hhh

ତିର୍ତ୍ତୋଲ (ବଡ଼ ଖବର ବ୍ୟୁରୋ): ଜିଲ୍ଲାରେ ଚଳିତବର୍ଷ ବର୍ଷା ନାହିଁ। ଚାଷୀ କେନାଲ ପାଣି ଉପରେ ନିର୍ଭର କରୁଥିବାବେଳେ କେନାଲର ରକ୍ଷଣାବେକ୍ଷଣ ଓ ମରାମତି ନାରେ ଲକ୍ଷଲକ୍ଷ ଟଙ୍କା ଚଳୁ ହୋଇଛି। ଜଳଧାରଣ କ୍ଷମତା ହରାଇ ବସିଥିବା କେନାଲ ଗୁଡିକ ତଳମୁଣ୍ଡକୁ ପାଣି ଯାଉନଥିବାବେଳେ ଦୋଷ ଘୋଡାଇବାକୁ କେନାଲ ପାଣି କେନାଲରେ ନଦେଇ ଡ୍ରେନେଜକୁ ଛଡାଯାଉଛି।ଏଭଳି ଚିତ୍ର ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ମଣିଜଙ୍ଗା ଜଳସମ୍ପଦ ବିଭାଗୀୟ କାର୍ଯ୍ୟାଳୟ ଅଧିନରେ।

ଚଳିତବର୍ଷ ଜଗତସିଂହପୁର ଜିଲ୍ଲାରେ ସ୍ୱଳ୍ପ ପରିମାଣରେ ବର୍ଷା ହୋଇଛି।ବର୍ଷା ସହ କେନାଲ ପାଣି ଉପରେ ନିର୍ଭର କରି ଜଗତସିଂହପୁର ଜିଲ୍ଲାର ଚାଷୀ ଧାନଫସଲ କରିଥାନ୍ତି।ଜଗତସିଂହପୁର ଜିଲ୍ଲାକୁ ମାଛଗାଁ ଓ ତାଳଦଣ୍ଡା କେନାଲ ଜଳସେଚିତ କରୁଥିବାବେଳେ ଏବେ ତାଳଦଣ୍ଡା କେନାଲ ଓ ଏହାର ଶାଖା କେନାଲ ଗୁଡିକ ରକ୍ଷଣାବେକ୍ଷଣ ଓ ଉପଯୁକ୍ତ ମରାମତି ଅଭାବରୁ ଜଳଧାରଣ କ୍ଷମତା ହରାଇ ବସିଛି।ତାଳଦଣ୍ଡା କେନାଲର ଶାଖା ୧୧,୧୨,ଓ ୧୩ ନମ୍ବର ମାଇନର ଓ ଏହାର ସବ-ମାଇନର କେନାଲ ଗୁଡିକ ସହ ହଂସୁଆ ଡ୍ରେନେଜ,ମହାନଦୀ ଓ ଏହାର ଶାଖା ପାଇକା ନଦୀବନ୍ଧ ଗୁଡିକର ରକ୍ଷଣାବେକ୍ଷଣ ମହାନଦୀ ସାଉଥ ଡିଭିଜନ ଜଳସମ୍ପଦ ବିଭାଗ ମଣିଜଙ୍ଗା ସବଡିଭିଜନ କାର୍ଯ୍ୟାଳୟ ଅଧିନରେ ରହିଛି।

ମଣିଜଙ୍ଗା ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଅଧିନରେ ମଣିଜଙ୍ଗା, ଶଙ୍ଖେସ୍ୱର, ଜଇପୁର, ନୂଆପୋଖରୀ,ଜଗନ୍ନାଥପୁର ସେକ୍ସନ କାର୍ଯ୍ୟାଳୟ ରହିଛି। ମଣିଜଙ୍ଗା ଜଳସମ୍ପଦ ସବଡିଭିଜନ କାର୍ଯ୍ୟାଳୟଟି ସମ୍ପୂର୍ଣ୍ଣ ଦୁର୍ନୀତିରେ ବୁଡିରହିଥିବା ଅଭିଯୋଗ ହୋଇଛି।ଏହି କାର୍ଯ୍ୟାଳୟ ଅଧିନରେ ଥିବା ତାଳଦଣ୍ଡା କେନାଲର ୧୧,୧୨ ଓ ୧୩ ଶାଖା କେନାଲ ଓ ଏହାର ଉପଶାଖା କେନାଲ ଗୁଡିକର ଉପଯୁକ୍ତ ମରାମତି କରାଯାଇନଥିବାରୁ କେନାଲରେ କ୍ଷମତାନୁଯାୟୀ ପାଣି ଯାଉନି।୧୨ନମ୍ବର ଓ ଏହାର ଶାଖା କେନାଲ ଗୁଡିକରେ ଦଳ ଅନାବନା ଘାସରେ ପୁରି ରହିଛି। ଧାନଜମିକୁ ଉପଯୁକ୍ତ ଭାବେ ପାଣି ମାଡୁନଥିବା ଗୋବିନ୍ଦପୁର ପଞ୍ଚାୟତର ଚାଷୀ ଅଭିଯୋଗ କରିଛନ୍ତି। ଶାଖା କେନାଲ ଗୁଡିକ ଜୁନମାସ ଶେଷ ସୁଧା ମଣିଷ ଲଗାଇ କୋଡି ସଫେଇ କରାଯିବା ବଦଳରେ ପ୍ରୋକଲିନ ଓ ଟ୍ରାକ୍ଟର ଲଗାଇ ଅଗଷ୍ଟ ମାସରେ ସଫା କରାଯାଇଛି ।

