ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ହ୍ୟାନିମାନ ସେଣ୍ଟର ଅଫ୍ ଏକ୍ସେଲେନ୍ସ ପକ୍ଷରୁ ଆୟୋଜିତ ଜାତୀୟ ହୋମିଓପାଥିକ ସେମିନାର ଓ ସମ୍ବର୍ଦ୍ଧନା ସମାରୋହରେ ଦେଶର ବିଭିନ୍ନ ରାଜ୍ୟରୁ ହୋମିଓପାଥିକ ମେଡିକାଲ ଅଫିସର, ଅଧ୍ୟାପକ ଏବଂ ସର୍ବ ଭାରତୀୟ ଆୟୁଷ ପିଜି ପ୍ରବେଶିକା ପରୀକ୍ଷାରେ ସଫଳତା ହାସଲ କରିଥିବା ୬୫ ଜଣ ସଫଳ ପ୍ରାର୍ଥୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଓଡ଼ିଶା, ବିହାର, ମେଘାଳୟ, ଅରୁଣାଚଳ ପ୍ରଦେଶ, ରାଜସ୍ଥାନ ଓ ମଧ୍ୟପ୍ରଦେଶ ସମେତ ବିଭିନ୍ନ ରାଜ୍ୟର ସଫଳ ପ୍ରାର୍ଥୀମାନେ ଏହି ସମ୍ମାନ ପାଇଥିଲେ । ଏହି କାର୍ଯ୍ୟକ୍ରମଟି ଡା. ମନୀଷା ସ୍ମିତହାସ୍ୟ ମହାପାତ୍ରଙ୍କ ଆୟୋଜନ ଓ ଆତିଥ୍ୟରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଡା. ସାଗରିକା ମିଶ୍ର , ହୋମିଓପ୍ୟାଥିକ ଅଧ୍ୟାପିକା ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଡା. ଶ୍ୟାମସୁନ୍ଦର ମହାରଣା, ହୋମିଓପ୍ୟାଥିକ ଚିକିତ୍ସା ଅଧିକାରୀ , ଓଡ଼ିଶା ସରକାର ଉପସ୍ଥିତ ଥିଲେ ।

କାର୍ଯ୍ୟକ୍ରମର ମୁଖ୍ୟ ବକ୍ତା ଭାବେ ଆୟୁଷ ମନ୍ତ୍ରାଳୟ ଭାରତ ସରକାରଙ୍କ ଗବେଷଣା ଅଧିକାରୀ ଡା. ଅଭିଜିତ ଦତ୍ତା ଏବଂ ପଶ୍ଚିମବଙ୍ଗ ସରକାରରେ ହୋମିଓପାଥିକ୍ ଚିକିତ୍ସା ଅଧିକାରୀ ଭାବେ କାର୍ଯ୍ୟରତ ଡା. ଭାର୍ଗବ ଚାଟାର୍ଜୀ ଯୋଗଦେଇ ହୋମିଓପାଥିକ ଚିକିତ୍ସା, ପ୍ରାୟୋଗିକ ଜ୍ଞାନ ଓ ପ୍ରତିଯୋଗିତାମୂଳକ ପରୀକ୍ଷା ସମ୍ପର୍କରେ ନିଜ ଅଭିଜ୍ଞତା ଓ ମାର୍ଗଦର୍ଶନ ପ୍ରଦାନ କରିଥିଲେ । ଏହି ସମାରୋହରେ Poster ଓ Podium Presentation ମାଧ୍ୟମରେ ଛାତ୍ରଛାତ୍ରୀ ଏବଂ ଏମ୍.ଡି. ଗବେଷଣାର୍ଥୀ ମାନଙ୍କୁ ନିଜ ଜ୍ଞାନ ଓ ଗବେଷଣା ପ୍ରଦର୍ଶନର ସୁଯୋଗ ମଧ୍ୟ ପ୍ରଦାନ କରାଯାଇଥିଲା । ଏହି କର୍ମଶାଳା ଭୁବନେଶ୍ୱର ସ୍ଥିତ ଭାରତୀୟ ବିଦ୍ୟା ଭବନ , ଖାରବେଳନଗରରେ ଅନୁଷ୍ଠିତ ହୋଇଥିଲା । ୧୦୦ ରୁ ଉର୍ଦ୍ଧ୍ୱ ହୋମିଓପ୍ୟାଥିକ ଛାତ୍ରଛାତ୍ରୀ ଏବଂ ଡାକ୍ତର ମାନେ ଯୋଗଦାନ କରିଥିଲେ । ହ୍ୟାନିମନ୍ ସେଣ୍ଟର ଅଫ୍ ଏକ୍ସେଲେନ୍ସ — ଜ୍ଞାନ, ଦକ୍ଷତା ଓ ସଫଳତାର ଏକ ନୂଆ ପ୍ରୟାସ ।
