ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଅଗଷ୍ଟ ୨ରୁ ବର୍ଷା ପରିମାଣ ସାମାନ୍ୟ ବୃଦ୍ଧି ପାଇବ । ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ବିଶେଷ କରି ଦକ୍ଷିଣ ଓଡ଼ିଶାର କେତେକ ଜାଗାରେ ପ୍ରବଳ ବର୍ଷା ହୋଇପାରେ । ଏଭଳି ପୂର୍ବାନୁମାନ ଦେଖାଇଛି ପାଣିପାଗ ବିଭାଗ । ଶୁକ୍ରବାର ରାଜ୍ୟର କେତେକ ଜିଲାରେ ଝଡ଼ବର୍ଷା ଲାଗି ରହିବ। ଏଥିପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ଶନିବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
ଗତ ୨୪ ଘଣ୍ଟା ଅର୍ଥାତ୍ ଗୁରୁବାର ସକାଳ ୮.୩୦ ସୁଦ୍ଧା ରାଜ୍ୟର ୮ଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଥିବାବେଳେ ୧୯ଟି ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ନୂଆପଡ଼ା ଜିଲା ସିନାପଲ୍ଲୀରେ ସର୍ବାଧିକ ୧୬୪ ମି.ମି., ବରଗଡ଼ ଜିଲା ପାଇକମାଳରେ ୧୫୭.୫ ମି.ମି., ନୂଆପଡ଼ା ଜିଲା ଖରିଆରରେ ୧୫୫ ମି.ମି., ବୋଡେନ୍ରେ ୧୫୨ ମି.ମି., ନବରଙ୍ଗପୁର ଜିଲା ଝରିଗାଁରେ ୧୩୫ ମି.ମି., କଳାହାଣ୍ଡି ଜିଲା ଗୋଲାମୁଣ୍ଡାରେ ୧୩୪ ମି.ମି., ନବରଙ୍ଗପୁର ଜିଲା ଉମରକୋଟରେ ୧୨୫ ମି.ମି., ନୂଆପଡ଼ା ଜିଲା କୋମଣାରେ ୧୧୯.୩ ମି.ମି., ନବରଙ୍ଗପୁର ଜିଲା ଡାବୁଗଁାରେ ୧୧୫.୨ ମି.ମି. ବର୍ଷା ରେକର୍ଡ ହୋଇଛି।
