ।
