ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସେ ଥିଲେ ଆବେଗ ଓ ବାସ୍ତବିକତାର ଅଦ୍ୱିତୀୟ ମିଶ୍ରଣ । ସେ ଥିଲେ ବିବେକ ଓ ହୃଦୟର କବି । ଓଡ଼ିଶା ଥିଲା ତାଙ୍କର ଆକାଶ ଓ ଓଡ଼ିଆ ଭାଷା ତାଙ୍କର ସମୁଦ୍ର । କେବଳ ଓଡ଼ିଆ ବୋଲି ନୁହେଁ ଇଂରାଜୀ ସାହିତ୍ୟ ଦୁନିଆରେ ସେ ଜଣେ ସୁଦକ୍ଷ ସମ୍ରାଟ । ବୃତ୍ତି ଥିଲା ବିଜ୍ଞାନ ହେଲେ ସାଧନା ଥିଲା ସାହିତ୍ୟ । କିମ୍ବଦନ୍ତୀ ଡଃ ଜୟନ୍ତ ମହାପାତ୍ର । ଆରପାରିରେ ଏହି ମହାନ କିମ୍ବଦନ୍ତୀ । ବିଶିଷ୍ଟ କବି ଜୟନ୍ତ ମହାପାତ୍ରଙ୍କର ରବିବାର ରାତି ୯ଟାରେ କଟକସ୍ଥିତ ଏସସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ୯୫ ବର୍ଷ ବୟସରେ ଇହଳୀଳା ତ୍ୟାଗ କରିଛନ୍ତି । ଦୀର୍ଘ ଦିନ ଧରି ନିମୋନିଆ ରୋଗରେ ଆକ୍ରାନ୍ତ ହୋଇଥିଲେ ସ୍ୱର୍ଗତ ଜୟନ୍ତ ମହାପାତ୍ର । ଉଭୟ ଓଡ଼ିଆ ଓ ଇଂରାଜୀ ସାହିତ୍ୟରେ ସେ ନିଜର ଏକ ସ୍ୱତନ୍ତ୍ର ଛାପ ଛାଡିଯାଇଛନ୍ତି ।
୧୯୨୮ ଅକ୍ଟୋବର ୨୨ରେ ତାଙ୍କର ଜନ୍ମ । ପିତା ସାମୁଏଲ ମହାପାତ୍ର ଓ ମା’ ସୁଧାଂଶୁବାଳା ଦାସଙ୍କର ସେ ଥିଲେ ସୁଦକ୍ଷ ସନ୍ତାନ । ପାଠପଢା ସମୟରୁ ହିଁ ସେ ଥିଲେ ସାହିତ୍ୟର ସାଧକ । ସାହିତ୍ୟକୁ ପୂଜା କରି ରଚିଥିଲେ ଅନେକ ପୁସ୍ତକ । ଯେଉଁଥିରେ ସ୍ଥାନ ପାଇଥିଲା ବଳି, ବାୟାରଜା, ଟିକିଏ ଛାଇ, କହିବି ଗୋଟିଏ କଥା ଭଳି ଅନେକ ଖ୍ୟାତିସମ୍ପନ୍ନ ଗ୍ରନ୍ଥ । ସେହିପରି ଇଂରାଜୀ ଲେଖନୀରେ ତାଙ୍କର ଛାପରୁ ରିଲେଶନସିପ, ଇଣ୍ଡିଆନ ସମର, ହଙ୍ଗର ପରି ବହି ତାଙ୍କୁ ନା କେବଳ ଦେଶ ବରଂ ବିଦେଶରେ ମଧ୍ୟ ବେଶ ଲୋକପ୍ରିୟତା ହାସଲ କରାଇଛି । ୧୯୮୧ ମସିହାରେ ରିଲେଶନସିପ ପୁସ୍ତକ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ତାଙ୍କୁ କରାଯାଇଥିଲା ସମ୍ମାନ । ଇଂରାଜୀ ଭାଷାରେ ପ୍ରଥମ କବି ଭାବେ ତାଙ୍କୁ ମିଳିଥିଲା ଏହି ସମ୍ମାନ । ‘ଦି ଇଷ୍ଟର୍ଣ୍ଣ ଟାଇମ୍ସ’ ସହ ସମ୍ପାଦକ ଭାବେ ମଧ୍ୟ ସେ କରିଛନ୍ତି କାର୍ଯ୍ୟ । ସାମଗି୍ରକ ସାହିତ୍ୟ ସାଧନା ପାଇଁ ତାଙ୍କୁ ୨୦୦୯ରେ ଦେଶର ଚତୁର୍ଥ ସର୍ବୋଚ୍ଚ ସମ୍ମାନ ପଦ୍ମଶ୍ରୀ ସମ୍ମାନରେ ଭୁଷିତ ହୋଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ୨୦୧୫ରେ ଦେଶରେ ବଢୁଥିବା ଅସହିଷ୍ଣୁତାକୁ ଦେଖି ସେ ଏହାକୁ ଫେରାଇ ଦେଇଥିଲେ । ୨୦୦୬ ରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟ ଓ ୨୦୦୯ରେ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ପାଇଥିଲେ ଡକ୍ଟରେଟ ଡିଗ୍ରୀ ।
ସାହିତ୍ୟ ସହ ସେ ବିଜ୍ଞାନର ପୂଜାରୀ ମଧ୍ୟ ଥିଲେ । ପଦାର୍ଥ ବିଜ୍ଞାନରେ ହାସଲ କରିଥିଲେ ଏମଏସସି ଡିଗ୍ରୀ । କବିତା ଓ ବିଜ୍ଞାନର ନିଆରା ସମନ୍ୱୟକୁ ବାସ୍ତବିକ ରୂପ ଦେଇଥିଲେ । ଲେଖିବା ସହ ଅଧ୍ୟୟନକୁ ମଧ୍ୟ ଦେଇଥିଲେ ସେତିକି ପ୍ରାଧାନ୍ୟ । ପଦାର୍ଥ ବିଜ୍ଞାନରେ ପିଲାମାନଙ୍କୁ ପାଠ ପଢାଇବା ଥିଲା ତାଙ୍କର ବୃତ୍ତି । ରେଭେନ୍ସା ମହାବିଦ୍ୟାଳୟ, ବିଜେବି କଲେଜ, ଫକୀର ମୋହନ କଲେଜ, ଗଙ୍ଗାଧର ମେହେର କଲେଜ ଭଳି ଶିକ୍ଷାନୁଷ୍ଠାନରେ ସେ କରିଥିଲେ ଶିକ୍ଷାଦାନ । ଆଜି ତାଙ୍କ ବିୟୋଗରେ ସାହିତ୍ୟ ପ୍ରେମୀଙ୍କଠୁ ବିଜ୍ଞାନ ପ୍ରେମୀ, ରାଜ୍ୟ ତଥା ଦେଶବାସୀ ଶୋକବ୍ୟକ୍ତ କରିଛନ୍ତି ।