କାବୁଲ(ବଡ଼ ଖବର ବ୍ୟୁରୋ): ପଞ୍ଜଶିରକୁ କବଜା କରିବା ପାଇଁ ଏବେ ଜୋରଦାର ଉଦ୍ୟମ କରୁଛି ତାଲିବାନ । ହେଲେ ଏ ଯାଏଁ ପଞ୍ଜଶିରକୁ ଦଖଲ କରିପାରିନାହିଁ । କିନ୍ତୁ ପଞ୍ଜଶିରର ଏକ ବଡ ଅଂଶକୁ ଦଖଲ କରିଥିବା ନେଇ ତାଲିବାନୀମାନେ ଦାବି କରିଛନ୍ତି । ଏହାସହ ଆଫଗାନର ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କ ପଞ୍ଜଶିର ସ୍ଥିତ ବାସଭବନରେ ତାଲିବାନୀମାନେ ରେଡ କରିଥିବା କହିଛନ୍ତି ।
ତେବେ ଏହି ରେଡ ବେଳେ ଅମରୁଲ୍ଲା ସାଲେହଙ୍କ ଘରୁ ୬.୫ ମିଲିୟନ ଡଲାର ବା ପ୍ରାୟ ୪୮ କୋଟି ଟଙ୍କା ତାଲିବାନୀମାନେ ପାଇଥିବା ନେଇ ଏକ ଟ୍ୱିଟ କରିଛନ୍ତି । ସେ ଏହାର ଭିଡିଓ ମଧ୍ୟ ରେକର୍ଡ କରି ଟ୍ୱିଟ କରିଛନ୍ତି । ଏହି ଭିଡିଓରେ ସେ କହିଛନ୍ତି ଯେ, ଅମରୁଲ୍ଲା ସାଲେହଙ୍କ ପାଖରେ ଚୋରି କରିଥିବା ଟଙ୍କା ରହିଛି । ରେଡ ବେଳେ ୬.୫ ମିଲିୟନ ଡଲାର ଓ ସୁନାର ଇଟା ଠାବ କରିଛୁ । ଆଗକୁ ଆହୁରି ଟଙ୍କା ଓ ସୁନା ମିଳିବ ବୋଲି ମଧ୍ୟ ସେମାନେ କହିଛନ୍ତି ।
ଏହି ଭିଡିଓରେ ତାଲିବାନୀମାନେ ଟଙ୍କା ବିଡାକୁ ବ୍ୟାଗରେ ଭର୍ତ୍ତି କରୁଥିବା ଦେଖିବାକୁ ମିଳିଛି । ତେବେ ଏହି ଟଙ୍କା ସେମାନେ ଅମରୁଲ୍ଲା ସାଲେହଙ୍କ ଘରୁ ପାଇଥିବା ନେଇ ତାଲିବାନୀମାନେ ଦାବି କରିଛନ୍ତି । ଯଦି ଏହି ଦାବିରେ କୌଣସି ସତ୍ୟତା ଅଛି ତେବେ ଏହା ବିଦ୍ରୋହଙ୍କୁ ଏକ ଶକ୍ତ ଝଟକା ସଦୃଶ ହେବ ।