ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପୃଥିବୀର ଏକମାତ୍ର ଅପରିବର୍ତ୍ତନୀୟ ନିୟମ ହେଉଛି ପରିବର୍ତ୍ତନ । ଏହା ହିଁ ସତ୍ୟ, ଗୋଟିଏ ପିଢିକୁ ନିଜ ଜାଗା ଛାଡ଼ିବାକୁ ହୁଏ, ପର ପିଢି ସେହି ଜାଗାରେ ବସେ । ଗୋଟିଏ ପିଢି ଅନେକ ସ୍ୱପ୍ନ ଦେଖେ, ତାକୁ ପୂରା କରେ, ଆଉ କିଛି ରହିଯାଏ, ପରପିଢି ତାକୁ ପୂରା କରିବା ଆଶାରେ ଆସନରେ ବସେ । ତେବେ ଯଦି ପରିବର୍ତ୍ତନର ନିୟମ ସମ୍ବାଦରେ ଯେଉଁଭଳି ଘଟିଲା ସେପରି ଘଟେ ତାହେଲେ ତାହା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଭଳି ଓଡ଼ିଶା ଗଣମାଧ୍ୟମର ସଫଳ ନାୟକଙ୍କ ପାଇଁ କିଭଳି ମୁହୂର୍ତ୍ତ ହୋଇଥିବ? ଯେଉଁ ସମ୍ବାଦକୁ ସେ ରକ୍ତ,ମାଂସ, ହାଡ଼ ଦେଇ ଗଢ଼ିଲେ, ସେହି ସମ୍ବାଦ ଯେତେବେଳେ ୪୦ ତମ ବାର୍ଷିକ ଉତ୍ସବ ପାଳନ ନିମନ୍ତ୍ରଣ ପତ୍ରରେ ଛପା ହୋଇ ସମସ୍ତଙ୍କ ପାଖକୁ ଯାଉଛି, ସେଥିରେ ସମ୍ପାଦକ ଭାବରେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ନାଁ ରହୁଛି, କିନ୍ତୁ ଯେତେବେଳେ ବାର୍ଷିକ ଉତ୍ସବ ହେଉଛି ମଞ୍ଚରେ ସେ ନାହାନ୍ତି । କେବଳ ମଞ୍ଚ ନୁହଁ ସଭାଗୃହରେ ବି ସେ ନାହାନ୍ତି ।

 

ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପାଇଁ ସମ୍ବାଦର ଜନ୍ମଦିନ ଖୁସିର ଥିଲା ନାଁ ଦୁଃଖର ? ଯେଉଁ ସବୁ ପରିସ୍ଥିତିରେ ଏହା ଘଟିଲା, ଯେକେହି ଏହା ନିଶ୍ଚୟ କହିବେ, ଏହା ଆଦୌ ସୁଖଦ ନୁହେଁ, ବରଂ ଚାପ-ଚିନ୍ତାର କ୍ଷଣ ତାଙ୍କ ପାଇଁ । କିନ୍ତୁ ଏଠି ଆଉକିଛି ବି ଥିଲା, ଯାହା ତାଙ୍କ ପାଇଁ ଅତି ଆନନ୍ଦର କ୍ଷଣ କୁହାଯାଇପାରିବ କିନ୍ତୁ ଏହି ଆନନ୍ଦର କ୍ଷଣ ଏଭଳି ସ୍ଥିତିରେ, ଏତେ ଜଲଦି ଆସିବ ତାହା ହୁଏ ତ ସେ କେବେ ଭାବି ନ ଥିବେ । ସମ୍ବାଦର ସମ୍ପାଦକ ଭାବେ ଯେତେବେଳେ ତାଙ୍କ ଜାଗାରେ ତାଙ୍କ ଝିଅ ବସିଥିଲେ, ତାହା କେଉଁ ବାପା ପାଇଁ ଅସୀମ ଆନନ୍ଦଠୁ କମ୍ କି? ସମ୍ବାଦ ତାଙ୍କର ମାନସ ସନ୍ତାନ କିନ୍ତୁ ତା’ର ଜନ୍ମଦିନରେ ସେ ନଥିଲେ । ପୁଣି ତାଙ୍କ ଝିଅ ସମ୍ପାଦକ ଭାବରେ ପ୍ରଥମଥର କୌଣସି ମଞ୍ଚରେ ବସିଥିଲେ । ହେଲେ ସେଠି ସୌମ୍ୟ ବାବୁ ଅନୁପସ୍ଥିତ ରହିବା ପାଇଁ ବାଧ୍ୟ ହୋଇଥିଲେ ।

