Before Header

ଓଡ଼ିଆରେ ହେବ ଆଇପିଏଲ ଧାରାବିବରଣୀ, କମେଣ୍ଟ୍ରି ଟିମରେ ୪ ଭେଟେରାନ୍

0 55

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଆରେ ହେବ ଆଇପିଏଲ ଧାରାବିବରଣୀ । ଚଳିତ ବର୍ଷ ଆଇପିଏଲ ପ୍ରସାରଣ ଅଧିକାର ଷ୍ଟାର୍ ସ୍ପୋର୍ଟସ ନିକଟରେ ଥିଲେ ମଧ୍ୟ ଏହାର ଡିଜିଟାଲ ପ୍ରସାରଣ ଅଧିକାର ହାସଲ କରିଛି ଜିଓ ସିନେମା । ଜିଓ ସିନେମାରେ ଇଣ୍ଡିଆନ୍ ପ୍ରିମିୟର ଲିଗର ଫ୍ରି ଷ୍ଟ୍ରିମିଂ କରାଯିବ ବୋଲି ଘୋଷଣା କରାଯାଇଛି । ଏହା ସହ ଆଉ ଏକ ଘୋଷଣା ହୋଇଛି, ଯାହା ଆଇପିଏଲ୍ ଦର୍ଶକଙ୍କ ପାଇଁ ସମ୍ପୂର୍ଣ୍ଣ ନୂଆ ଓ ସ୍ୱତନ୍ତ୍ର । ଆଇପିଏଲ୍ ଦେଖିବା ପାଇଁ କେବଳ ହିନ୍ଦୀ କିମ୍ବା ଇଂରାଜୀ ଧାରାବିବରଣୀ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ ।

ନିଜ ଭାଷାରେ ଆଇପିଏଲ୍ କମେଣ୍ଟ୍ରି ଶୁଣିବେ ଦର୍ଶକ । ହିନ୍ଦୀ, ଇଂରାଜୀ ସହ ୧୨ଟି ଆଞ୍ଚଳିକ ଭାଷାରେ ଧାରାବିବରଣୀ ପାଇଁ ବ୍ୟବସ୍ଥା କରିଛି ଜିଓ ସିନେମା । ଖୁସିର କଥା, ଏଥିରେ ଓଡ଼ିଆ ଭାଷା ମଧ୍ୟ ରହିଛି । ଏଥିପାଇଁ କ୍ରିକେଟର ଅନେକ ବିଶେଷଜ୍ଞମାନଙ୍କୁ ଓଡ଼ିଶାରୁ ଚୁକ୍ତିଭିତ୍ତିରେ ନିଯୁକ୍ତି ଦେଇଛି ଜିଓ ସିନେମା । ଏହି ଟିମରେ ପରାମର୍ଶଦାତା ଭାବେ ସାମିଲ ହୋଇଥିବା ରାଜ୍ୟର ବରିଷ୍ଠ କ୍ରିକେଟ ସମୀକ୍ଷକ ରୁଦ୍ର ପ୍ରସନ୍ନ ରଥ କହିଛନ୍ତି ଓଡ଼ିଶାର ଦର୍ଶକ ଏଥର ଆଇପିଏଲର ଭରପୂର ମଜା ପାଇବେ । କମେଣ୍ଟ୍ରେଟର ଭାବେ ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ଦେବାଶିଷ ମହାନ୍ତିଙ୍କ ସମେତ ଓଡ଼ିଶା କ୍ରିକେଟର କିମ୍ବଦନ୍ତୀ ରଶ୍ମିରଞ୍ଜନ ପରିଡା, ବିପ୍ଲବ ସାମନ୍ତରାୟ ଓ ବସନ୍ତ ମହାନ୍ତିଙ୍କୁ ଦେଖିବାକୁ ମିଳିବ । ଏହି ୪ଜଣଙ୍କର କ୍ରିକେଟ ଜ୍ଞାନ ଓ କ୍ରେଜ୍ ସମ୍ପର୍କରେ କାହାକୁ ଅଛପା ନାହିଁ । ବିପ୍ଲବଙ୍କ ନିକଟରେ ଆଇପିଏଲ୍ ଖେଳିବାର ଅଭିଜ୍ଞତା ମଧ୍ୟ ରହିଛି । ଖେଳ ପୂର୍ବରୁ, ପରେ ଓ ବିରତି ସମୟରେ କ୍ରିକେଟ ସମ୍ପର୍କରେ ଚର୍ଚ୍ଚା କରିବାକୁ ପ୍ୟାନେଲିଷ୍ଟଙ୍କ ସହ ଉପସ୍ଥାପିକା ଭାବେ ଯୋଗଦେବେ କଟକ ଝିଅ ଲୋରିଆ ମହାନ୍ତି ।

 କେବଳ କମେଣ୍ଟ୍ରି କି ଚର୍ଚ୍ଚା ନୁହେଁ, ସ୍କ୍ରିନରେ ଆସୁଥିବା ସମସ୍ତ ଗ୍ରାଫିକ୍ସ ଓ ଆନିମେସନର ଅକ୍ଷର ମଧ୍ୟ ଓଡ଼ିଆରେ ରହିବ । ସ୍କୋର ବୋର୍ଡ, ପରିସଂଖ୍ୟନ ଓ ଖେଳାଳିଙ୍କ ନାଁ ଓଡ଼ିଆ ଭାଷାରେ ଦେଖିବେ ଦର୍ଶକ । ଏହା ସହ ପ୍ରସାରଣରେ ଉନ୍ନତ ଜ୍ଞାନକୌଶଳ ମଧ୍ୟ ବ୍ୟବହାର କରାଯାଇଛି । ବଲ ଓ ବ୍ୟାଟର ସଂଘର୍ଷର ୩୬୦ଡିଗ୍ରୀ ଭିୟୁ ଦେଖିପାରିବେ ଦର୍ଶକ । ମାର୍ଚ୍ଚ ୩୧ରେ ଅହମ୍ମଦାବାଦରେ ଆଇପିଏଲ ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ଓ ଗୁଜୁରାଟ ।

Leave A Reply

Your email address will not be published.