1200px-Forrest_Odisha

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ:) ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ ବଢ଼ିଛି ଜଙ୍ଗଲର ଆୟତନ । ୨ ବର୍ଷ ମଧ୍ୟରେ ୧୫୧.୮୯ ବର୍ଗ କିମି ଜଙ୍ଗଲ ବୃଦ୍ଧି ହୋଇଛି । ରାଜ୍ୟରେ ଜଙ୍ଗଲ ଓ ଗଛ ଆଚ୍ଛାଦିତ ଅଞ୍ଚଳ ପରିମାଣ ମିଶାଇଲେ ୫୫୮.୫୭ ବର୍ଗ କିମି ବୃଦ୍ଧି ପାଇଛି। ଜାତୀୟସ୍ତରରେ ଜଙ୍ଗଲ ଅଞ୍ଚଳ ସହ ଗଛ ଆଚ୍ଛାଦିତ ଅଞ୍ଚଳ ବୃଦ୍ଧିରେ ରାଜ୍ୟ ତୃତୀୟ ସ୍ଥାନରେ ରହିଛି । ଜଙ୍ଗଲ ବୃଦ୍ଧିରେ ଶୀର୍ଷରେ ଅଛି ଛତିଶଗଡ଼ (୬୮୩.୬୨) ବର୍ଗ କିମି । ତା ପଛକୁ ଦ୍ୱିତୀୟ ସ୍ଥାନରେ ଅଛି ଉତ୍ତରପ୍ରଦେଶ (୫୫୯.୧୯) ବର୍ଗ କିମି । ଓଡ଼ିଶା ତଳକୁ ରହିଛି ରାଜସ୍ଥାନ । ରାଜ୍ୟର ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଗତ ୨ ବର୍ଷ ମଧ୍ୟରେ ଜଙ୍ଗଲ ପରିମାଣ କିନ୍ତୁ କମିଛି ।

ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଇଣ୍ଡିଆ ଷ୍ଟେଟ୍‌ ଅଫ୍‌ ଫରେଷ୍ଟ ରିପୋର୍ଟ (ଆଇଏସ୍‌ଏଫ୍‌ଆର୍‌)୨୦୨୩ରେ ଏହି ତଥ୍ୟ ଉଲ୍ଲେଖ କରାଯାଇଛି। ଅନ୍ୟପକ୍ଷେ ଭାରତର ୩୩% ଅଞ୍ଚଳ ଜଙ୍ଗଲ ଦ୍ୱାରା ଆଚ୍ଛାଦିତ ହୋଇ ରହିବା ନେଇ ଜାତୀୟ ଜଙ୍ଗଲ ନୀତି-୧୯୮୮ରେ ଲକ୍ଷ୍ୟ ରଖାଯାଇଥିଲା। ସେହି ଦୃଷ୍ଟିରୁ ଦେଶ ଓ ରାଜ୍ୟରେ ବର୍ଦ୍ଧିତ ଜଙ୍ଗଲ ପର୍ୟ୍ୟାପ୍ତ ନୁହେଁ। ଭାରତରେ ମୋଟ ଜଙ୍ଗଲ ଏବଂ ବୃକ୍ଷଲତା ଥିବା ଜମି ପରିମାଣ ୨୦୨୩ରେ ମୋଟ ଭୌଗୋଳିକ ଅଞ୍ଚଳର ୨୫.୧୭ ପ୍ରତିଶତକୁ ବୃଦ୍ଧି ପାଇଛି।

