ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପ୍ରେମ ଶାସ୍ୱତ ପ୍ରେମ ଚିରନ୍ତନ । ପ୍ରେମ ବିନା ଜୀବନ ଜିଇଁବା ଅସମ୍ଭବ । ପ୍ରତ୍ୟେକ ମଣିଷର ଜୀବନରେ କେବେନା କେବେ ପ୍ରେମ ଆସିଥାଏ । ଖାସକରି ଜୀବନରେ ପ୍ରଥମ ପ୍ରେମର ଅନୁଭୂତି ବେଶ ନିଆରା। କିଏ ପ୍ରଥମ ପ୍ରେମକୁ ଜୀବନ ସାଥୀ ଭାବରେ ପାଇ ସୌଭାଗ୍ୟ ମଣେ ତ କିଏ ସାରା ଜୀବନ ପ୍ରେମିକାର ସ୍ମୃତିକୁ ସାରା ଜୀବନ ସାଇତି ରଖେ। ସେଇଭଳି ପ୍ରଥମ ଦିନରୁ ପ୍ରେମିକା ପ୍ରତି ଥିବା ଭଳପାଇବାକୁ ପରିଣତ ବୟସ ଯାଏଁ ସାଇତି ରଖିଛନ୍ତି ରାଜସ୍ଥାନରେ ରହୁଥିବା ଜଣେ ୮୨ ବର୍ଷୀୟ ବୃଦ୍ଧ। ୫୦ ବର୍ଷ ପରେ ସେ ତାଙ୍କ ପ୍ରଥମ ପ୍ରେମିକାଙ୍କୁ ଫେରିପାଇଛନ୍ତି। ତାଙ୍କର ସେ ପ୍ରେମିକା ଜଣକ ଜଣେ ବିଦେଶିନୀ।

୭୦ ଦଶକରେ ଜଣେ ଅଷ୍ଟ୍ରେଲୀୟ ଯୁବତୀ ରାଜସ୍ଥାନକୁ ବୁଲିବାକୁ ଆସିଥିଲେ, ଏହାରି ଭିତରେ ଜଣେ ଜଗୁଆଳିକୁ ସେ ପ୍ରେମ କରିବସିଥିଲେ। ଦୁଇ ଜଣଙ୍କ ପ୍ରେମ ସମ୍ପର୍କ କ୍ରମଶଃ ନିବିଡ ପାଲଟୁଥିଲା । ହଠାତ ଦୁହିଁଙ୍କ ସମ୍ପର୍କରେ ଭଟ୍ଟା ପଡିଲା । ପରସ୍ପର ଠାରୁ ଦୂରେଇ ଯିବାକୁ ହେଲା । ‘ହ୍ୟୁମାନ୍ସ ଅଫ୍ ବମ୍ବେଦ ଫେସବୁକ୍ ପେଜରେ ୫୦ ବର୍ଷ ତଳେ ଅଧୁରା ରହିଯାଇଥିବା ପ୍ରେମକାହାଣୀ ବିଷୟରେ କହିଛନ୍ତି ଏହି ବ୍ୟକ୍ତି ଜଣକ। ସେ କହିଛନ୍ତି, ମୋର ବୟସ ସେତେବେଳେ ୩୦ ବର୍ଷ ଥିଲା, ଯେବେ ମୋର ପ୍ରଥମଥର ମରିନାଙ୍କ ସହ ଦେଖା ହୋଇଥିଲା। ମରୁଭୂମିରେ ସଫାରୀ କରିବା ପାଇଁ ଅଷ୍ଟ୍ରେଲିଆରୁ ସେ ଜୈସଲମେର ଆସିଥିଲେ। ମରିନାଙ୍କର ଯାତ୍ରା ୫ ଦିନର ଥିଲା। ତାଙ୍କୁ ମୁଁ ଓଟ ଚଳାଇବା ଶିଖାଇଥିଲି। ୧୯୭୦ ମସିହା ଥିଲା ସେତେବେଳେ, ଆଉ ପ୍ରଥମ ଦେଖାରେ ଆମେ ପରସ୍ପରକୁ ଭଲ ପାଇ ବସିଥିଲୁ।

