ଡ. ନିରଞ୍ଜନ ପାଢୀ
ସଠିକ୍ ମସିହା ମନେ ନାହିଁ, ତେବେ ବାରବର୍ଷରୁ ଉର୍ଦ୍ଧ୍ଵ ହେବନାହିଁ। ଘନିଷ୍ଠ ବନ୍ଧୁ ପ୍ରତିଷ୍ଠିତ ଗାଳ୍ପିକ ତଥା ସୁବର୍ଣ୍ଣପୁର ଜିଲ୍ଲାର ତତ୍କାଳୀନ ଜିଲ୍ଲାପାଳ ଗଗନ ସ୍ବାଇଁଙ୍କ ନିମନ୍ତ୍ରଣ କ୍ରମେ ସେବର୍ଷର ‘ସୁବର୍ଣ୍ଣ ମହୋତ୍ସବ’ର ଶେଷ ସନ୍ଧ୍ୟାର ଅନ୍ୟତମ ଅତିଥି ଭାବେ ଯୋଗ ଦେବାକୁ ସୋନପୁର ଯାଇଥିଲି। ସାଙ୍ଗରେ ଥିଲେ ଦୁଇଜଣ ସାରସ୍ୱତ ସାଧକ ବନ୍ଧୁ, ବିଶିଷ୍ଟ ନାଟ୍ୟକାର ସରୋଜ ମିଶ୍ର ଓ ସାହିତ୍ୟ ସମାଲୋଚକ ପ୍ରାଧ୍ୟାପକ ରଙ୍ଗାଧର ନାୟକ। ଜିଲ୍ଲା ମହୋତ୍ସବର ଅତିଥି ଭାବରେ ଯେତେ ନୁହେଁ, ଖୋଦ୍ ଜିଲ୍ଲାପାଳଙ୍କର ବନ୍ଧୁ ଭାବେ ଆମକୁ ଯେଉଁ ବିଶେଷ ଆତିଥ୍ୟ ପ୍ରଦାନ କରା ଯାଇଥିଲା, ତାହା ଏଯାଏଁ ବି ସ୍ମୃତିପଟରେ ସଂଜୀବିତ ହୋଇ ରହିଛି।ମହାନଦୀର ତଟଦେଶକୁ ଲାଗି ଜିଲ୍ଲାର ଗେଷ୍ଟ ହାଉସରେ ରହଣି ସାଙ୍ଗକୁ ଭୁବନେଶ୍ୱରରୁ ଯାଇଥିବା ଆମ ତିନିଜଣଙ୍କ ସହ ଜିଲ୍ଲାପାଳ ଗଗନ ବାବୁଙ୍କ ଅନ୍ତରଙ୍ଗ ଆଳାପ ଆଲୋଚନାର ସେଇ ମଧୁର ମୁହୂର୍ତ୍ତ ସବୁ ଜୀବନର ଅବଶିଷ୍ଟ ଦିନ ଯାଏଁ ସ୍ମୃତି ସିନ୍ଦୁକରେ ସାଇତା ହୋଇ ରହିଥିବ। ଆଉ ଯେତେବେଳେ ବି ଏହି ସୁପ୍ତ ଅତୀତଟି ଜାଗି ଉଠି ନିଜ ଚାରିପଟେ ଘୁରି ବୁଲିବାର ଉପକ୍ରମ କରିବ, ସେତେବେଳେ ସେଇ ମଧୁର ସ୍ମୃତି ଉପରେ ମୁଣ୍ଡ କୋଡ଼ି କାନ୍ଦି ଉଠିବ ପ୍ରିୟ ବନ୍ଧୁ ଗଗନ ଓ ରଙ୍ଗାଧର ଅସମୟରେ ଏହି ସଂସାରରୁ ଅସ୍ତମିତ ହୋଇ ଯାଇଥିବାର ଦାରୁଣ ଦୁର୍ଭାଗ୍ୟ। ସେଦିନ ସୋନପୁର ମହାନଦୀ କୂଳର ସେହି ମନୋରମ ଅତିଥିଶାଳାରେ ହର୍ଷମୁଖର ମୁହୂର୍ତ୍ତ ବିତାଇଥିବା ଆମ ଚାରି ବନ୍ଧୁଙ୍କ ମଧ୍ୟରୁ ଏଯାବତ୍ ଏହି ସଂସାରରେ ଥିବା ଆମେ ଦୁଇ ବନ୍ଧୁ ସରୋଜ ମିଶ୍ର ଓ ମୁଁ ଗତକାଲି ସକାଳେ ଟେଲିଫୋନରେ କଥା ହେଉଥିଲା ବେଳେ ଅଚାନକ କଥା ମଧ୍ୟକୁ ପଶି ଆସିଲେ ପ୍ରାୟ ସାତବର୍ଷ ତଳେ ଆଗପଛ ହୋଇ ସଂସାର ଛାଡିଥିବା ଗଗନ ଓ ରଙ୍ଗାଧର ଏବଂ ସେ ଦୁହିଁଙ୍କ ସହ ସଂଯୁକ୍ତ ସୋନପୁରର ସ୍ମୃତି।
ସୋନପୁରରେ ସେହି ତିନିଦିନର ରହଣି ମଧ୍ୟରୁ ଗୋଟିଏ ଦିନ ନିର୍ଦ୍ଧାରିତ ଥିଲା ସହର ଠାରୁ କିଛି ଦୂରରେ ଥିବା କୋଟସମଲାଇସ୍ଥ ‘ପାତାଳି ଶ୍ରୀକ୍ଷେତ୍ର’ ପରିଦର୍ଶନ। ବହୁଦିନରୁ ଶୁଣି ଆସୁଥିବା ସେଇ ଚର୍ଚ୍ଚିତ କିମ୍ବଦନ୍ତୀର ଅଭିଳଷିତ ସ୍ଥାନଟିକୁ ଦର୍ଶନ କରିବାର ଇଚ୍ଛା ସାକାର ହେବାର ଯେ ଏକ ସମ୍ଭାବନା ସୃଷ୍ଟି ହୋଇଛି, ଏହା ଥିଲା ମୋ ପାଇଁ ଏକ ମହାର୍ଘ ଅବସର। ଦୁର୍ଦ୍ଦାନ୍ତ କଳାପାହାଡ଼ର ଶ୍ରୀମନ୍ଦିର ଆକ୍ରମଣ ପୂର୍ବରୁ ତିନି ଦିଅଁଙ୍କୁ ଯେଉଁ ଦୁର୍ଗମ ଗିରି ଗୁହାରେ ଲୁଚାଇ ରଖା ଯାଇଥିଲା ଓ ବର୍ଷ ବର୍ଷ ଧରି ସେଠାରେ ଅତି ଗୋପନରେ ତାଙ୍କର ପୂଜା କରା ଯାଉଥିଲା, ସେଇଟିକୁ ଦର୍ଶନ କରିବା ଏତେ ସହଜ ନ ଥିଲା। ଜିଲ୍ଲାପାଳ ତାଙ୍କ ବ୍ୟସ୍ତ କାର୍ଯ୍ୟସୂଚୀରୁ ସମୟ ନିର୍ଘଣ୍ଟ ବାହାର କରିବା ସମ୍ଭବ ନ ହେବାରୁ ତାଙ୍କ ପ୍ରତିନିଧି ରୂପେ ଜିଲ୍ଲାର ପର୍ଯ୍ୟଟନ ଅଧିକାରୀ ଆମ ତିନି ବନ୍ଧୁଙ୍କୁ ନେଇ ଆରମ୍ଭ କଲେ ‘ପାତାଳି’ ଅଭିଯାନ। ସାଙ୍ଗରେ ଥିଲେ ଦୈତାରି ମହାପାତ୍ର, ଯିଏ ‘ଶିବବାବା’ ନାମରେ ଅଧିକ ସୁଖ୍ୟାତ।
କାରରୁ ଓହ୍ଲାଇ ପାହାଡ଼ ଚଢ଼ିବାର ସେଇ ଦୁଃସାହସିକ ଅନୁଭୂତି ଥିଲା ଅତ୍ୟନ୍ତ ଅକଳ୍ପନୀୟ । ରାଜଧାନୀର ମସୃଣ ରାଜପଥ ସହ ସୈଖ୍ୟ ଥିବା ଆମ ଭଳି ଲୋକଙ୍କ ପାଇଁ ଉଚ୍ଚ ପାହାଡ଼ର ବନ୍ଧୁର ବକ୍ଷ ଭେଦ କରିବା ଥିଲା ଏକ ଅଭାବିତ ଆହ୍ୱାନ। ଯଦିଓ ନିଜ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ବନ୍ଧୁ ରଙ୍ଗାଧର ଅଧବାଟରୁ ଅଟକିଗଲେ,ତଥାପି କେମିତି କେଜାଣି, କେଉଁଠୁଁ ଆସିଥିଲା ସେଇ ବଳ ଓ ସାହସ, ପାହାଡ଼ର ଶୀର୍ଷ ଆରୋହଣ କରି ପୁଣି ତଳକୁ ଖସି ପହଞ୍ଚି ଯାଇଥିଲୁ ଆମେ ତିନିଜଣ ସେଇ ଇପ୍ସିତ ଠିକଣାରେ, କଳାପାହାଡ଼ ଭୟରେ ସ୍ୱୟଂ ଜଗତକର୍ତ୍ତା ଲୁଚି ରହିଥିବା ସେଇ ପବିତ୍ର ଗୁମ୍ଫାରେ !