ଅଜବ ଢଙ୍ଗରେ୧୨ନମ୍ବର କେନାଲର ଶେଷ ଭାଗକୁ ଟ୍ରାକ୍ଟର ଲଗାଇ ଅଗଷ୍ଟ୨୬ତାରିଖରେ ସଫା କରାଯାଉଛି।ମଣିଜଙ୍ଗା ଜଳସମ୍ପଦ କାର୍ଯ୍ୟାଳୟ ଅଧିନ ୧୧,୧୨,ଓ ୧୩ ନମ୍ବର କେନାଲ ଗୁଡିକ ଜଳଧାରଣ କ୍ଷମତା ହରାଇଥିବା ଯୋଗୁଁ କେନାଲ ଗୁଡିକରେ ତାଳଦଣ୍ଡା କେନାଲ ପାଣି ନଛାଡି ବିଭାଗୀୟ ଦୋଷ ଘୋଡାଇବାକୁ ଚତୁରତାର ସହ ଜୟପୁର ଏସ.କେପ ଜରିଆରେ ତାଳଦଣ୍ଡା କେନାଲ ପାଣି ହଂସୁଆ (ଡ୍ରେନେଜ)ନଦୀକୁ ନିଷ୍କାସନ କରାଯାଉଛି।କେନାଲରେ ଅଳ୍ପପାଣି ଯୋଗୁଁ ଚାଷୀ ମରୁଡି ଆଶଙ୍କା କରୁଛନ୍ତି।ଅନ୍ୟପକ୍ଷରେ ହଂସୁଆ ନଦୀରେ ତାଳଦଣ୍ଡା କେନାଲ ପାଣି ଛଡାଯିବା ଦ୍ୱାରା ହଂସୁଆର ତଳମୁଣ୍ଡ ତୁଳଙ୍ଗ, ନାଉଲ, ତଣ୍ଡୀକୂଳ,ପୁରୁଷୋତ୍ତମପୁର ଚମ୍ପାହାଟ ଆଦି ଅଞ୍ଚଳରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି ।

ମଣିଜଙ୍ଗା ଜଳସମ୍ପଦ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଛାଡି ସେକ୍ସନ କାର୍ଯ୍ୟାଳୟ ଗୁଡିକରେ ସହକାରୀ ଯନ୍ତ୍ରୀ କିମ୍ବା କର୍ମଚାରୀ ରହୁନାହାଁନ୍ତି।ପାଣି ପଞ୍ଚାୟତ ଗୁଡିକରେ ଅନେକ ଚକନାଳ ସୋଠ ଗୁଡିକ ଅଚଳ ହୋଇପଡିଥିବା ଅଭିଯୋଗ ହୋଇଛି।ଦୁର୍ନୀତିରେ ବିଭାଗୀୟ କାର୍ୟ୍ୟାଳୟ ବୁଡିରହିଥିବା ବେଳେ ଯନ୍ତ୍ରୀ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ଚାଷୀଙ୍କ ଭବିଷ୍ୟତ ବଳିପଡିଛି। କେନାଲ ରକ୍ଷଣାବେକ୍ଷଣ ଓ ମରାମତି ନାଆଁରେ ହୋଇଥିବା ଦୁର୍ନୀତି ସମ୍ପର୍କରେ ଉଚ୍ଚସ୍ତରୀୟ କିମ୍ବା ଭିଜିଲାନ୍ସ ତଦନ୍ତ କରାଯିବାର ଆବଶ୍ୟକତା ରହିଛି।

Leave a Reply

Your email address will not be published. Required fields are marked *