ପୁରୀ (ବଡ଼ ଖବର ବ୍ୟୁରୋ): ଆଉ ଦୁଇ ଦିନ ପରେ ରଥଯାତ୍ରା । ଶ୍ରୀକ୍ଷେତ୍ରରେ ଏବେଠୁ ଲାଗିଲାଣି ଗହଳି । ଆସୁଛନ୍ତି ବଡ଼ ଠାକୁର ଭୁଜ ମେଲେଇ । ବଡ଼ଦାଣ୍ଡର ଭକତଙ୍କୁ କୋଲେଇ ନବା ପାଇଁ । ହଲି ହଲି ଝୁଲି ଝୁଲି ଆସିବେ । ବାଙ୍କ ଚାହାଣୀରେ ସମସ୍ତଙ୍କ ମନଙ୍କୁ କିଣି ନେବେ । ସ୍ୱାଗତ କରିବାକୁ ଦାଣ୍ଡ ପ୍ରସ୍ତୁତ । ଭକ୍ତ ପ୍ରସ୍ତୁତ । ଚକ ଅଖ ଠୁ ଆରମ୍ଭ କରି ବାଲି ରେଣୁ ବି ମଣିମାଙ୍କ ସ୍ପର୍ଶ ପାଇଁ ବ୍ୟାକୁଳ । ଶେଷ ପର୍ଯ୍ୟାରେ ପ୍ରସ୍ତୁତି । ଶେଷ ସ୍ପର୍ଶରେ ଲାଗି ପଡ଼ିଛନ୍ତି କାରିଗର । ତିନି ରଥରେ ବୁଲା ସରିଲାଣି ଠେକେରା ବାଡ଼ । ତାଳଧ୍ୱଜ ରଥରେ ସବୁଜରଙ୍ଗର ବାଡ଼, ଦେବଦଳନ ରଥରେ କମଳା ରଙ୍ଗର ବାଡ଼ ଓ ନନ୍ଦିଘୋଷ ରଥରେ ହଳଦିଆ ରଙ୍ଗର ବାଡ଼ ବୁଲିସାରିଲାଣି । କନକମୁଣ୍ଡିରେ ପିତଳ ସଜ ପଡ଼ି ସାରିଛି ।
ସେପଟେ ୧୫ଜଣ କୋଠସୁଆଁସିଆ ସେବକ ଠାକୁରଙ୍କ ତିନି ରଥରେ କନା ପଡ଼ିବା ଆରମ୍ଭ କରିସାରିଲେଣି । ଅନ୍ୟପଟେ ଦୋଳବେଦୀ ଅସ୍ଥାୟୀ କମାରଶାଳରେ ଓଝା କମାରସେବକ କୋଠ ସୁଆଁସିଆ ସେବକମାନଙ୍କୁ ରଥରେ କନା ପକା କାର୍ଯ୍ୟ ପାଇଁ ହାତୁଡି, ଛୁରୀ ନିର୍ମାଣ କରି ଯୋଗାଇ ଦେଇଛନ୍ତି । ଏହା ସହ ଚିତ୍ରକାର ସେବକମାନେ ରଥର ବାହ୍ୟ ଅଂଶଗୁଡିକରେ ଶେଷ ସ୍ପର୍ଶ ଦେଉଛନ୍ତି । ଅନ୍ୟ ଚିତ୍ରକର ସେବକମାନେ ପ୍ରଭାଚିତ୍ର ଶେଷ କରିଛନ୍ତି । ପ୍ରଭାକାମ ସରିବା ପରେ ଭୋଇ ସେବକମାନେ ଏସବୁକୁ ଆଣି ରଥ ଉପରେ ସ୍ଥାପନ କରିବେ ।
ରଥକାମ ଶେଷରେ ପଟା ପଡ଼ି ଚକଡ଼ା ରଖାଯିବ । ମହାପ୍ରଭୁ ଆସିବେ ଚକଡ଼ାରେ ବିରାଜିବେ । କୋଟି ଓଡ଼ିଆଙ୍କ ମନ ମୋହିବେ । ସେପଟେ ସୁରକ୍ଷା ପାଇଁ ପୁରୀରେ ପୋଲିସ ଛାଉଣୀ । ମକ ଡ୍ରିଲ ସହ କିପରି ଲୋକଙ୍କୁ ସୁରକ୍ଷା ଦେବେ ଲଶଗିପଡ଼ିଛନ୍ତି । ଖାଲି ସେତିକି ନୁହେଁ ସ୍ୱଚ୍ଛୋସେବୀମାନଙ୍କ ଠାରୁ ଆରମ୍ଭ କରି ସ୍କାଉଟ ଗାଇଡ ପିଲାଙ୍କୁ ବି ଦିଆ ଯାଉଛି ଟ୍ରେନିଂ । ଆଗରୁ ନୋ ଫ୍ଲାଇଙ୍ଗ ଜୋନ ଘୋଷଣା କରି ସାରିଛି ପୁରୀ ପ୍ରଶାସନ ।
