ସୋନପୁର (ବଡ଼ ଖବର ବ୍ୟୁରୋ): ଶୋଭାମୟୀ ପ୍ରକୃତି ପ୍ରତିଟି ଋତୁରେ ହୁଏ ବିଭୁସିତ । ସଜେଇ ହୁଏ ନାନା ରୂପରେ । ନାନା ରଙ୍ଗରେ । କେତେବେଳେ କଦମ୍ବ , କାଶତଣ୍ଡି ତ ଆଉ କେତେବେଳେ ବଉଳ ଓ ପଳାଶ ଫୁଲରେ ସାଜିଥାଏ ଆଭିସାରିକା । ବସନ୍ତ ଆଗମନରେ ପଲାସ ଫୁଲର ରଙ୍ଗରେ ରଙ୍ଗେଇ ହୋଇଯାଏ ସାରା ସୋନପୁର ସହର । ଏ ଫୁଲର ମହକ ନାହିଁ । ଅଥଚ ତା’ର ଲୋଭନୀୟ ସୌନ୍ଦର୍ୟ୍ୟ ସମସ୍ତଙ୍କୁ ଆନମନା କରିଦେଉଛି । ଚୈତ୍ରରେ ଏହି ଫୁଲର ଆଦର କାହିଁରେ କେତେ । ଚୈତ୍ର ମଙ୍ଗଳବାରେ ମା ମଙ୍ଗଳାଙ୍କ ପୂଜା ଆରାଧନାରେ ବ୍ୟବହାର ହୁଏ ଏହି ଫୁଲ । ପୁଣି ଦଣ୍ଡଯାତ୍ରାର ପୂଜା ବିଧିରେ ଏହାର ବହୁଳ ବ୍ୟବହାର ହୁଏ । ପଳାଶ ଫୁଲର ଶୋଭା କବି ମନକୁ ବିଭୋର କରିଥାଏ ।
କବି ପ୍ରାଣକୁ ଆନ୍ଦୋଳିତ କରିଥାଏ । ଆମ ସାହିତ୍ୟିକ ପରମ୍ପରାରେ ଏହି ଫୁଲର ବହୁଳ ବର୍ଣ୍ଣନା କରାଯାଇଛି । ସୌନ୍ଦର୍ଯ୍ୟ ଦୃଷ୍ଟିରୁ ଏହା ଏକ ଅଭିଯାତ୍ୟ ପୁଷ୍ପର ମାନ୍ୟତା ପାଇଛି ଲେଖକର ଲେଖନୀରେ । ସାହିତ୍ୟରେ କେତେବେଳେ ଏହା ମୁଖ୍ୟ ବିଷୟ ହୋଇ ରୂପ ପାଇଛି ତ କେଉଁଠି ଉପମା , ଚିତ୍ରକଳ୍ପ ଓ ପ୍ରତୀକ ଭାବରେ ବ୍ୟବହାର ହୋଇଛି । ଆମର ପ୍ରାଚୀନ ଲୋକସାହିତ୍ୟରେ ବି ପଳାଶ ଫୁଲକୁ ନେଇ ରହିଛି ଅନେକ ଗୀତ ଓ ଢଗଢମାଳି । ଯାହା ବସନ୍ତରେ ଭାସିଉଠେ ଲୋକମୁଖରେ । ବସନ୍ତର ପତ୍ରଝଡ଼ା ବେଳେ ପ୍ରକୃତି ଖାଁ ଖାଁ ଲାଗୁଥିବା ବେଳେ ପଳାଶ ଫୁଲର ଆଗମନରେ ପ୍ରାଣ ଉଲ୍ଲସିତ ହୋଇଉଠେ । ପଳାଶ ଫୁଲର ପାଟଶାଢୀ ପିନ୍ଧି ଖିଲି ଖିଲି ହସୁଛି ପ୍ରକୃତିରାଣୀ ।