ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଯୁଦ୍ଧ ଡାକରା ଦେଲା ଇସ୍ରାଏଲ । । ଇସ୍ରାଏଲ ଉପରେ ଆତଙ୍କବାଦୀ ସଂଗଠନ ହମାସର ଘନ ଘନ ରକେଟ ମାଡ଼ ପରେ ଚିହିକି ଉଠିଲା ଇସ୍ରାଏଲ । ଅଧ ଘଣ୍ଟା ଭିତରେ ହମାସ ୫ ହଜାର ରକେଟ ମାଡ଼ କରିଥିବାର ସୂଚନା ମିଳିଛି । ଏପରିକି ପାରା ଗ୍ଲାଇଡ୍ ମଧ୍ୟ ଏଥିରେ ନିୟୋଜିତ ହୋଇଛନ୍ତି । ହମାସ ତରଫରୁ ଏହି ସାମରିକ ଅଭିଯାନର ନାଁ ରଖାଯାଇଛି ଅପରେସନ ଅଲ୍ ଅକସା ଫ୍ଲଡ୍ । ଯାହାକୁ ନେଇ ଯୁଦ୍ଧକାଳୀନ୍ ସ୍ଥିତି ଘୋଷଣା କଲା ଇସ୍ରାଏଲ ।
ସେନା ଓ ଇଣ୍ଟିଲିଜେସନ୍ ବିଭାଗକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ସ୍ଥିତିର ସମୀକ୍ଷା କରିବାକୁ ଖୁବ ଶୀଘ୍ର ଏକ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନେତାନ୍ୟାହୁ। ହମାସକୁ ଏହି ଆକ୍ରମଣ ବହୁତ ମହଙ୍ଗା ପଡ଼ିବ ଓ ତାକୁ ଉଚିତ ଶିକ୍ଷା ଦିଆଯିବ ବୋଲି କହିଛି ଇସ୍ରାଏଲ । ସୂଚନା ଅନୁସାରେ ଶନିବାର ପାଲେଷ୍ଟାଇନ୍ ଆତଙ୍କବାଦୀ ଇସ୍ରାଏଲ ଉପରେ ଲଗାତାର ରକେଟ ମାଡ କରିଥିଲେ । ଫଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା । କିନ୍ତୁ ପରିସ୍ଥିତି ଜଟିଳ ହେବାରୁ ଇସ୍ରାଏଲ ସରକାର ଯୁଦ୍ଧ ଘୋଷଣା କରିଛନ୍ତି ।