ନୂଆଦିଲ୍ଲୀ(ବଡଖବର ବ୍ୟୁରୋ): ବିଜେପି ପାଇଁ ଘାତକ ସାଜିବ ରାହୁଲ-ଲାଲୁଙ୍କ ଯୋଡ଼ି । ବିରୋଧୀ ମେଂଟରୁ ରାହୁଲ ପ୍ରଧାନମନ୍ତ୍ରୀ ପଦବୀ ପାଇଁ ଦାବିଦାର ହେଲେ ବିଜେପି ପାଇଁ ସୃଷ୍ଟି କରିବେ ବଡ଼ ଚ୍ୟାଲେଂଜ । ରାହୁଲ ଗାନ୍ଧି ସୁପ୍ରିମକୋର୍ଟ ରାୟ ପରେ ସାଂସଦ ପଦ ଫେରି ପାଇଛନ୍ତି। ଏହା ବିରୋଧୀ ରାଜନୈତିକ ମେଣ୍ଟ ‘ଇଣ୍ଡିଆ’ର ବଡ଼ ବିଜୟ ।

ସର୍ବୋଚ୍ଚ ଅଦାଲତର ରାୟ ପରେ ରାହୁଲ ନିଜ କାର୍ରେ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ତଥା ରାଜ୍ୟସଭା ସାଂସଦ ମିଶା ଭାରତୀଙ୍କ ଘରକୁ ଯାଇଥିଲେ । ସେଠାରେ ଆର୍ଜେଡି ସୁପ୍ରିମୋ ତାଙ୍କୁ ସ୍ୱାଗତ କରିବା ପାଇଁ ଅପେକ୍ଷାରେ ଥିଲେ । ଲାଲୁ ରାହୁଲଙ୍କୁ ସ୍ୱାଗତ କରିବା ସହ ତାଙ୍କୁ ଆଲିଙ୍ଗନ କରିଥିଲେ । ରାଜନୈତିକ ଦୃଷ୍ଟିରୁ ଏହି ଦୃଶ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏବେ କୁହାଯାଉଛି ଯେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ରାହୁଲ ହେବେ ପ୍ରଧାନମନ୍ତ୍ରୀ ପଦର ଦାବିଦାର୍ । ବିଜେପି ପାଇଁ ବଡ଼ ଆହ୍ୱାନ ଭାବେ ଛିଡ଼ା ହେବେ ରାହୁଲ। ୨୦୧୪ରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ହିନ୍ଦୁତ୍ୱ ବିଚାରଧାରାକୁ ନେଇ କାର୍ଯ୍ୟ କରୁଛନ୍ତି ।
ମୋଦିଙ୍କ ପଛରେ ଅଛି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ । କେବଳ କମ୍ୟୁନିଷ୍ଟ ପାର୍ଟିକୁ ଛାଡ଼ି ଦେଲେ ବିରୋଧୀ ମେଣ୍ଟରେ ଲାଲୁ ପ୍ରସାଦ ଯାଦବ ଏବଂ ରାହୁଲ ଗାନ୍ଧି ବିଜେପି ଓ ଆରଏସ୍ଏସ୍ ବୈଚାରିକ ଦୃଷ୍ଟିରୁ ଚ୍ୟାଲେଞ୍ଜ୍ ଦେଉଛନ୍ତି । ଲାଲୁ ଏବଂ ରାହୁଲଙ୍କର ପ୍ରତ୍ୟକ୍ଷ ବା ଅପ୍ରତ୍ୟକ୍ଷ ଭାବରେ ବିଜେପି ସହ କୌଣସି ସମ୍ପର୍କ ନାହିଁ । ଏହି ଦୁଇ ନେତା ଧର୍ମ ନିରପେକ୍ଷତାର କଥା କହି ଆସୁଛନ୍ତି ।
୨୬ ଦଳ ବିଶିଷ୍ଟ ‘ଇଣ୍ଡିଆ’ ମେଣ୍ଟର ଏହି ଦୁଇ ନେତା ହେଉଛନ୍ତି ବଡ଼ ଶକ୍ତି । କଂଗ୍ରେସ ନେତୃତ୍ୱାଧୀନ ଉପା ଶାସନ ସମୟରେ ଯେତେବେଳେ ଗୋଖାଦ୍ୟ ଦୁର୍ନୀତିକୁ ନେଇ ବଡ଼ ରାୟ ଆସିବା ପୂର୍ବରୁ ରାହୁଲ ଗାନ୍ଧି ସର୍ବଜନିକ ଭାବରେ ଗୋଟିଏ ଅଧ୍ୟାଦେଶ ଚିରି ଦେଇଥିଲେ । ଏହି ଅଧ୍ୟାଦେଶ ଥିଲା ଜନପ୍ରତିନିଧିଙ୍କ ଅଯୋଗ୍ୟତା ସମ୍ପର୍କିତ । ରାହୁଲ ଏହି ଅଧ୍ୟାଦେଶକୁ ଚିରି ଲାଲୁଙ୍କ ସଦସ୍ୟ ଅଯୋଗ୍ୟତାକୁ ବଞ୍ଚାଇ ଦେଇଥିଲେ ।
୧୯୯୬ରେ ଯେତେବେଳେ କଂଗ୍ରେସ ଭିତରେ ଏବଂ କଂଗ୍ରେସ ବାହାରେ ରାହୁଲଙ୍କ ମା’ ସୋନିଆ ଗାନ୍ଧିଙ୍କୁ ବିଦେଶିନୀ କହି ବିରୋଧ କରାଯାଇଥିଲା ସେତେବେଳେ ଲାଲୁ ଏକମାତ୍ର ନେତା ଯିଏ ଭାରତର ବୋହୂ କହି ସୋନିଆଙ୍କ ସପକ୍ଷରେ ଦୃଢ଼ ମତ ରଖିଥିଲେ ।
ଲାଲୁ ପ୍ରସାଦ ଯାଦବଙ୍କର ରାଜନୈତିକ ଜୀବନର ଆରମ୍ଭ ୧୯୭୪ର ଛାତ୍ର ନେତା ଏବଂ ଜୟପ୍ରକାଶ ନାରାୟଣଙ୍କ ସମ୍ପୂର୍ଣ୍ଣକ୍ରାନ୍ତି ଆନେ୍ଦାଳନରୁ ଆରମ୍ଭ ହୋଇଥିଲା ।

