ଭୁବନେଶ୍ୱର( ବଡ଼ ଖବର ବ୍ୟୁରୋ): ନିୟମ ଉଲ୍ଲଙ୍ଘନ କରି ଗାଡ଼ି ଚାଳନା କରୁଥିଲେ ଆଉ ନିସ୍ତାର ନାହିଁ । ସାରା ରାଜ୍ୟରେ ଆରମ୍ଭ ହୋଇଛି ପରିବହନ ବିଭାଗର ସ୍ପେଶାଲ ଏନଫୋର୍ସମେଣ୍ଟ ଡ୍ରାଇଭ । ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର, ବାଲେଶ୍ୱର ସମେତ ରାଜ୍ୟର ସମସ୍ତ ଜିଲ୍ଲାର ୩୮ ଆଞ୍ଚଳିକ ପରିବହନ କାର୍ୟ୍ୟାଳୟ ଅଧୀନରେ କଡ଼ାକଡ଼ି ଯାଞ୍ଚ ହେଉଛି । ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ସ୍ୱତନ୍ତ୍ର ଟିମ୍ ଗଠନ କରାଯ।ଇଛି । ସ୍ପେଶାଲ ଡ୍ରାଇଭର ପ୍ରଥମ ଦିନରେ ନାବାଳକ/ନାବାଳିକା ଗାଡ଼ି ଚାଳକଙ୍କ ଉପରେ ନଜର ରଖାଯାଇଥିଲା । ଏହି କ୍ରମରେ ସମୁଦାୟ ୧୫୩ଟି ଚାଲାଣ କଟିଥିବା ୬୦ ଗାଡ଼ିକୁ ଜବତ କରାଯାଇଛି ।

ଖୋର୍ଦ୍ଧା ଜିଲ୍ଲାରେ ଭୁବନେଶ୍ୱର- ୨ ଆରଟିଓ ଅଧୀନରୁ ୧୧ ଚାଲାଣ କଟିଛି । ଭୁବନେଶ୍ୱର-୧ ଆରଟିଓରୁ ୭ ଓ ଖୋର୍ଦ୍ଧା ଏଆରଟିଓରୁ ୩ ଚାଲାଣ କଟିଛି । କଳାହାଣ୍ଡିରେ ୧୨, କଟକରେ ୧୦, କୋରାପୁଟରେ ୮ ଏବଂ ଗଞ୍ଜାମ ଓ ରାୟଗଡ଼ାରେ ୭ ଲେଖାଏଁ ଚାଲାଣ କଟିଛି । ସେହିଭଳି ରାୟଗଡ଼ାରେ ସର୍ବାଧିକ ୭ ଗାଡ଼ି ସିଜ୍ ହୋଇଥିବା ବେଳେ ରାଉରକେଲା ଓ ବଲାଙ୍ଗିରରେ ୬ ଲେଖାଏଁ, ବାଲେଶ୍ୱର ଓ ସୋନପୁରରେ ୫ ଲେଖାଏଁ ଗାଡ଼ି ଜବତ ହୋଇଛି । କଳାହାଣ୍ଡିରେ ୪, ତାଳଚେର, ଅନୁଗୁଳ, ଭୁବନେଶ୍ୱର ୧ ଏବଂ ଏଆରଟିଓ ଖୋର୍ଦ୍ଧା ପକ୍ଷରୁ ୩ ଲେଖାଏଁ ଗାଡ଼ିକୁ ଜବତ କରାଯାଇଛି ।

ସୋମବାର ସକାଳୁ ଏହି ଧରପଗଡ଼ ଆରମ୍ଭ ହୋଇଥିଲା । ଗୁରୁତ୍ୱପୂର୍ଣ୍ଣ ଛକ ଏବଂ ସ୍କୁଲ-କଲେଜ ନିକଟରେ ପରିବହନ ବିଭାଗର ଟିମ୍ ଯାଞ୍ଚ କରିଥିଲେ । ସାବାଳକ ହୋଇ ନ ଥିବା, ଡ୍ରାଇଭିଂ ଲାଇସେନ୍ସ ନ ଥିବା ଅନେକ ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନକୁ ବାଇକ, ସ୍କୁଟି ନିଜେ ଚଲାଇ ଆସିଥିଲେ । ମୋଟର ଯାନ ଆଇନ ୧୯୮୮ର ଧାରା ୧୯୯ (କ) ଅନୁଯାୟୀ ଏଭଳି ବେଆଇନ ଗାଡ଼ି ଚାଳକଙ୍କୁ ଧରିଛି ଯାଞ୍ଚ ଟିମ୍ । ଏହି ଆଇନ ଅନୁଯାୟୀ ନାବାଳକ/ନାବାଳିକା ଗାଡ଼ି ଚାଳକଙ୍କ ଅଭିଭାବକ କିମ୍ବା ଗାଡ଼ି ମାଲିକଙ୍କ ବିରୋଧରେ ୨୫ ହଜାର ଟଙ୍କାର ଜରିମାନା ଲଗାଇବାର ବ୍ୟବସ୍ଥା ରହିଛି । ଏପରିକି କିଛି କ୍ଷେତ୍ରରେ ୩ ବର୍ଷ ପର୍ୟ୍ୟନ୍ତ ଜେଲ୍ ଦଣ୍ଡର ବ୍ୟବସ୍ଥା ମଧ୍ୟ ରହିଛି । ଗାଡ଼ିକୁ ଜବତ କରିବାର ପ୍ରାବଧାନ ମଧ୍ୟ ରହିଛି ।