ଏହି ଅନୁପସ୍ଥିତି ଏହାର ଇସାରା କି ଓଡ଼ିଶା ମିଡ଼ିଆରେ ସୌମ୍ୟ ଯୁଗ ଶେଷ? ନିଃସନ୍ଦେହରେ କୁହାଯାଇପାରେ ଓଡ଼ିଶା ଖବରକାଗଜ ଶିଳ୍ପରେ ଟ୍ରେଣ୍ଡ ସେଟର ହେଉଛନ୍ତି ସୌମ୍ୟ ପଟ୍ଟନାୟକ । ସେ ଯେତେବେଳେ ନୂଆ ନୂଆ ଅନେକ କଥା ପରିବର୍ତ୍ତନ କଲେ ଯେଉଁମାନେ ତାଙ୍କୁ ଦେଖି ଏହା ଏକ ଠିକ ନିଷ୍ପତ୍ତି କି ନୁହେଁ ସନ୍ଦେହ ପ୍ରକଟ କରୁଥିଲେ, ପରବର୍ତ୍ତୀ ସମୟରେ ସେହି ପରିବର୍ତ୍ତନକୁ ଗ୍ରହଣ କଲେ । ଏକଥା ସ୍ୱୀକାର କରିବାକୁ ପଡ଼ିବ ସମ୍ବାଦକୁ ୪୦ ବର୍ଷ ହୋଇଥିଲେ ବି ଆଗଧାଡ଼ିର ପ୍ରତିଦ୍ବନ୍ଦୀ ଖବରକାଗଜ ତୁଳନାରେ ସମ୍ବାଦର ବୟସ କମ୍ । ହେଲେ ସମ୍ବାଦ ଯେତିକି ଓଡ଼ିଶା ଗଣମାଧ୍ୟମକୁ ପ୍ରଭାବିତ କରିଛି କ୍ଵଚିତ ଅନ୍ୟକୌଣସି ଗଣମାଧ୍ୟମ ସେଭଳି ସମର୍ଥ ହୋଇଛନ୍ତି । ଓଡ଼ିଶା ଛାପା ସାମ୍ବାଦିକତାରେ ଆଧୁନିକୀକରଣର ଅଧିକାଂଶ ଶ୍ରେୟ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ପାଖକୁ ଯାଏ । ଓଡ଼ିଶାରେ ପ୍ରଥମେ ଖବର କାଗଜ ପାଇଁ ଅଫସେଟ ପ୍ରିଣ୍ଟି ମେସିନ ସୌମ୍ୟବାବୁ ଆଣିଥିଲେ । ଯେତେବେଳେ ଖବର କାଗଜରେ ଦିନେ ଦୁଇ ଦିନ ପୁରୁଣା ଖବର ବାହାରୁଥିଲା ସନ୍ଧ୍ୟାରେ ଖବରକାଗଜ ଛପା ହୋଇ ପାଠକଙ୍କ ପାଖକୁ ଆସୁଥିଲା ସେତେବେଳେ ଆଜି ଆମେ ଦେଖୁଥିବା ପ୍ରାତଃକାଳୀନ ସଂସ୍କରଣ ପରିକଳ୍ପନା ସୌମ୍ୟବାବୁ କରିଥିଲେ । ସେ ନାରା ଦେଇଥିଲେ ଆଜି ଖବର ଆଜି ଓ ବାସି ଖବର ଯୁଗ ଶେଷ । ଖବରକାଗଜ ଗୁଡ଼ିକ ଯେତେବେଳେ କଳାଧଳାରେ ଛପା ଯାଉଥିଲା ସେତେବେଳେ ରବିବାର ରଙ୍ଗର ବାର କହି ସପ୍ତାହର ଗୋାଟିଏ ଦିନ କହି ରଙ୍ଗୀନ ଖବର କାଗଜ ଭାବେ ବାହାରି ଥିଲା ସମ୍ବାଦ ।

