ଜଗଦୀପ ଧନକରଙ୍କ ସୁସ୍ଥତା କାମନା କଲେ ପ୍ରଧାନମନ୍ତ୍ରୀ
ଉପରାଷ୍ଟ୍ରପତି ଜଗଦୀପ ଧନକର ନିଜ ଇସ୍ତଫାପତ୍ର ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ନିକଟରେ ଦାଖଲ କରିଛନ୍ତି
ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଗତକାଲି ଉପରାଷ୍ଟ୍ରପତି ଜଗଦୀପ ଧନକର ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫାପତ୍ର ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ନିକଟରେ ଦାଖଲ କରିଛନ୍ତି । ଉପରାଷ୍ଟ୍ରପତି ତାଙ୍କର ଇସ୍ତଫାଚିଠିରେ ସ୍ୱାସ୍ଥ୍ୟ କାରଣ ଦର୍ଶାଇଛନ୍ତି । ସମ୍ବିଧାନ ଧାରା ୬୭(କ) ଅନୁଯାଇ ଉପରାଷ୍ଟ୍ରପତି ତାଙ୍କର ଇସ୍ତଫାପତ୍ର ରାଷ୍ଟ୍ରପତିଙ୍କୁ ଦାଖଲ କରିଥିଲେ ।ଇସ୍ତଫା ପତ୍ରରେ ସେ ଉଲ୍ଲେଖ କରିଥିଲେ ଯେ ସ୍ୱାସ୍ଥ୍ୟ ସେବାକୁ ପ୍ରଥମିକତା ଦେବା ସହ ଡ଼ାକ୍ତରୀ ପରାମର୍ଶ କ୍ରେମେ ସେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଏଥି ସହ ଜଗଦୀପ ଧନକର ତାଙ୍କ ଇସ୍ତଫା ପତ୍ରରେ ରାଷ୍ଟପତି, ପ୍ରଧାନମନ୍ତ୍ରୀଙ୍କ ସମେତ ସଂସଦର ସଦସ୍ୟଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି । ଶ୍ରୀ ଧନକର ଇସ୍ତଫା ଦେବା ପରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଉପରାଷ୍ଟ୍ରପତି ଜଗଦୀପ ଧନକର ବିଭିନ୍ନ ପଦପଦବୀରେ ଦେଶ ପାଇଁ ସେବା କରିଛନ୍ତି । ଦେଶର ଚତୁର୍ଦ୍ଦଶ ଉପରଷ୍ଟପତି ଭାବରେ ୨୦୨୨ ଅଗଷ୍ଟ ୧୧ରେ ଜଗଦୀପ ଧନକରଙ୍କ ନିର୍ବାଚିତ ହୋଇଥିଲେ । ଧନକରଙ୍କ ହେଉଛନ୍ତି ତୃତୀୟ ଉପରାଷ୍ଟ୍ରପତି ଯିଏକି ନିଜର ଅବଧି କାଳ ଶେଷ ହେବା ପୂର୍ବରୁ ପଦରୁ ଇସ୍ତଫା ଦେଇଛନ୍ତି ।
ଗତ ଦୁଇ ସପ୍ତାହ ତଳେ ଏକ କାର୍ଯ୍ୟକ୍ରମରେ ଧନକର କହିଥିଲେ ଯେ ତାଙ୍କର କାର୍ଯ୍ୟକାଳର ଅବଧି ଶେଷ ଯାଏଁ ସେ ତାଙ୍କ ପଦବୀରେ ରହିବେ । ହେଲେ ମୌସୁମି ଅଧିବେସନର ପ୍ରଥମ ଦିନରେ ଉପରାଷ୍ଟ୍ରପତିଙ୍କ ଇସ୍ତଫା ସାରା ଦେଶରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ୨୦୨୭ ଅଗଷ୍ଟ ୧୦ରେ କାର୍ଯ୍ୟକାଳ ସରିବାକୁ ଥିବା ଉପରାଷ୍ଟ୍ରପତି ଜଗଦୀପ ଧନକରଙ୍କ ହଠାତ ଇସ୍ତଫାର କରାଣ କ’ଣ? ଧନକରଙ୍କ ହଠାତ ଇସ୍ତଫାକୁ ନେଇ ବହୁ କଳ୍ପନା-ଜଳ୍ପନା ମଧ୍ୟ କରାଯାଉଛି । ମୌସୁମୀ ଅଧିବେସନର ପ୍ରଥମ ଦିନରେ ପାର୍ଲାମେଣ୍ଟରେ ଦୀର୍ଘ ସମୟ କାମ କରିବା ପରେ ନିଜର ସରକାରୀ ବାସଭବନକୁ ଆସିବା ପରେ ସେ ତାଙ୍କର ଇସ୍ତଫା ଘୋଷଣା କରିଥିଲେ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ବିରୋଧୀ ଦଳ ଏହା ମଧ୍ୟ କହୁଛନ୍ତି ଯେ ଯଦି ସ୍ୱାସ୍ଥ୍ୟ ଅବସ୍ଥା ପାଇଁ ଇସ୍ତଫା ଦେଇଛନ୍ତି ତେବେ ସେ ପାର୍ଲାମେଣ୍ଟରେ ବି କହିପାରିଥାନ୍ତେ । ହେଲେ ସେ ନିଜ ବାସଭବନକୁ ଆସିବା ପରେ ଇସ୍ତଫା ଦେଇଥିଲେ ଯାହାକୁ ବିରୋଧୀ ଦଳ ମାନି ପାରୁନାହାନ୍ତି । ହଠାତ ଉପରାଷ୍ଟ୍ରପତିଙ୍କ ଇସ୍ତଫା ପଛରେ ଅନ୍ୟ କିଛି କାରଣ ରହିଥିବା ବିରୋଧୀ କହୁଛନ୍ତି ।
ଧନକରଙ୍କ ଇସ୍ତଫା ପରେ ବର୍ତ୍ତମାନ ସମୟରେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ଉପରାଷ୍ଟ୍ରପତିଙ୍କ ପଦରେ କାର୍ଯ୍ୟକାରୀ ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେପଟେ କିଏ ହେବ ପରବର୍ତ୍ତି ଉପରାଷ୍ଟ୍ରପତି ଏନେଇ ଚର୍ଚ୍ଚା ହେଉଛି । ଏହି ଚର୍ଚ୍ଚା ମଧ୍ୟରେ ଅନେକଙ୍କ ନାମ ସାମ୍ନାକୁ ଆସିଛି । ଜଗଦୀପ ଧନକରଙ୍କ ପରେ କିଏ ବସିବେ ଉପରାଷ୍ଟ୍ରପତିଙ୍କ ପଦରେ, କିଏ ଆଗକୁ ରାଜ୍ୟସଭାରେ ସଂସଦମାନଙ୍କରେ ସଭାପତିତ୍ୱ କରିବେ ଏନେଇ ଏକ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି ।