ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଲ୍ୟାଣ୍ଡିଂ ସମୟରେ ଅଘଟଣ, ବଡ଼ ବିପଦରୁ ବର୍ତ୍ତିଲେ ୧୬ ଯାତ୍ରୀ । ନେପାଳର ଜୁମ୍ଫାଲ ବିମାନବନ୍ଦରରେ ଏକ ବଡ ଦୁର୍ଘଟଣା ଅଳ୍ପକେ ଟଳିଯାଇଛି । ନେପାଳଗଞ୍ଜରୁ ଆସୁଥିବା ‘ସୀତା ଏୟାର’ର ଏକ ଯାତ୍ରୀବାହୀ ବିମାନ ଅବତରଣ କରୁଥିବା ସମୟରେ ହଠାତ୍ ପଛ ଚକଟି ଫାଟିଯାଇଥିଲା । ରିପୋର୍ଟ ଅନୁଯାୟୀ, ବିମାନରେ ଥିବା ସମସ୍ତ ୧୬ ଜଣ ଯାତ୍ରୀ ଓ କ୍ରୁ ସଦସ୍ୟ ସୁରକ୍ଷିତ ଥିବା ଜଣାପଡିଛି। ସୂଚନା ଅନୁସାରେ, ନେପାଳର ସୀତା ଏୟାରଲାଇନ୍ସର ଏହି ଛୋଟ ବିମାନଟି ନେପାଳଗଞ୍ଜରୁ ଡୋଲ୍ପା ଜିଲ୍ଲା ଅଭିମୁଖେ ଉଡ଼ାଣ ଭରିଥିଲା। ବିମାନରେ ୧୩ ଜଣ ଯାତ୍ରୀ ଓ ୩ ଜଣ କ୍ରୁ ସଦସ୍ୟ ଥିଲେ। ଯାତ୍ରୀଙ୍କ ମଧ୍ୟରୁ ୭ ଜଣ ବିଦେଶୀ ନାଗରିକ ଥିବା ଜଣାପଡିଛି।
ଡୋଲ୍ପା ଜିଲ୍ଲା ପୁଲିସର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୁଲିସ ଅନିଲ ରାଜ ଗିରିଙ୍କ ସୂଚନା ଅନୁସାରେ, ଗୁରୁବାର ସକାଳ ପ୍ରାୟ ୮ଟା ୨୫ ମିନିଟ୍ରେ ଜୁମ୍ଫାଲ ବିମାନବନ୍ଦରରେ ବିମାନଟି ଅବତରଣ କରୁଥିବା ସମୟରେ ହଠାତ୍ ପଛ ଚକଟି ଫାଟିଯାଇଥିଲା । ଫଳରେ ବିମାନଟି ରନ୍ୱେ ଉପରେ ଅଟକି ଯାଇଥିଲା। ଘଟଣା ପରେ ପାଇଲଟ୍ ତୁରନ୍ତ ବିମାନର ଇଞ୍ଜିନ୍ ବନ୍ଦ କରିଦେଇଥିଲେ। ଏହା ଫଳରେ ଏକ ବଡ଼ ଅଘଟଣକୁ ଏଡ଼ାଇ ଦିଆଯାଇଥିଲା। ବିମାନରେ କୌଣସି ବଡ଼ ଧରଣର ଗଠନାତ୍ମକ କ୍ଷତି ହୋଇନଥିବା ଅଧିକାରୀମାନେ କହିଛନ୍ତି।
ତେବେ ବିମାନଟି ରନ୍ୱେରେ ଅଟକି ରହିଥିବାରୁ ଜୁମ୍ଫାଲ ବିମାନବନ୍ଦରରେ ସମସ୍ତ ବିମାନ ଚଳାଚଳକୁ ସାମୟିକ ଭାବେ ବନ୍ଦ କରାଯାଇଛି। ଏପରିକି ଅବତରଣ ପାଇଁ ଆସୁଥିବା ନେପାଳୀ ସେନାର ଏକ ବିମାନକୁ ମଧ୍ୟ ଫେରିଯିବାକୁ ପଡ଼ିଥିଲା। ବିମାନଟିକୁ ରନ୍ୱେରୁ ହଟାଇବା ସହ ବିମାନବନ୍ଦରରେ ପୁଣି ସ୍ୱାଭାବିକ ଭାବେ ବିମାନ ଚଳାଚଳ ଆରମ୍ଭ କରିବା ପାଇଁ ମରାମତି କାମ ଜାରି ରହିଛି। ଆବଶ୍ୟକ ଟେକ୍ନିସିଆନ୍ମାନଙ୍କୁ ହେଲିକପ୍ଟର ଯୋଗେ ଘଟଣାସ୍ଥଳକୁ ପଠାଇବାର ବ୍ୟବସ୍ଥା କରାଯାଉଛି।
