ପୁରୀ (ବଡ଼ ଖବର ବ୍ୟୁରୋ): ଆଜି ମହାପ୍ରଭୁଙ୍କ ଭଉଁରୀ ଯାତ୍ରା । ଶ୍ରୀକ୍ଷେତ୍ରରେ ସମ୍ପର୍ଣ୍ଣ ହେବ ତିନି ରଥର ଚକ ଅଖ ଡେରା ନୀତି । ସକାଳଧୂପ ପରେ ଶ୍ରୀମନ୍ଦିରରୁ ପୂଜାପଣ୍ଡା ସେବକମାନେ ଶ୍ରୀଜୀଉଙ୍କ ଆଜ୍ଞାମାଳ ଧରି ରଥ ଖଳାକୁ ବିଜେ କରିବା ପରେ ତିନି ରଥର ଦୁଇଟି ଲେଖାଏଁ ଚକ ସହ ଗୋଟିଏ ଲେଖାଏଁ ଅଖ ଡେରା ଯିବ । ଆଜିର ଏହି ଚକ ଅଖ ଡେରା ନିତୀ ସମ୍ପର୍ଣ୍ଣ ପରେ ରଥ ନିର୍ମାଣର ଅନ୍ୟାନ୍ୟ କାର୍ଯ୍ୟ ଆରମ୍ଭ ହେବ ।
ସେପଟେ ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରାର ଅନ୍ତିମ ଦିନ ଅର୍ଥାତ ଭଉଁରୀ ଯାତ୍ରାରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଭୂଦେବୀ, ଶ୍ରୀଦେବୀ, ରାମକୃଷ୍ଣ ଓ ମଦନମୋହନଙ୍କ ପଞ୍ଚ ମହାଦେବ ନରେନ୍ଦ୍ର ପୁଷ୍କରିଣୀରେ ୨୧ ଘେରା ଜଳକ୍ରୀଡା କରିବେ । ଆଜି ଅପରାହ୍ନ ୪ ଟାରେ ଏକ ବିରାଟ ଶୋଭାଯାତ୍ରାରେ ଶ୍ରୀମନ୍ଦିରରୁ ମହାପ୍ରଭୁ ମଣିବିମାନରେ ବାହାରି ନରେନ୍ଦ୍ର ପୁଷ୍କରିଣୀ ଅଭିମୁଖେ ଯିବେ । ଭଉଁରୀ ଯାତ୍ରାରେ ଅତ୍ୟଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।