Before Header

କଟକଣାରେ ଜନ୍ମାଷ୍ଟମୀ

0 21

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଜି ପବିତ୍ର ଜନ୍ମାଷ୍ଟମୀ । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀକୃଷ୍ଣ ଜନ୍ମନୀତି । ଶ୍ରୀମନ୍ଦିରରେ ଏନେଇ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । କିନ୍ତୁ କରୋନା କଟକଣା ପାଇଁ ଭକ୍ତଙ୍କ ପାଇଁ ଆଜି ବନ୍ଦ ରହିଛି ଶ୍ରୀମନ୍ଦିର । ବିନା ଭକ୍ତରେ ଜନ୍ମାଷ୍ଟମୀ ପାଳନ ହେବ । ଏନେଇ ଭକ୍ତ ନିରାଶ ଥିବାବେଳେ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମନ୍ଦିରଗୁଡ଼ିକରେ ବିଶେଷ କିଛି ଆୟୋଜନ କରାଯାଇନାହିଁ ।

ଭୁବନେଶ୍ୱର ରାମ ମନ୍ଦିରରେ ଅନୁରୂପ ଭାବେ ଭକ୍ତଙ୍କୁ ପ୍ରବେଶ ଅନୁମତି ନାହିଁ । ଏଣୁ ମନ୍ଦିରରେ ପ୍ରତିବର୍ଷ ଭକ୍ତଙ୍କ ପାଇଁ ହେଉଥିବା ସ୍ବତନ୍ତ୍ର ପ୍ରସାଦ ଓ ଭୋଗ ଥାଳି ହେବ ନାହିଁ । କିନ୍ତୁ ମନ୍ଦିରର ଜନ୍ମାଷ୍ଟମୀ ସ୍ବତନ୍ତ୍ର ଧନିଆ ପଞ୍ଜୁରୀ ଭୋଗ ଭକ୍ତମାନଙ୍କୁ ଜନ୍ମଷ୍ଟମୀ ପର ଦିନ ନନ୍ଦୋତ୍ସବରେ ବଣ୍ଟନ କରାଯିବ । ଏନେଇ ମନ୍ଦିର ପକ୍ଷରୁ ସ୍ବତନ୍ତ୍ର ଆୟୋଜନ କରାଯାଇଛି । ଭୋର୍‌ ସାଢ଼େ ୫ଟାରୁ ମଙ୍ଗଳଆଳତି, ୭ଟାରେ ଶୃଙ୍ଗାର ଆଳତି ହୋଇଛି । ୧୨ଟାରୁ ଭୋଗ ଆଳତି ହୋଇ ମନ୍ଦିର ବନ୍ଦ ରହିବ । ଅପରାହ୍‌ଣ ସାଢ଼େ ୪ଟାରେ ମନ୍ଦିର ଖୋଲିବ । ସଂଧ୍ୟା ୭ଟାରେ ସଂଧ୍ୟା ଆଳତି ହେବ । ରାତି ୧୦ଟାରୁ ଶ୍ରୀକୃଷ୍ଣ ଜନ୍ମୋତ୍ସବ ନୀତି କାର୍ୟ୍ୟକ୍ରମ ଓ ଭଜନ କୀର୍ତ୍ତନ ଆରମ୍ଭ ହୋଇଯିବ । ରାତି୧୨ଟାରେ ଅଭିଷେକ ଓ ପୁଷ୍ପାଞ୍ଜଳି ଭିତରେ ଶ୍ରୀକୃଷ୍ଣଙ୍କୁ ଧରାପୃଷ୍ଠକୁ ସ୍ବାଗତ କରାଯିବ ।

ସକାଳ ୪.୧୫ରୁ ଇସ୍କନ ମନ୍ଦିରରେ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ଭୋର୍‌ ସାଢ଼େ ୪ଟାରେ ମଙ୍ଗଳ ଆଳତୀ, ସକାଳ ସାଢ଼େ ୭ରେ ଦର୍ଶନ ଆଳତୀ ଗୁରୁ ପୂଜା, ୮ଟା ବେଳକୁ ଦର୍ଶନ ଆଳତୀ ହୋଇଛି । ମନ୍ଦିର ପରିସରର ଭକ୍ତ ଦର୍ଶନ କରିବା ସହ ସୁଗନ୍ଧିତ ଫୁଲରେ ପ୍ରଭୁଙ୍କୁ ସୁଶୋଭିତ କରିବେ । ସାଢ଼େ ୧୧ଟା ପରେ ପହୁଡ଼ ପଡ଼ିବ। ଅପରାହ୍ନ ସାଢ଼େ ୪ଟା ପର୍ୟ୍ୟନ୍ତ ମନ୍ଦିର ବନ୍ଦ ରହିବ । କିନ୍ତୁ ଦିନ ସାରା ଭଜନ କୀର୍ତ୍ତନ ଚାଲୁରହିବ । ସଂଧ୍ୟାରେ ମନ୍ଦିର ଖୋଲିବା ପରେ ସଂଧ୍ୟା ଆଳତୀ ଓ ଭଜନ କୀର୍ତ୍ତନ ପରେ ଶ୍ରୀକୃଷ୍ଣ ଜନ୍ମୋତ୍ସବ ପ୍ରସ୍ତୁତି ଆରମ୍ଭ ହେବ। ମଧ୍ୟ ରାତ୍ରିରେ ଅର୍ଥାତ ରାତି ୧୨ଟାରେ ଅଭିଷେକ ଆରମ୍ଭ ହେବ ଓ ଭଗବାନଙ୍କ ଜନ୍ମ ଉତ୍ସବ ପାଳିତ ହେବ। ଭକ୍ତମାନେ ଏହା ପରେ ଉପାସ ଭାଙ୍ଗିବେ । ଏହି ଅବସରରେ ଶ୍ରୀକୃଷ୍ଣଙ୍କୁ ଫଳ ଭୋଗ ଲାଗି ହୁଏ ।

Leave A Reply

Your email address will not be published.