ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆସନ୍ତା ୧୭ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ସେବେଯାଏ ପ୍ରାକ୍ ମୌସୁମୀ ବର୍ଷା ଜାରି ରହିବ । ରାଜ୍ୟର ସବୁ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି । ୧୭ ତାରିଖ ପରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ। ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୧୫ ଓ ୧୬ରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ଅଛି । କେତେକ ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ । ୧୭ରୁ ଦକ୍ଷିଣ ଓଡ଼ିଶାରେ ବର୍ଷା ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି । ରାଜ୍ୟରେ ମୌସୁମୀ ଅଗ୍ରସର ପାଇଁ ପାଗ ଅନୁକୂଳ ଅଛି । ମୌସୁମୀ ପ୍ରଭାବରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ସେ କହିଛନ୍ତି । ନୟାଗଡ଼, କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଭାରୀ ବର୍ଷା ହେବ । ୧୮ରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭାରୀ ବର୍ଷା ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଜୁନ ୧୭ରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି କିନ୍ତ ଏହାପୂର୍ବରୁ ପ୍ରାକ୍ ମୌସୁମୀ ବର୍ଷା ହେବ । କିନ୍ତୁ ମୌସୁମୀ ବିଶେଷ ସକ୍ରିୟ ରହିବନି । ମୌସୁମୀ ଦୁର୍ବଳ ରହିବା ଯୋଗୁ ଜଗତ୍ସିଂହପୁର, କଟକ, ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ କନ୍ଧମାଳରେ ବର୍ଷା କମ୍ ରହିବ ।

ଏ ସବୁ ସ୍ଥାନରେ ମୋଟ ବର୍ଷା ପରିମାଣ ୩୦ରୁ ୪୦ମିମି ରହିବ । ସେହିଭଳି ଆସନ୍ତା ୧୦ ଦିନରେ ମୟୂରଭଞ୍ଜ, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ବରଗଡ଼ରେ ମୋଟ ବର୍ଷା ପରିମାଣ ୫୦ରୁ ୬୦ମିମି ରହିବ । ସେପଟେ ସୋନପୁର, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି ଓ ଗଞ୍ଜାମରେ ବର୍ଷା ଅଧିକ ହେବ । ୧୦ ଦିନରେ ମୋଟ ବର୍ଷା ପରିମାଣ ୮୦ମିମିରୁ ଅଧିକ ହୋଇପାରେ ବୋଲି ବୋଲି ଡ. ପଶୁପାଳକ ପୂର୍ବାନୁମାନ କରିଛନ୍ତି । ୧୭ରେ ମୌସୁମୀ ବର୍ଷା ପ୍ରଭାବରେ ବିଭିନ୍ନ ସ୍ଥାନରେ ତାପମାତ୍ରା କମିବ । ୧୮ରୁ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ୩୨ ଡିଗ୍ରୀ ପାଖାପାଖି ରହିବ । ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ୩୨ରୁ ୩୪ ଡିଗ୍ରୀ ପାଖାପାଖି ରହିପାରେ । ଉପକୂଳରେ ୩୬ ଡିଗ୍ରୀ ରହିବ । ତେବେ ଚତୁର୍ଥ ସପ୍ତାହ ବା ୨୨ରୁ ୩୦ ତାରିଖ ଯାଏ ଉପକୂଳରେ ବର୍ଷା କମ୍ ରହିବ । ଏବେ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବାହିତ ହେଉନି। ୧୮ ତାରିଖ ପରେ ଆରବସାଗରୀୟ ପଶ୍ଚିମା ପବନ ବହିବ । କିଛି ବର୍ଷ ହେବ ମୌସୁମୀ ଟ୍ରଫ୍ ସୃଷ୍ଟି ହୋଇପାରୁନି । ସ୍ୱାଭାବିକ ଭାବେ ଏହି ସମୟରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଥାଏ । କିନ୍ତୁ ଆସନ୍ତା ୧୦ ଦିନ ଯାଏ ଲଘୁଚାପ ସୃଷ୍ଟିର କୌଣସି ସଙ୍କେତ ମିଳୁନି । ଯଦି ଲଘୁଚାପ ବା ମୌସୁମୀ ବାୟୁ ପ୍ରବାହ ସକ୍ରିୟ ନ ହୁଏ, ଜୁନ୍ ମାସରେ ନିଅଣ୍ଟିଆ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ ଆଶଙ୍କା କରିଛନ୍ତି ।

Leave a Reply

Your email address will not be published. Required fields are marked *