ପଞ୍ଜାବ(ବଡ଼ ଖବର ବ୍ୟୁରୋ): ମିରଟ ପରେ ଏବେ ଲୁଧିଆନାରେ ହଇଚଇ । ଦେଶରେ ଦିନକୁ ଦିନ ଅପରାଧ ବଢିବାରେ ଲାଗିଛି । ବାହା ହେବାକୁ ଏବେ ଭୟ କଲେଣି ଯୁବବର୍ଗ । ବିବାହ ବନ୍ଧନ ପାଲଟୁଛି ମରଣ ଯନ୍ତା । ସଂସାର କରିବାର ସ୍ୱପ୍ନ ସାଜୁଛି କାଳ ।
ପଞ୍ଜାବର ଲୁଧିଆନାରେ ଘଟିଛି ଏମିତି ଏକ ଲୋମହର୍ଷଣକାରୀ ଘଟଣା । ଯାହା ସାରା ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି । ପଞ୍ଜାବ ଲୁଧିଆନାର ଶେରପୁର ଚୌକ ନିକଟରେ ଏକ ଖାଲି ପ୍ଲଟରେ ନୀଳ ପ୍ଲାଷ୍ଟିକ୍ ଡ୍ରମରେ ଜଣେ ୩୫ ବର୍ଷୀୟ ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଥିଲା । ସୂଚନା ଅନୁଯାୟୀ, ମୃତକଙ୍କ ନାମ ହେଉଛିି ମନୋଜ । ସେ ଲୁଧିଆନାର ଲେନ୍ ନମ୍ବର ୫ ଭାରତୀ କଲୋନିରେ ରହୁଥିଲେ । ମୃତଦେହଟି ଏକ ପ୍ଲାଷ୍ଟିକ୍ ବ୍ୟାଗରେ ଗୁଡାଯାଇଥିଲା ଏବଂ ତାଙ୍କ ବେକ ଓ ଗୋଡ଼ରେ ରଶିରେ ବନ୍ଧା ଥିବା ଚିହ୍ନ ଥିଲା । ମୃତଦେହରୁ ଦୁର୍ଗନ୍ଧ ଆସିବାରୁ ସ୍ଥାନୀୟ ଲୋକମାନେ ପୋଲିସକୁ ସୂଚନା ଦେଇଥିଲେ । ଅଭିଯୋଗ ପରେ ପୋଲିସ ଘଟଣାସ୍ଥରେ ପହଞ୍ଚି ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ସିଭିଲ୍ ହସ୍ପିଟାଲକୁ ପଠାଇଥିଲା ।
ଏହି ଘଟଣାରେ ପୋଲିସ ଜଣେ ମହିଳା ସମେତ ୪ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ଜଣ ନାବାଳକ ଅଛନ୍ତି । ହତ୍ୟା କରିବାର କାରଣ ଅସ୍ପଷ୍ଟ ଥିବାବେଳେ, ପୋଲିସ ଏହାକୁ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବିଚାର କରି ତଦନ୍ତ ଆରମ୍ଭ କରିଛି । ଏହି ମାମଲାଟି ମିରଟର ମୁସକାନ-ସାହିଲ ହତ୍ୟା ମାମଲାକୁ ମନେ ପକାଇଦେଇଛି । ଯେଉଁଥିରେ ଜଣେ ମହିଳା ତାଙ୍କ ପ୍ରେମିକ ସହ ମିଶି ନିଜ ସ୍ୱାମୀଙ୍କୁ ହତ୍ୟା କରି ମୃତଦେହକୁ ଏକ ନୀଳ ଡ୍ରମ ଭିତରେ ଲୁଚାଇ ରଖିଥିଲେ ।