ଅବଶ୍ୟ ପରେ ପ୍ରତିଦିନ କଲର ପ୍ରିଣ୍ଟି ବ୍ୟବସ୍ଥା ‘ସମୟ’ ଆରମ୍ଭ କରିଥିଲା । ସୌମ୍ୟ ପଟ୍ଟନାୟକ ସମ୍ବାଦର ପ୍ରତିଷ୍ଠାତା ଥିଲେ । କିନ୍ତୁ ସମ୍ବାଦ ପ୍ରଥମ ସମ୍ପାଦକ ଭାବେ ବିଶିଷ୍ଟ କଥାକାର ସୁରେନ୍ଦ୍ର ମହାନ୍ତି ଦାୟିତ୍ୱ ନେଇଥିଲେ । ପରବର୍ତ୍ତୀ ସମୟରେ ସୌମ୍ୟବାବୁ ସମ୍ପାାଦକ ହେଲେ । ସାମ୍ବାଦିକ ଓ ରାଜନୀତିର ଲକ୍ଷ୍ମଣରେଖାର ପ୍ରଶ୍ନ ଭିତରେ କିଛି ବର୍ଷ ପାଇଁ ଏହି ପଦବୀ ବରିଷ୍ଠ ସାମ୍ବାଦିକ ସମ୍ପଦ ମହାପାତ୍ରଙ୍କୁ ଛାଡ଼ି ଦେଇଥିଲେ । ପରେ ସେ ସମ୍ପାଦକ ପଦବୀକୁ ଫେରିଲେ । ଏବେ ନିକଟରେ ସେ ପଦବୀ ପୁଣି ଛାଡ଼ି ଦେଇଛନ୍ତି । ଅବଶ୍ୟ ଆଉ ଫେରିବାର ସମ୍ଭାବନା ମଧ୍ୟ ବିଶେଷ ନାହିଁ । ଏଇଥିପାଇଁ କୁହାଯାଉଛି ଓଡ଼ିଶା ମିଡିଆରେ ସୌମ୍ୟ ଯୁଗର ଅବସାନ ଘଟଛି । ସୌମ୍ୟ ପଟ୍ଟନାୟକଙ୍କ ଉଦ୍ୟମରେ ସମ୍ବାଦ ଏକ ନମ୍ବର ଖବରକାଗଜ ହୋଇଥିଲା । ସକାଳେ ଓଡ଼ିଶା କ’ଣ ପଢିବ ତାର ନିଷ୍ପତ୍ତି ସମ୍ବାଦ ନେଉଥିଲା । ଆଜି ଓଡ଼ିଶା ମିଡ଼ିଆରେ ଥିବା ଅନେକ ସାମ୍ବାାଦିକଙ୍କ ଖଡ଼ିଛୁଆଁ ସୌମ୍ୟ ପଟ୍ଟନାୟକଙ୍କ ଠାରୁ ହିଁ ହୋଇଛି । ତେବେ ସେହି ସାମ୍ବାଦିକମାନଙ୍କ ମଧ୍ୟରୁ କିଛି ବିଶ୍ୱାସଘାତକତା କରିବାରୁ ଏକ ଅପ୍ରତ୍ୟାଶିତ ପରିସ୍ଥିତିରେ ସୌମ୍ୟବାବୁଙ୍କୁ ସାମ୍ବାଦିକତାରୁ ଅବସର ନେବାକୁ ପଡ଼ିଲା କହିଲେ ଭୁଲ ହେବ ନାହିଁ । ତାଙ୍କ ଝିଅ ତନୟା ପଟ୍ଟନାୟକଙ୍କୁ ଆମେ ଶୁଭେଚ୍ଛା ଜଣାଉଛୁ ।

ସେ ତାଙ୍କ ବାପାଙ୍କର ସୁଯୋଗ୍ୟ ଉତ୍ତରାଧିକାରିଣୀ ହୋଇପାରନ୍ତି । ଓଡ଼ିଶା ମିଡ଼ିଆରେ ସୌମ୍ୟବାବୁ ଯେଉଁ ଗୌରବମୟ ମୁହୂର୍ତ୍ତର ନାୟକ ହୋଇଛନ୍ତି ତନୟା ତାହାକୁ ଅନେକ ବାଟ ଆଗକୁ ନେଇଯାଆନ୍ତୁ । ତେବେ ଏହା ସହିତ ଆମେ ଗୋଟେ ପ୍ରଶ୍ନର ଉତ୍ତର ମଧ୍ୟ ଜାଣିବାକୁ ଚାହୁଁଛୁ ଯାହାର ଉତ୍ତର କେବଳ ସୌମ୍ୟ ଆଉ ତନୟା ଦେଇପାରିବେ । ଅବଶ୍ୟ ଏଯାଏଁ ତାଙ୍କୁ ସିଧାସଳଖ ଆମେ ପ୍ରଶ୍ନ ପଚାରିନାହୁଁ । ପ୍ରଶ୍ନଟି ହେଉଛି ତନୟା କେବଳ ସାମ୍ବାଦିକ ଭାବରେ ସୌମ୍ୟଙ୍କ ଉତ୍ତରାଧିକାରିଣୀ ନା ରାଜନୈତିକ ଉତ୍ତରାଧିକାରିଣୀ ବି ହେବେ ?

Leave a Reply

Your email address will not be published. Required fields are marked *