୨୦୨୧ ପରେ ଜଙ୍ଗଲ ଜମି ପରିମାଣ ୧,୪୪୫ ବର୍ଗ କିଲୋମିଟର ବଢ଼ିଥିବା ସରକାରଙ୍କ ସଦ୍ୟତମ ତଥ୍ୟରୁ ଜଣାପଡ଼ିଛି। ଭାରତର ଜଙ୍ଗଲ ସ୍ଥିତି ରିପୋର୍ଟ (ଆଇଏସ୍‌ଏଫ୍‌ଅର୍‌), ୨୦୨୩ ଶନିବାର ପ୍ରକାଶ ପାଇଛି। ଉକ୍ତ ରିପୋର୍ଟ ଅନୁଯାୟୀ ୨୦୨୩ରେ ଦେଶର ମୋଟ ଜଙ୍ଗଲ ପରିମାଣ ୭,୧୫,୩୪୩ ବର୍ଗ କିଲୋମିଟରକୁ ବୃଦ୍ଧି ପାଇଛି, ଯାହାକି ମୋଟ ଭୌଗୋଳିକ ଅଞ୍ଚଳର ୨୧.୭୬ ପ୍ରତିଶତ। ବୃକ୍ଷଲତା ପରିପୂର୍ଣ୍ଣ ଅଞ୍ଚଳ ୧,୨୮୯ ବର୍ଗ କିଲୋମିଟର ବୃଦ୍ଧି ପାଇଛି, ଯାହା ମୋଟ ଭୌଗୋଳିକ ଅଞ୍ଚଳର ୩.୪୧ ପ୍ରତିଶତ। ଅର୍ଥାତ୍‌ ମୋଟ ଜଙ୍ଗଲ ଏବଂ ଗଛଲତା ପରିପୂର୍ଣ୍ଣ ଅଞ୍ଚଳ ମିଶି ୮,୨୭,୩୫୭ ବର୍ଗ କିଲୋମିଟର ହୋଇଛି, ଯାହାକି ଭାରତର ମୋଟ ଭୌଗୋଳିକ ଅଞ୍ଚଳର ୨୫.୧୭ ପ୍ରତିଶତ।

ସେପଟେ ଜାତୀୟ ଜଙ୍ଗଲ ରିପୋର୍ଟ ଅନୁସାରେ ରାଜ୍ୟରେ ଅତି ଘଞ୍ଚ ଜଙ୍ଗଲ ୭,୨୨୪ ବର୍ଗ କିମି ଥିଲା ବେଳେ, ମଧ୍ୟମ ଘଞ୍ଚ ଜଙ୍ଗଲ ୨୧, ୦୬୫ ଏବଂ ଖୋଲା ଜଙ୍ଗଲ ଅଛି ୨୪, ୧୪୩ ବର୍ଗ କିମି । ମୋଟ ୫୨ ହଜାର ୪୩୩ ବର୍ଗ କିମି ଜଙ୍ଗଲରେ ଆଚ୍ଛାଦିତ ଥିଲା ବେଳେ ଏହା ହେଉଛି ରାଜ୍ୟ ଭୌଗୋଳିକ ଅଞ୍ଚଳର ୩୩.୬୭ ପ୍ରତିଶତ । ବୁଦୁ ବୁଦୁକିଆ ଜଙ୍ଗଲ ପରିମାଣ ହେଉଛି ୪ ହଜାର ୬୩୨ ବର୍ଗ କିମି । ୨୦୨୧ରୁ ୨୦୨୩ ମଧ୍ୟରେ ରାଜ୍ୟର ବହୁ ଜିଲ୍ଲାରେ ଜଙ୍ଗଲ ପରିମାଣ କମିଛି । ଆଦିବାସୀବହୁଳ ଦେବଗଡ଼ରେ ୧.୭୩ ବର୍ଗ କିମି, ଗଜପତିରେ ୧୧.୬୩, କଳାହାଣ୍ଡିରେ ୬୧.୯୪, କେନ୍ଦୁଝରରେ ୩୦.୯୨, ମାଲକାନଗିରିରେ ୧୨.୩୪, ନବରଙ୍ଗପୁରରେ ୨୯.୪୬ ବର୍ଗ କିମି ଜଙ୍ଗଲ କମିଛି । ସେହିଭଳି ଅନୁଗୁଳରେ ୫.୫୬ ବର୍ଗ କିମି, ସମ୍ବଲପୁରରେ ୩୧.୨୭ ବର୍ଗ କିମି ଜଙ୍ଗଲ କମିଛି ।

Leave a Reply

Your email address will not be published. Required fields are marked *