ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଭାଇ-ଭଉଣୀର ପବିତ୍ର ସମ୍ପର୍କର ପର୍ବ ରାଖୀ ପୂର୍ଣ୍ଣିମା । ଭାଇଙ୍କ ହାତରେ ରାଖୀ ବାନ୍ଧି ସୁରକ୍ଷାର ପ୍ରତିଶ୍ରୁତି ନେବ ଭଉଣୀ । ଘରେ ଘରେ ଉତ୍ସବର ମାହୋଲ । ଅତି ଉତ୍ସାହର ସହ ପୁରପଲ୍ଲୀରେ ରକ୍ଷା ବନ୍ଧନ ପର୍ବ ପାଳନ କରାଯାଉଛି । ତେବେ ଶ୍ରୀମନ୍ଦିରରେ ଆସନ୍ତାକାଲି ଶ୍ରାବଣ ପୂର୍ଣ୍ଣିମାରେ ରକ୍ଷା ବନ୍ଧନ ପାଳନ ହେବ । ଏଥିପାଇଁ ସେବାୟତଙ୍କ ଦ୍ବାରା ନାଲି, ନୀଳ, ହଳଦିଆ ଓ ବାଇଗଣୀ ରଙ୍ଗରେ ରାଖୀ ପ୍ରସ୍ତୁତ ହୋଇଛି ।
ଗହ୍ମା ପୂର୍ଣ୍ଣମୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ପ୍ରଭୁ ବଳଭଦ୍ରଙ୍କୁ ରାଖୀ ପିନ୍ଧାଇବେ ଭଉଣୀ ସୁଭଦ୍ରା । ସ୍ୱତନ୍ତ୍ର ବାସୁଙ୍ଗୀ ପାଟ ଶାଢ଼ିରେ ମହାପ୍ରଭୁଙ୍କ ପାଇଁ ସ୍ବତନ୍ତ୍ର ରାଖୀ ପାଟରା ବିଶୋଇ ସେବକମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଉଛି । ଗହ୍ମା ପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ନୀତି ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କଠାରେ ରାଖୀ ଲାଗି ନୀତି ଅନୁଷ୍ଠିତ ହୋଇଥାଏ।
