ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସାରା ଦେଶରେ ପେଗାସସ ଗୁପ୍ତଚର ମାମଲା ଥମିବାର ନାଁ ନେଉନି । ଏନେଇ ବାରମ୍ବାର ବିଧାନସଭାରେ ବିରୋଧୀ ଦଳ ଏହି ପ୍ରସଙ୍ଗକୁ ଉଠାଉଥିବାବେଳେ ସରକାର ଏହାକୁ ଅଣଦେଖା କରୁଥିବାର ଦେଖିବାକୁ ମିଳିଛି । ଏପରିକି ଏନେଇ କେନ୍ଦ୍ର ସରକାର କୌଣସି ପ୍ରତିକ୍ରିୟା ମଧ୍ୟ ଦେଉନାହିଁ । ଏହା ମଧ୍ୟରେ ପେଗାସସ ଗୁପ୍ତଚର ମାମଲାରେ କୋର୍ଟଙ୍କ ତତ୍ତ୍ୱବଧାନରେ ସୁପ୍ରିମକୋର୍ଟ ଏସଆଇଟି ଯାଞ୍ଚ ଆବେଦନର ଶୁଣାଣି କରିଥିଲେ । ତେବେ ଆସନ୍ତା ୨-୩ ଦିନ ମଧ୍ୟରେ ଏହି ରାୟ ପ୍ରକାଶ କରାଯାଇ ପାରେ ବୋଲି ସୂଚନା ମିଳିଛି । ଅପରପକ୍ଷରେ ସରକାର ଏହି ପ୍ରସଙ୍ଗକୁ ସମ୍ବେଦନଶୀଳ କରିବାରେ ସକ୍ଷମ ନୁହଁନ୍ତି । ନାଗରିକଙ୍କ ଗୋପନୀୟତା ରକ୍ଷା କରିବା ମଧ୍ୟ ସରକାରଙ୍କ ପ୍ରାଥମିକତା । କିନ୍ତୁ ସରକାର ଜାତୀୟ ସୁରକ୍ଷା ଉପରେ ପ୍ରତିବନ୍ଧକ ଲଗାଇ ପାରିବେ ନାହିଁ ବୋଲି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ।

କେବଳ ଏତିକି ନୁହେଁ ବରଂ ବାରମ୍ବାର ବିରୋଧୀ ଦଳ ଏହି ପ୍ରସଙ୍ଗକୁ ଉଠାଉଥିବାକୁ ନେଇ ମଧ୍ୟ ସେ କହିଛନ୍ତି । ତେବେ ବିରୋଧୀ ଦଳଙ୍କ ହସ୍ତକ୍ଷେପ କରିବା କୌଣସି ପ୍ରକାରର ବେଆଇନ ନୁହେଁ । ଏକ ବିଶେଷ କମିଟି ଦ୍ୱାରା ଏହି ସମସ୍ତ ଅନୁସନ୍ଧାନ କରାଯାଉ । ଯିଏକି କେନ୍ଦ୍ର ସରକାରଙ୍କ ସହିତ କୌଣସି ସମ୍ପର୍କ ରଖିବେ ନାହିଁ । ସେମାନଙ୍କ ରିପୋର୍ଟ ସିଧାସଳଖ ସୁପ୍ରିମକୋର୍ଟକୁ ଆସିବ । ଅନ୍ୟପଟେ କେନ୍ଦ୍ର ସରକାର ଏହାର ବିପରୀତ କଥା କହିଛନ୍ତି । ଆଫିଡେଭିଟ ମାଧ୍ୟମରେ ଆମେ ଏହି ସୂଚନା ସାର୍ବଜନୀନ କରିପାରିବୁ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ବାସ୍ତବରେ ଯଦି ଆମେ ଦେଖିବା ତାହାଲେ କୌଣସି ନିଦ୍ଧିଷ୍ଟ ସଫ୍ଟୱେର କିମ୍ବା ଏନେଇ କୌଣସି ସୂଚନା ସାର୍ବଜନୀନ କରିବା ଦେଶ ପାଇଁ ସୁରକ୍ଷା ନୁହେଁ । କାହିଁକିନା ଏପରି କଲେ ଆତଙ୍କବାଦୀମାନେ ଉକ୍ତ ଟେକ୍ନୋଲୋଜିକୁ ହ୍ୟାକ କରିବା ପାଇଁ ଷଡ଼ଯନ୍ତ୍ର ରଚିପାରନ୍ତି ବୋଲି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି । ଅନ୍ୟପଟେ ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଏସ ବୋପାନ୍ନାଙ୍କ ବେଞ୍ଚ ଦ୍ୱାରା ଏହି ମାମଲାର ଶୁଣାଣି କରାଯାଇଥିଲା । ଶୁଣାଣି ସମୟରେ ସୁପ୍ରିମକୋର୍ଟ ପେଗାସସ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏନେଇ CJI ରାମନା ମଧ୍ୟ ବଡ଼ ବୟାନ ଦେଇଛନ୍ତି । ତେବେ ସମସ୍ତେ ସମାନ ଜିନିଷକୁ ହିଁ ମୁଖ୍ୟ ପ୍ରସଙ୍ଗ କରିବା ପାଇଁ ଚେଷ୍ଟା କରୁଛନ୍ତି । ଏପରି କଲେ ପ୍ରସଙ୍ଗର ଦୁଇପାର୍ଶ୍ୱ ଉପରେ ଦୃଷ୍ଟି ପକାଇବା ଅସମ୍ଭବ । ଆମେ ଜାଣିବାକୁ ଚାହୁଁଛୁ ଯେ ସରକାର କଣ କରୁଛନ୍ତି ? ଆମେ ଜାତୀୟ ସ୍ୱାର୍ଥ ପ୍ରସଙ୍ଗରେ ଯାଉନାହିୁଁ । ଆମର ସୀମିତ ଚିନ୍ତା କେବଳ ଲୋକମାନଙ୍କ ପାଇଁ ହିଁ ରହିଛି । ସରକାର ଏହି ପ୍ରସଙ୍ଗକୁ କେତେ ଗଭୀର ଭାବରେ ତନାଘନା କରୁଛନ୍ତି, ତାହା ଜାଣିବା ପାଇଁ ହେଲେ ସରକାରଙ୍କ ଆଫିଡେଭିଟ ଦେଖାଇବା ଆବଶ୍ୟକ ।

