Before Header

ସ୍ମାର୍ଟ ସିଟିରେ ସ୍ମାର୍ଟ ଲୁଟେରା

0 45

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ଆଜିକାଲି ସ୍ମାର୍ଟ ଯୁଗରେ ସ୍ମାର୍ଟ ହେଲାଣି ବ୍ୟବସାୟ । ଅନଲାଇନରେ ବହୁତ ଦାମୀ ଜିନିଷ ମିଳୁଛି ଶସ୍ତାରେ । ଲୋଭନୀୟ ବିଜ୍ଞାପନ ଦେଖି କୌଣସି ସାମଗ୍ରୀ ଯଦି ଅନଲାଇନରେ କ୍ରୟ କରିବାକୁ ଚାହୁଁଛନ୍ତି, ତେବେ ସାବଧାନ ହୋଇଯାନ୍ତୁ । କାରଣ ସବୁ ବିଜ୍ଞାପନ ସତ ନଥାଏ, କିମ୍ବା ସବୁ ଅନ୍‌ଲାଇନ୍ ବ୍ୟବସାୟ ଠିକ୍ ନଥାଏ । କିଛିଦିନ ତଳେ ମଦର ହୋମ୍ ଡେଲିଭରି ନାଁରେ ଯେଭଳି ଲୁଟ୍‌ପାଟ୍ ଚାଲିଲା, ସେ କଥା ଆପଣଙ୍କର ମନେଥିବ ନିଶ୍ଚୟ । ଏବେ କିନ୍ତୁ ଆଉ ଏକ ଘଟଣା ସାମ୍ନାକୁ ଆସିଛି ରାଜଧାନୀରେ। ଏକ ପ୍ରତିଷ୍ଠିତ ହୋଟେଲ୍ ନାଁରେ ଅନ୍‌ଲାଇନ୍ ଫୁଡ୍ ଅର୍ଡର ବିଜ୍ଞାପନ ଦେଇ ଗ୍ରାହକଙ୍କ ଆକାଉଣ୍ଟରେ ଦୁର୍ବୃତ୍ତ ବୁଲାଉଛନ୍ତି କଳାକନା । ଘଟଣା ସାମ୍ନାକୁ ଆସିବା ପରେ ସଂପୃକ୍ତ ହୋଟେଲ୍ ମାଲିକ ଏବେ ପୁଲିସର ଆଶ୍ରୟ ନେଇଛନ୍ତି ।

ପ୍ରଥମେ ମଦର ହୋମ୍ ଡେଲିଭରି ନାଁରେ ଟଙ୍କା ଠକେଇ ପରେ ଏବେ ଅନ୍‌ଲାଇନ୍‌ରେ ଫୁଡ୍ ଅର୍ଡର୍ ନାଁରେ ଦୁର୍ବୃତ୍ତଙ୍କ ଲୁଟ୍ । ସମାନ ଷ୍ଟାଇଲ୍, ସମାନ ଫଣ୍ଡା ଅପଣେଇଛନ୍ତି ସ୍ମାର୍ଟ ଲୁଟେରା । ରାଜଧାନୀର ତ୍ରିନାଥ ମହାରଣା ଏକ ପ୍ରତିଷ୍ଠିତ ହୋଟେଲ୍ ନାଁରେ ଫେସ୍‌ବୁରେ ପ୍ରକାଶ ପାଇଥିବା ବିଜ୍ଞାପନର ଲିଙ୍କ ପାଇଥିଲେ ତାଙ୍କର ଜଣେ ବନ୍ଧୁଙ୍କ ଠାରୁ । ଯେଉଁଥିରେ ଗୋଟିଏ ଥାଳିରେ ୨ଟି ଥାଳି ଫ୍ରି ଲେଖାଥିଲା । ଏହାଦେଖି ଲିଙ୍କ୍ ଓପନ୍ କରି ନିଜର ସମ୍ପୂର୍ଣ୍ଣ ବିବରଣୀ ଦେଲେ ତ୍ରିନାଥ । ଏହା ପରେ ମେମ୍ବରସିପ୍ ବାବଦକୁ ୧୦ଟଙ୍କା ପୈଠ କଲେ ଅନ୍‌ଲାଇନରେ।