ତା ପରର ଅନୁଭୂତି ଓ ଅନୁଭବ ଏକାନ୍ତ ଅନିର୍ବଚନୀୟ । କାହିଁ କେତେ ବର୍ଷ ପୂର୍ବରୁ ଜଗନ୍ନାଥଙ୍କୁ ନେଇ ଶ୍ରୀମନ୍ଦିରରେ ପୁନଃସ୍ଥାପିତ କରାଯାଇଥିଲେ ମଧ୍ୟ ଓ ତାପରେ କେବେ ବି ସେଇ ଗୁମ୍ଫାରେ କୌଣସି ପ୍ରକାର ପୂଜା ହୋଇ ନ ଥିଲେ ମଧ୍ୟ ତଥାପି ସେଠାରୁ ଭାସି ଆସୁଥିଲା ଅଗୁରୁ ଚନ୍ଦନ ତଥା ଧୂପ ଦୀପ ନୈବେଦ୍ୟର ସୁଗନ୍ଧିତ ବାସ୍ନା। ଜୀବନରେ ସେ ପ୍ରକାର ଦିବ୍ୟ ମହକ କେବେ ବି ଏ ନାସାରନ୍ଧ୍ରକୁ ସ୍ପର୍ଶ କରି ନ ଥିଲା କି ଏଯାଏଁ ବି କରିନାହିଁ। ଈଶ୍ୱରଙ୍କ ସତ୍ତା ଓ ସ୍ଥିତିରେ ବିଶ୍ୱାସ କରୁ ନ ଥିବା ହେତୁବାଦୀ ବା ନାସ୍ତିକମାନେ ଦୁର୍ଗମ ଇଲାକାର ସେହି ପରିତ୍ୟକ୍ତ ଗୁମ୍ଫାରେ ଏହି ସୁଗନ୍ଧ ମହକର ଉପସ୍ଥିତିକୁ କେମିତି ବ୍ୟାଖ୍ୟା କରିବେ କେଜାଣି, ମାତ୍ର ମୋ ଭଳି ବହୁ ଆଧ୍ୟାତ୍ମବାଦୀ ଭୁକ୍ତଭୋଗୀଙ୍କ ପାଇଁ ଏହା ଏକ ଅଭେଦ୍ୟ ରହସ୍ୟ,ଐଶ୍ୱରୀୟ ଲୀଳାର ଏକ ଅବ୍ୟକ୍ତ ଅନୁଭବ।
ମୋର ବିଶ୍ୱାସ, ଯଦି ଆପଣ ବି କେବେ ଏହି ପବିତ୍ର ଗିରିଗୁହାକୁ ଯିବାର ସୁଯୋଗ ପାଆନ୍ତି ଏବଂ ନିଜ ଜ୍ଞାନ ବିଜ୍ଞାନ ବାହାରେ ‘ଈଶ୍ୱର’ ବୋଲି ସେଇ ଆଦିପୁରୁଷଙ୍କ ଉପରେ ବିଶ୍ବାସ ଥାଏ, ତେବେ ଆପଣଙ୍କ ଅନୁଭବ କିଛି ଭିନ୍ନ ହେବନାହିଁ ! ପରୀକ୍ଷା ପ୍ରାର୍ଥନୀୟ !!
“ଜୟ ଜଗନ୍ନାଥ”