ହେଲେ ମୋତେ ତାଙ୍କୁ ପ୍ରପୋଜ୍ କରିବାକୁ ଲାଜ ଲାଗୁଥିଲା। ସେ ମୋତେ ପ୍ରଥମ ଥର ‘ଆଇ ଲଭ୍ ୟୁ’ କହିଥିଲେ। ତାଙ୍କଠାରୁ ଏହି ତିନୋଟି ଶବ୍ଦ ଶୁଣିବା ପରେ ମୁଁ ଲାଜରେ ଲାଲ୍ ହୋଇଯାଇଥିଲି। ମରିନା ଅଷ୍ଟ୍ରେଲିଆ ଫେରିଯାଇଥିଲେ, ହେଲେ ଆମେ ପରସ୍ପର ଯୋଗାଯୋଗରେ ଥିଲୁ। ସେ ମୋତେ ପ୍ରତି ସପ୍ତାହରେ ଚିଠି ଲେଖୁଥିଲେ। ମୋତେ ସେ ଅଷ୍ଟ୍ରେଲିଆ ଡକାଇଥିଲେ। ମୁଁ ଘରୁ ୩୦ ହଜାର ଟଙ୍କା ନେଇ ମେଲବୋର୍ଣ୍ଣ ଯାଇଥିଲି। ମରିନା ଓ ମୁଁ ଏକାଠି ତିନି ମାସ ରହିଥିଲୁ। ସେ ସମୟ ମୋ ପାଇଁ ଖୁବ୍ ଆନନ୍ଦ ଦାୟକ ଥିଲା। ମୁଁ ତାଙ୍କଠାରୁ ଇଂଲିସ କହିବା ଶିଖିଲି। ଏହାପରେ ସେ ମୋତେ କହିଥିଲେ ଚାଲ ବାହା ହୋଇଯିବା ଓ ଅଷ୍ଟ୍ରେଲିଆରେ ରହିବା। ମୋ ପାଇଁ ନିଜର ଜନ୍ମଭୂମି ଛାଡି ଅଷ୍ଟ୍ରେଲିଆରେ ରହିବା କଷ୍ଟକର ଥିଲା। ମରିନା ଭାରତରେ ରହିବାକୁ ଚାହୁଁନଥିଲେ ଓ ମୁଁ ଅଷ୍ଟ୍ରେଲିଆରେ।

ଶେଷରେ ଆମେ ଅଲଗା ହେବାର ନିଷ୍ପତ୍ତି ନେଇଥିଲୁ।ଘର ଲୋକ ପରେ ମୋର ବାହାଘର କରିଦେଲେ। ମରିନା ସବୁବେଳେ ମନ ଭିତରେ ଥିଲେ, ସେ ବାହା ହୋଇଛନ୍ତି କି ନାହିଁ, ସବୁବେଳେ ଭାବୁଥିଲି। ତେବେ ପରିବାରର ଜଞ୍ଜାଳ ଭିତରେ ବ୍ୟସ୍ତ ହୋଇଗଲି। ସବୁ ପିଲାମାନେ ବାହାହୋଇ ନିଜେ ନିଜର ଜୀବନରେ ଆଗକୁ ବଢାଇଲେଣି। ଦୁଇ ବର୍ଷ ତଳେ ମୋଦ ପତ୍ନୀଙ୍କର ପରଲୋକ ହୋଇଗଲା। ଆଉ ମୁଁ, ୮୨ ବର୍ଷର ବୁଢା, ଭାରତର ଭୂତିଆ ଗାଁରେ ସିକ୍ୟୁରିଟି ଅର୍ଥାତ ଗେଟ କିପର ଭାବରେ ଚାକିରି କରେ।

ଏକ ମାସ ତଳେ ମରିନା ମୋତେ ଲେଖିଥିଲେ କେମିତି ଅଛ ମୋର ବନ୍ଧୁ? ମୋର ଲୋମ ଟାଙ୍କୁରି ଉଠିଥିଲି। ୫୦ ବର୍ଷ ପରେ ସେ ମୋତେ ଖୋଜି ଦେଲେ। ଏବେ ସେ ମୋତେ ସବୁଦିନ କଲ୍ କରନ୍ତି। ସେ ଏପର୍ଯ୍ୟନ୍ତ ବିବାହ କରିନାହାନ୍ତି। ଖୁବ୍ ଶୀଘ୍ର ମରିନା ଭାରତ ଆସିବେ। ରାମଜୀଙ୍କ ରାଣ, ମୋତେ ଏପରି ଲାଗୁଛି ଯେପରି ମୁଁ ୨୧ ବର୍ଷର ଯୁବକ ହୋଇଯାଇଛି। ମୋତେ ଜଣାନାହିଁ ଭବିଷ୍ୟତରେ କ’ଣ ହେବ କିନ୍ତୁ, ମୋ ଜୀବନରେ ମୋର ପ୍ରଥମ ପ୍ରେମ ଫେରିଆସିଛି।

Leave a Reply

Your email address will not be published. Required fields are marked *