କିଛି ଦିନ ତଳେ ପୁଣେରେ ଜଣେ ନାବାଳକ ଗାଡ଼ି ଚାଳକଙ୍କ ଯୋଗୁଁ ଯେଉଁ ଭୟାନକ ଦୁର୍ଘଟଣା ଘଟିଥିଲା ତାହା ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା । ପରବର୍ତ୍ତୀ ସମୟରେ ସଂପୃକ୍ତ ଚାଳକଙ୍କ ଅଭିଭାବକଙ୍କୁ ଜେଲ୍ ଯିବାକୁ ହୋଇଥିଲା । ଏହାସତ୍ତ୍ୱେ ଅନେକ ଏବେ ବି ସୁଧୁରି ନ ଥିବା ଲକ୍ଷ୍ୟ କରାଯାଉଛି । ନାବାଳକ/ନାବାଳିକା ଗାଡ଼ି ଚାଳକଙ୍କ ଯୋଗୁଁ ଘଟୁଥିବା ଦୁର୍ଘଟଣାରେ ଅନେକ ସମୟରେ ସଂପୃକ୍ତ ଗାଡ଼ି ଚାଳକଙ୍କ ଅକାଳରେ ଜୀବନ ଚାଲିଯାଏ । ଏହାସହ ଠିକ୍ ବାଟରେ ଯାଉଥିବା ଅନ୍ୟମାନଙ୍କୁ ମଧ୍ୟ ଦୁର୍ଘଟଣାର ଶିକାର ହେବାକୁ ପଡ଼େ । ୨୦୨୩ରେ ଆମ ରାଜ୍ୟରେ ନାବାଳକ/ନାବାଳିକା ଗାଡ଼ି ଚାଳନା ଯୋଗୁଁ ୬୦ ଜୀବନ ଯାଇଥିବା ବେଳେ ୨୯୨ ଗୁରୁତର ହୋଇଥିଲେ । ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ମଧ୍ୟ ଆସୁଥିବା ତଥ୍ୟ ଏକ୍ଷେତ୍ରରେ ଚିନ୍ତା ବୃଦ୍ଧି କରିଛି । ତେଣୁ ଏହାକୁ ରୋକିବାକୁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ସ୍ପେଶାଲ ଏନଫୋର୍ସମେଣ୍ଟ ଡ୍ରାଇଭ୍ ଆରମ୍ଭ ହୋଇଛି । ସମସ୍ତ ଅଭିଭାବକ ଓ ଶିକ୍ଷାନୁଷ୍ଠାନମାନେ ନାବାଳକ/ନାବାଳିକା ଗାଡ଼ି ଚାଳନା ରୋକିବା ଦିଗରେ ଗମ୍ଭୀରତାର ସହ ପଦକ୍ଷେପ ନେବାକୁ ପ୍ରାଧିକରଣ ପକ୍ଷରୁ ଅନୁରୋଧ କରାଯାଇଛି ।

ଏହି ଏନଫୋର୍ସମେଣ୍ଟ ଆଗକୁ ମଧ୍ୟ ଜାରି ରହିବ ବୋଲି ରାଜ୍ୟ ପରିବହନ କମିସନର ଅମିତାଭ ଠାକୁର କହିଛନ୍ତି । କେବଳ ନାବାଳକ/ନାବାଳିକା ଗାଡ଼ି ଚାଳନା ନୁହେଁ, ଫିଟନେସ, ହେଲମେଟ୍, ସିଟ୍ ବେଲ୍ଟ, ଦ୍ରୁତଗତି, ମଦ୍ୟପାନ କରି ଗାଡ଼ି ଚାଳନା ଭଳି ବିଷୟକୁ ନେଇ ଏନଫୋର୍ସମେଣ୍ଟ କରାଯିବ । ସଡ଼କ ଦୁର୍ଘଟଣା ହ୍ରାସ ଦିଗରେ କଠୋର ପଦକ୍ଷେପ ନେବାକୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ପୂର୍ବରୁ ନିର୍ଦ୍ଦେଶ ଦେଇଛନ୍ତି । ସେ ଦିଗରେ ରାଜ୍ୟ ପରିବହନ ପ୍ରାଧିକରଣ ପଦକ୍ଷେପ ନେଉଛି । ଅନେକ ସଚେତନତା ସତ୍ତ୍ୱେ କିଛି ବେପରୁଆ ଚାଳକ ସୁଧୁରୁ ନ ଥିବାରୁ ସେମାନଙ୍କୁ ଧରିବାକୁ ଏହି ପଦକ୍ଷେପ ନିଆଯାଇଛି ।

Leave a Reply

Your email address will not be published. Required fields are marked *