ସମ୍ବଲପୁର(ବଡ଼ ଖବର ବ୍ୟୁରୋ): ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଅଂଚଳର ବନ୍ୟା ପ୍ରଭାବିତ ଲୋକମାନଙ୍କୁ ଭେଟି ଛନ୍ତି ପୂର୍ବତନ ମନ୍ତ୍ରୀ ତଥା ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ । ବନ୍ୟାର ସାତ ଦିନ ପରେ ଖମଣମୁଣ୍ଡା ଗ୍ରାମର ପ୍ରଭାବିତଙ୍କୁ ଭେଟି ସେମାନଙ୍କର ଅଭାବ ଅସୁବିଧା ସମ୍ପର୍କରେ ପଚାରି ବୁଝିବା ସହ ଆଲୋଚନା କରିଛନ୍ତି ।
ଲଘୁଚାପ ଜନିତ ଗତ ଲଗାଣ ବର୍ଷାରେ ନାକଟିଦେଉଳ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ତେବେ ଏହି ବର୍ଷାରେ ନାକଟିଦେଉଳ ପଞ୍ଚାୟତର ଖମଣମୁଣ୍ଡା ଗ୍ରାମ ବହୁ ମାତ୍ରାରେ ପ୍ରଭାବିତ ହୋଇଛି । ସ୍ଥାନୀୟ ଚମ୍ପାଳି ନଦୀରେ ବନ୍ୟା ଆସି ଖମଣମୁଣ୍ଡା ଗ୍ରାମରେ ବନ୍ୟା ଜଳ ପ୍ରବେଶ କରିଥିଲା । ଏଥିରେ ଲୋକଙ୍କ ଘରଦ୍ୱାର ଭାଙ୍ଗି ଯିବା ସହ ମାଟି ଘର ଗୁଡିକ ବନ୍ୟା ଜଳରେ ଲୋଟି ପଡିଥିଲା ।
ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଦିନ ବିଧାୟକ ରୋହିତ ପୂଜାରୀ ବନ୍ୟା ପ୍ରଭାବିତଙ୍କ ନିକଟରେ ପହଞ୍ଚିଥିଲେ । ତେବେ ଏହି ଗ୍ରାମକୁ ସବୁଦିନିଆ ଯାତାୟାତ ପାଇଁ ଚମ୍ପାଳି ନଦୀ ଉପରେ ଏକ ସ୍ଥାୟୀ ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ମାନେ ଦାବିକରିଥିବା ବେଳେ ଏ ନେଇ ସରକାରଙ୍କୁ ଅବଗତ କରାଇ ଏ ଦିଗରେ ପଦକ୍ଷେପ ନେବାକୁ ବିଧାୟକ ପ୍ରତିଶୃତି ଦେଇଥିଲେ ।