୫ ମିନିଟ୍ ପରେ ନିଜକୁ ସଂପୃକ୍ତ ହୋଟେଲ କର୍ମଚାରୀ ବୋଲି ପରିଚୟ ଦେଇ ତ୍ରିନାଥଙ୍କୁ ଫୋନ୍ କଲା ଜଣେ ବ୍ୟକ୍ତି । ଆପ୍ ଡାଉନଲୋଡ଼ ସହ ନିର୍ଦ୍ଦିଷ୍ଟ ଏକ ଆଇଡି ଖୋଲିବା ପାଇଁ ବି କହିଥିଲା । କିଛି ସମୟ ମଧ୍ୟରେ ତ୍ରିନାଥଙ୍କ ମୋବାଇଲକୁ ଆସିଲା ୯,୯୯୯ ଟଙ୍କା କଟିବା ପାଇଁ ଏକ ଓଟିପି । ଏତିକି ଦେଖିବା ପରେ ଚାଲାକ୍ ହୋଇଗଲେ ତ୍ରିନାଥ । ଆଉ ନିଜର କ୍ରେଡିଟ୍ କାର୍ଡକୁ ସୌଭାଗ୍ୟବଶତଃ ବ୍ଲକ କରାଇଦେଲେ ।

ଦିନେ କି ଅଧେ ନୁହେଁ, ଆଜକୁ ପ୍ରାୟ ୧୫ ଦିନ ହୋଇଗଲାଣି ଏଭଳି ଅନ୍‌ଲାଇନ୍ ଠକେଇ ଚାଲିଛି । ବିଡ଼ିଏ ଅଫିସ ନିକଟ ଏହି ପ୍ରତିଷ୍ଠିତ ହୋଟେଲ୍ ନାଁରେ ବିଜ୍ଞାପନ ପ୍ରକାଶ କରି ଗତ ୧୨ ତାରିଖରୁ ଠକେଇର ଜାଲ ବିଛାଇଛନ୍ତି ଦୁର୍ବୃତ୍ତ । ଇତିମଧ୍ୟରେ ପ୍ରାୟ ୫୦ ଗ୍ରାହକ ଗୋଟିଏ ଥାଳିରେ ୨ଟି ଥାଳି ଫ୍ରି ବିଜ୍ଞାପନ ଦେଖି ଲୁଟ୍‌ର ଶିକାର ହୋଇଥିବା କହିଛନ୍ତି ହୋଟେଲ୍ କର୍ତ୍ତୃପକ୍ଷ। ହୋଟେଲ୍ ପକ୍ଷରୁ କୁହାଯାଇଛି ଯେ, ହୋଟେଲର ସେଭଳି କୌଣସି ୱେବସାଇଟ୍ ନାହିଁ । କିମ୍ବା କୌଣସି ଅଫର୍ ଦିଆଯାଇନି। ଏହି ଘଟଣା ପରେ ଗତ ୧୬ ତାରିଖରେ ହୋଟେଲ୍ କର୍ତ୍ତୃପକ୍ଷ ଥାନାରେ ଏତଲା ଦେଇଥିବା କହିଛନ୍ତି।

ଅନ୍‌ଲାଇନ୍‌ରେ ଏଭଳି ଠକାମୀ ନୂଆ ନୁହେଁ । ଭୁବନେଶ୍ୱରର ଜଣେ ମହିଳା ଗ୍ରାହକ ଲୋଭନୀୟ ଅଫର୍ ଦେଖି ଅନ୍‌ଲାଇନ୍‌ରେ ବୁକ୍ କରିଥିଲେ ଜ୍ୟାକେଟ୍ ସହ କୁର୍ତ୍ତା । ସାମଗ୍ରୀ ପହଞ୍ଚିବା ପରେ ୮୯୯ ଟଙ୍କା ପୈଠ କରି ପ୍ୟାକେଟ୍ ଗ୍ରହଣ କଲେ । କିନ୍ତୁ ପ୍ୟାକେଟରେ ଥିଲା ବ୍ୟବହୃତ ପୋଷାକ। ଏବେ ସେ ଫେରାଇବାକୁ ଚାହୁଁଥିଲେ ବି ସମ୍ଭବ ହେଉନଥିବା ଅଭିଯୋଗ କରିଛନ୍ତି । ଏତେସବୁ ପରେ ମଧ୍ୟ ଓଡ଼ିଶା ସାଇବର କ୍ରାଇମ ବିଭାଗ କରୁଛି କ’ଣ ବୋଲି ପ୍ରଶ୍ନ ଉଠାଇଛନ୍ତି ରାଜଧାନୀ ବାସିନ୍ଦା।

Leave A Reply

Your email address will not be published.