ଲାଲୁ ଏହି ସମୟରେ କଂଗ୍ରେସକୁ ବିରୋଧ କରି ରାଜନୀତିରେ ନିଜର ପରିଚୟ ତିଆରି କରିଥିଲେ। ଲାଲୁ ବିହାରର ମୁଖ୍ୟମନ୍ତ୍ରୀ ଥିବାବେଳେ ଲାଲକୃଷ୍ଣଙ୍କର ରଥଯାତ୍ରାକୁ ବନ୍ଦ କରିବା ଓ ତାଙ୍କୁ ଗିରଫ କରି ତାଙ୍କ ସାହସ ପ୍ରଦର୍ଶନ କରିଥିଲେ । କିନ୍ତୁ ତାଙ୍କ ପାଇଁ ବଡ଼ ବାଧାଦେଲା ତାଙ୍କ ଶାସନ ସମୟରେ ଦୁର୍ନୀତି। ଏହି ଦୁର୍ନୀତି ଲାଲୁଙ୍କ ରାଜନୈତିକ ଜୀବନର ସ୍ୱଚ୍ଛତା ଉପରେ କଳାଦାଗ ଲଗାଇଲା । ଲାଲୁଙ୍କ ସ୍ୱର ଦୁର୍ନୀତିକୁ ନେଇ ଦୁର୍ବଳ ହେଲା ।
କିନ୍ତୁ ଧର୍ମନିରପେକ୍ଷତାକୁ ନେଇ ରାହୁଲଙ୍କ ସହ ହାତ ମିଳାଇଛନ୍ତି ଲାଲୁ । ରାହୁଲ-ଲାଲୁ ଏକାଠି ହେବା ପରେ ବିଜେପି ପାଇଁ ବଡ଼ ଚ୍ୟାଲେଞ୍ଜ ଭାବେ ଠିଆ ହେବେ ।
ଜାନୁଆରୀ ୨୦୧୪ରେ ଲାଲୁ ପ୍ରସାଦ ଯାଦବ କହିଥିଲେ ଭବିଷ୍ୟତରେ ଦୁଇଟି ଧ୍ରୁବୀୟ ମେଣ୍ଟ ହେବ । ଗୋଟିଏ ସିକ୍ୟୁଲାର ଆଉ ଗୋଟିଏ ସାମ୍ପ୍ରଦାୟିକ । ଏହି ସିକ୍ୟୁଲାରବିଚାରକୁ ନେଇ ବିଜେପିର ଗତିକୁ ଅଟକାଇବା ପାଇଁ ଯେଉଁ ଉଦ୍ୟମ ଆରମ୍ଭ ହୋଇଛି ତାହାର ଯୋଦ୍ଧା ଭାବରେ ଠିଆ ହୋଇଛନ୍ତି ଲାଲୁ ଓ ରାହୁଲ ।

 

Leave a Reply

Your email address will not be published. Required fields are marked *