ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କେବଳ ଭାରତରେ ନୁହେଁ ବିଶ୍ୱରେ ରେଡିଓର ରହିଛି ଏକ ସ୍ୱତନ୍ତ୍ର ସ୍ଥାନ । ଆଜି ବି ଗ୍ରାମାଞ୍ଚଳରେ ଦେଖିବାକୁ ମିଳେ ରେଡିଓ । ଭିଡ଼ ଭିତରେ ଟେଲିଭିଜନକୁ ଛାଡ଼ି ଅନେକ ଲୋକେ ଶୁଣନ୍ତି ରେଡିଓ । ଆଜିର ଯୁବପିଢିଙ୍କ ହୃଦୟରେ ବି ଅଛି ରେଡିଓ ବା ବେତାର ଯନ୍ତ୍ର । କର୍ମମୟ ଜଞ୍ଜାଳରୁ ଟିକେ ସମୟ କାଢି ଯବୁପିଢି ହୁଅନ୍ତୁ ବା ବୟସ୍କ ଲୋକେ ରେଡିଓ ଶୁଣିବା ପାଇଁ ଭଲପାଆନ୍ତି । ତେବେ ଭାରତରେ ପ୍ରଥମ ପ୍ରସାରଣର ମାଧ୍ୟମ ହେଉଛି ଅଲ୍ ଇଣ୍ଡିଆ ରେଡିଓ (ଏଆଇଆର) ।
ରେଡିଓ ପ୍ରସାରଣର ସ୍ମୃତିକୁ ମନେପକେଇବା ନେଇ ପ୍ରତିବର୍ଷ ‘ଜାତୀୟ ପ୍ରସାରଣ ଦିବସ’ ଭାବରେ ପାଳନ କରାଯାଏ। ୨୩ ଜୁଲାଇ ୧୯୨୭ରେ ଭାରତୀୟ ବ୍ରୋଡକାଷ୍ଟିଂ କମ୍ପାନୀ ବମ୍ବେ ଷ୍ଟେସନ୍ରୁ ରେଡିଓ ପ୍ରସାରଣ ଆରମ୍ଭ ହୋଇଥିଲା । ସେବେଠାରୁ ସମ୍ବାଦ, ମ୍ୟାଚ୍ ପ୍ରସାରଣ ଏବଂ ମନୋରଞ୍ଜନ ଆକାରରେ ରେଡିଓ ପ୍ରସାରଣ ଭାରତୀୟ ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇ ଆସିଛି। ୧୮୮୦ରେ ବୈଦ୍ୟୁତିକ ଚୁମ୍ବକୀୟ ତରଙ୍ଗ ଆବିଷ୍କୃତ ହୋଇଥିଲା। ୧୮୯୦ ମସିହାରେ ମାର୍କୋନିଙ୍କ ଦ୍ୱାରା ରେଡିଓ ଉଦ୍ଭାବନ କରାଯାଇଥିଲା ।
କିନ୍ତୁ ତାଙ୍କୁ ଏହାର ପେଟେଣ୍ଟ ରେକର୍ଡ ୧୮୯୬ରେ ମିଳିଥିଲା। ଏହା ପରେ ମାର୍କୋନି ରେଡିଓର ଉଦ୍ଭାବକ ଭାବରେ ବିବେଚିତ ହୋଇଥିଲେ। ୧୯୨୭ ମସିହାରେ ଆଜିର ଦିନରେ ଦେଶର ପ୍ରଥମ ରେଡିଓ ପ୍ରସାରଣ ଘରୋଇ କମ୍ପାନୀ ଭାରତୀୟ ବ୍ରୋଡ୍କାଷ୍ଟିଂ କମ୍ପାନୀ ଅଧୀନରେ ବମ୍ବେ ଷ୍ଟେସନରୁ ପ୍ରସାରିତ ହୋଇଥିଲା। ୧୯୨୭ ରେ ମୁମ୍ବାଇ ଏବଂ କୋଲକାତାରେ ୨ ଟ୍ରାନ୍ସମିଟର ସହିତ ପ୍ରସାରଣ ସେବା ଆରମ୍ଭ ହୋଇଥିଲା । କିନ୍ତୁ ୧୯୩୦ ମସିହାରେ ସରକାର ଏହି ଟ୍ରାନ୍ସମିଟରଗୁଡ଼ିକୁ ନିଜ ଅଧୀନକୁ ନେଇଥିଲେ ଏବଂ ‘ଇଣ୍ଡିଆନ୍ ବ୍ରୋଡକାଷ୍ଟିଂ ସେବା’ ନାମରେ କାର୍ଯ୍ୟ ଆରମ୍ଭ କରିଥିଲେ। ୮ ଜୁନ୍ ୧୯୩୬ରେ ଭାରତୀୟ ରାଜ୍ୟ ପ୍ରସାରଣ ସେବା ଅଲ୍ ଇଣ୍ଡିଆ ରେଡିଓ ହୋଇଥିଲା।