ଏନେଇ ୨୦୧୯ରେ ସଂସଦରେ ଆଇଟିମନ୍ତ୍ରୀ ବଡ଼ ବିବୃତ୍ତି ଦେଇଥିଲେ । ବିବୃତ୍ତି ଅନୁଯାୟୀ ବୈଷୟିକ ବିଶ୍ଳେଷଣ ବିନା ଫୋନର ମୂଲ୍ୟାଙ୍କନ କରିବା କଷ୍ଟକର । ତେବେ ତତ୍କାଳୀନ ଆଇଟି ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ଦ୍ୱାରା ଏପରି ବିବୃତ୍ତି ଦିଆଯାଇଥିଲା ବୋଲି CJI ଉଲ୍ଲେଖ କରିଛନ୍ତି । ହେଲେ ବର୍ତ୍ତମାନର ଆଇଟିମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ପେଗାସସ ଗୁପ୍ତଚର ମାମଲାକୁ ସିଧାସଳଖ ଅସ୍ୱୀକାର କରିଛନ୍ତି । ଏହା ସହ ଆମେ ବାରମ୍ବାର କେନ୍ଦ୍ରକୁ ଆଫିଡେଭିଟ ପାଇଁ ସୁଯୋଗ ଦେଇଛୁ । ହେଲେ ସରକାର ଏପରି କରିବାରେ ଅବହେଳା ଦେଖାଇଥିଲେ । କିନ୍ତୁ ବର୍ତ୍ତମାନ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବା ବ୍ୟତୀତ ଅନ୍ୟକୌଣସି ବିକଳ୍ପ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ଉପରେ କଠୋର ଆଭିମୁଖ୍ୟ ରଖି CJI କହିଛନ୍ତି । ଏଇଠି ପ୍ରଶ୍ନ ଉଠୁଛି, କମିଟି ଓ ଅନୁସନ୍ଧାନର ନିଯୁକ୍ତିକୁ ହିଁ ସରକାର କାହିଁକି ମୁଖ୍ୟ ପ୍ରସଙ୍ଗ ଭାବରେ ନେଉଛନ୍ତି ? ସରକାର କାହିଁକି ଆଫିଡେଭିଟ ଦାଖଲ କରୁନାହାଁନ୍ତି ? ଯଦି ସରକାର ଆଫିଡେଭିଟ ଦାଖଲ କରୁଛନ୍ତି ତାହାଲେ ସରକାରଙ୍କ ଷ୍ଟାଣ୍ଟ କଣ ତାହା ସମସ୍ତେ ଜାଣିପାରିବା । ଏବଂ ଏହି ପ୍ରସଙ୍ଗକୁ ନେଇ ଦେଶରେ ହେଉଥିବା ଚର୍ଚ୍ଚା ମଧ୍ୟ କମ ହୋଇପାରିବ । ଏହା ସହ ସରକାରଙ୍କୁ ଏନେଇ ଜବାବ ଦେବା ତାଙ୍କର କର୍ତ୍ତବ୍ୟ ନା ଏପ୍ରସଙ୍ଗକୁ ଅଣଦେଖା କରିବା !

ଅନ୍ୟପଟେ ଯଦି ଆମେ ଦେଖିବା ତାହାଲେ ସଫ୍ଟୱେରଟି ସମ୍ପୂର୍ଣ୍ଣ ଭାବରେ ବେଆଇନ ଅଟେ । ଯଦି ସରକାର ଆଫିଡେଭିଟ ଦାଖଲ କରିବେ ନାହିଁ, ତାହାଲେ ପେଗାସସ ବେଆଇନ ଭାବରେ ବ୍ୟବହାର କରାଯାଉଛି ବୋଲି ବିଚାର କରାଯିବ । ତେବେ ବର୍ତ୍ତମାନ ଦେଖିବାର ବିଷୟ ଯେ ସରକାରଙ୍କର ଆଖି କେବେ ଖୋଲୁଛି ଏବଂ ଏନେଇ କେବେ ଆଫିଡେଭିଟ ଦାଖଲ କରୁଛନ୍ତି !

Leave a Reply

Your email address will not be published. Required fields are marked *