ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ନାଳରେ ଭାସୁଛି ସାର୍କର ମୃତଦେହ । ବାଲେଶ୍ୱର ଜିଲ୍ଲାର ସୋର ଥାନା ଶ୍ରୀଜଙ୍ଗ ପଞ୍ଚାୟତ କଣ୍ଟିଆଚେରା ସୁଟିଂପାହି ନିକଟରେ ସାର୍କର ମୃତଦେହ ପଡିଥିଲା । ଏହି ଖବର ଚାରିଆଡେ ପ୍ରଚାରିତ ହେବାପରେ ସେହି ସ୍ଥାନରେ ଲୋକଙ୍କ ଭିଡ ଲାଗିରହିଥିଲା । ରବିବାର ସକାଳେ ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ । ମୃତ ସାର୍କର ଓଜନ ୫ କ୍ୱିଣ୍ଟାଲରୁ ଅଧିକ ହେବ । ତାର ଲମ୍ବା ୧୦ ଫୁଟ ହେବ । ତେବେ ସାର୍କଟି ନାଳକୁ କେମିତି ଆସିଲା, ତାହା ବିଷୟରେ କାହାରିକୁ ଜଣା ନାହିଁ ।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ମତ୍ସ୍ୟଜୀବୀମାନେ ସମୁଦ୍ରକୁ ମାଛ ମାରିବାକୁ ଯାଆନ୍ତି । ୩ ଦିନ ତଳେ ଏହି ସାର୍କଟି ମତ୍ସ୍ୟଜୀବୀଙ୍କ ଜାଲରେ ପଡିଥିଲା । ମାତ୍ର ଏନେଇ ସ୍ଥାନୀୟ ଲୋକ ଅସନ୍ତୋଷ ପ୍ରକାଶ କରିବାରୁ ସାର୍କକୁ ସମୁଦ୍ରରେ ଛାଡି ଦେଇଥିବା କହିଥିଲେ । ମାତ୍ର ଆଜି ସ୍ଥାନୀୟ ଲୋକେ ଜାମୁକା ମୁହାଣରେ ମୃତ ସାର୍କ ପଡିଥିବା ଦେଖିବାକୁ ପାଇଥିଲେ । ଯାହାକୁ ଦେଖିବା ପରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପଟେ କୌଣସି ପଦାଧିକାରୀ ଘଟଣାସ୍ଥଳକୁ ଆସିନଥିବା ଜଣାପଡିଛି । ତାକୁ ଧିବରମାନେ କୂଳକୁ ଆଣିଥିଲେ । ସମୁଦ୍ର କୂଳରେ ସାର୍କ ପଡିଥିବା ଦେଖି ଛୋଟ ପିଲାମାନେ ନାଳକୁ ଟାଣିଆଣିଥିବା ଚର୍ଚ୍ଚା ହେଉଛି ।