https://youtu.be/IYSgETzgBtk
ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଜଗନ୍ନାଥ ମନ୍ଦିରରେ ଦର୍ଶନକୁ ନେଇ ଆଲେଖ୍ୟ ଲେଖିଛନ୍ତି ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ଏକ ସମ୍ବାଦପତ୍ରରେ ନିଜ ଆଳେଖ୍ୟରେ ସେ ଲେଖିଛନ୍ତି “ଉତ୍କଳେ ନେତାର ନାହିଁ ପ୍ରୟୋଜନ, ଉତ୍କଳର ନେତା ସ୍ୱୟଂ ନାରାୟଣ” । ଉତ୍କଳମଣି ଗୋପବନ୍ଧୁ ଯେଉଁ ମହାନ ଉଦ୍ଦେଶ୍ୟ ରଖି ଏ ଭଳି ବକ୍ତବ୍ୟ ଦେଇଥିଲେ ତାହା କଣ ପାଳିତ ହେଉଛି ! ଯେତେବେଳେ ମହାପଭୁ ଶ୍ରୀଜଗନ୍ନାଥ ସ୍ୱୟଂ ଏଠାରେ ବିଜେ କରିଛନ୍ତି, ସମାଜର ବା ଶାସନର ନେତୃତ୍ୱ ନୀତିବାଦୀ, ଆଦର୍ଶବାଦୀ , ଜନ ହିତକାରୀ ଓ ସ୍ୱଚ୍ଛ ହେବା ବାଂଛନୀୟ । ଏହା ଥିଲା ସମାଜକୁ ଉତ୍କଳମଣିଙ୍କର ଦିଗଦର୍ଶନ । ଉତ୍କଳର ଅତୀତର ଗୌରବ ଗରିମାର ପର୍ଯ୍ୟାଲୋଚନା କଲେ ଜଣାଯାଏ, ଯେ, ଏହାର ମହାପ୍ରତାପୀ ଦିଗବିଜୟୀ ସମ୍ରାଟମାନେ ବିଶ୍ୱନିୟନ୍ତା ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଉତ୍କଳର ରାଜାଧିରାଜ ଓ ପ୍ରକୃତ ଶାସକ ଓ ସେମାନେ ତାଙ୍କର ପ୍ରତିନିଧି ବା ରାଉତ ଭାବରେ ଉତ୍କଳକୁ ଶାସନ କରୁଥିଲେ ବୋଲି କହି ଗର୍ବ ଅନୁଭବ କରୁଥିଲେ । ମହାପ୍ରଭୁ ଶ୍ରୀଜଗନ୍ନାଇଙ୍କ ପ୍ରତି ଗୋପବନ୍ଧୁଙ୍କର ଅଖଣ୍ଡ ଭକ୍ତି, ବିଶ୍ୱାସ, ଭରସା ଓ ଉତ୍କଳର ଅଭୂତପୂର୍ବ ଶାସକୀୟ ପରମ୍ପରାକୁ ଧ୍ୟାନରେ ରଖି ହୁଏତ ସେ ଏ ଭଳି ବକ୍ତବ୍ୟ ଦେଇଥିଲେ । ଦେଶର ସ୍ୱାଧୀନତା ସଂଗ୍ରାମରେ ଉତ୍କଳର ନେତୃତ୍ୱ ନେଇ ନୀତି, ନୈତିକତା, ତ୍ୟାଗ ଓ ଦେଶପ୍ରେମରେ ପ୍ରତ୍ୟେକ ବ୍ୟକ୍ତି କିଭଳି ଉଦବୁଦ୍ଧ ହୁଅନ୍ତୁ ଓ ନିଜ ରାଜ୍ୟ, ସମାଜ ଓ ଦେଶପାଇଁ ଲଢ଼େଇ କରନ୍ତୁ ଓ ଆତ୍ମବଳି ଦିଅନ୍ତୁ ସେକଥା ସେ ଚିନ୍ତା କରିଥିଲେ ।
ଦେଶକୁ ବିଦେଶୀ ଇଂରେଜଙ୍କ ଦାସତ୍ୱରୁ ମୁକ୍ତ କରିବା ସହ ସାଧାରଣ ମଣିଷ ବା ଦେଶବାସୀଙ୍କୁ କିଭଳି ସୁଶାସନ ଦିଆଯିବ ସେକଥା ଭାବି ପ୍ରଭୁ ଜଗନ୍ନାଥଙ୍କ ଯେଉଁ ମହାନ ଭୂମି ଉପରେ ଅବତିନ୍ନ ହୋଇଛନ୍ତି ସେଠାରେ ଏହାର ବ୍ୟତିକ୍ରମ ହେବ ନାହିଁ ବୋଲି କଳ୍ପନା କରୁଥିଲେ । ସାଧାରଣ ଲୋକ ସୁଶାସନ ପାଇବେ ଓ ଶାସକ ଅଂହକାରଶୂନ୍ୟ ଜନହିତକାରୀ ହେବ, ତାହା ଥିଲା ଗୋପବନ୍ଧୁଙ୍କର ଅଭିବ୍ୟକ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ବିଭିନ୍ନ ସମୟରେ ଶ୍ରୀମନ୍ଦିରକୁ ଯାଇଛି । ନିକଟରେ ଆହୁରି ଏକ କାର୍ଯ୍ୟକ୍ରମରେ ଓଡ଼ିଶାର ସଂସ୍କୃତି ଓ ଜଗନ୍ନାଥ ସଂସ୍କୃତି ଉପରେ କହିବା ପାଇଁ ପୁରୀ ଯାଇଥିଲି । ପୁରୀ ଆୟୁର୍ବେଦିକ କଲେଜର ପ୍ରେକ୍ଷାଳୟରେ ତାହା ଅନୁଷ୍ଟିତ ହୋଇଥିଲା । ପୁରୀଧାମକୁ ଯାଇ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ ନ କରି କିଭଳି ଫେରିଆସିବି । ମହାପ୍ରଭୁଙ୍କର ମୁଁ ସାଧାରଣ ଭକ୍ତଟିଏ । ପ୍ରଭୁଙ୍କ କୃପାରୁ ଓଡ଼ିଶା ସରକାରରେ ଆଇନମନ୍ତ୍ରୀ ଭାବେ ମୋର ଆଇନ ବିଭାଗ ଜରିଆରେ ୧୩ ବର୍ଷ ଧରି ପ୍ରଭୁଙ୍କ ସେବା କରିବାର ସୁଯୋଗ ପାଇଛି । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଆଇନରେ ୨୦୦୨, ୨୦୦୩ ଓ ୨୦୦୪ ମସିହାରେ ସଂଶୋଧନ ସବୁ କରି ଜଗନ୍ନାଥ ମନ୍ଦିର ପରିଚାଳନା କମିଟିକୁ ଉଚ୍ଚସ୍ତରୀୟ କମିଟିରେ ପରିଣତ କରିବାରେ ମୋର ପ୍ରମୁଖ ଭୂମିକା ଥିଲା । ଏଥିରେ ଗଜପତି ମହାରାଜା ଓ ସେବାୟତମାନଙ୍କର ବହୁ ସହଯୋଗ ମିଳିଛି । ଶ୍ରୀମନ୍ଦିରର ଓ ସେବାୟତମାନଙ୍କ ସମସ୍ୟା ଏବଂ ଠାକୁରଙ୍କ ନୀତିକାନ୍ତି ବିଷୟରେ ଅଲୋଚନା କରି ବିଭିନ୍ନ ସଂସ୍କାର ଆଣିଛି ।
ମୋ ମତରେ ପ୍ରଭୁ ଜଗନ୍ନାଥଙ୍କର କୃପା ଥିଲେ ଜଗତର ଏମିତି କୌଣସି ସମସ୍ୟା ନାହିଁ ଯାହା ଆଲୋଚନା ଜରିଆରେ ସମାଧାନ ହୋଇପାରିବ ନାହିଁ । ଗଜପତି ମହାରାଜ ଓ ସେବାୟତମାନଙ୍କ ସହ ଆଲୋଚନା କରି ଅନେକ ସମସ୍ୟାର ସମାଧାନ କରିବାରେ ସକ୍ଷମ ହୋଇଛି । ଏଠାରେ କୌଣସି ବ୍ୟକ୍ତି ବା ଶାସକର ଅହଂକାର ବା ମନମୁଖୀ ନିଷ୍ପତ୍ତିର ସ୍ଥାନ ନାହିଁ । ସେଥିପାଇଁ ପରା ଉତ୍କଳମଣି କହିଥିଲେ, ଉତ୍କଳର ନେତା ସ୍ୱୟଂ ନାରାୟଣ । ଏସବୁର ଅବତାରଣା କରିବାର ଉଦ୍ଦେଶ୍ୟ ହେଉଛି, ଜଗନ୍ନାଥ ମନ୍ଦିର କେତେକ ବ୍ୟବସ୍ଥା ଓ କାର୍ଯ୍ୟ ମୋତେ ଅତ୍ୟନ୍ତ ବ୍ୟଥିତ କରିଛି । ଏହା କେବଳ ମୋ ମନର ବ୍ୟଥା ଓ ବେଦନା ନୁହେଁ, କୋଟି କୋଟି ଜଗନ୍ନାଥପ୍ରେମୀ ଓ ଭକ୍ତଙ୍କ ଏହା ମନର ବେଦନା । ଏ ସଂପର୍କରେ ଅନେକ ଭକ୍ତ ବିଶିଷ୍ଟ ଲୋକ ମୋ ସହ ଆଲୋଚନା କରିଛନ୍ତି । ଏ ସବୁ ଦେଖି ମୁଁ କାହିଁକି କିଛି କହୁନାହିଁ ବୋଲି ପ୍ରଶ୍ନ ମଧ୍ୟ କରିଛନ୍ତି । ରାଜ୍ୟପାଳ ଭଳି ଏକ ସାମ୍ବିଧାନିକ ପଦରେ ରହିବା ପରେ ମୋତେ କେତେକ ବିଧି ନିୟମ ଓ କଟକଣା ଭିତରେ ଚଳିବାକୁ ହେଉଛି । ଶ୍ରୀମନ୍ଦିର ବେଢ଼ା ପରିକ୍ରମା ପ୍ରକଳ୍ପ ଉପରେ ବହୁ ବ୍ୟକ୍ତି ଓ ଗଣମାଧ୍ୟମ ମୋର ମତାମତ ଲୋଡିଛନ୍ତି । ମୁଁ ସବୁବେଳେ କହିଛି ଯେ ବେଢା ପରିକ୍ରମା ପ୍ରକଳ୍ପରେ ମୋର କୌଣସି ଆପତ୍ତି ନାହିଁ । କିନ୍ତୁ ଶ୍ରୀମନ୍ଦିରର ସମସ୍ତ ଐତିହକୁ ବଜାୟ ରଖି ପରିକ୍ରମା ପ୍ରକଳ୍ପ କରାଯାଉ । ସମଗ୍ର ବିଶ୍ୱରେ ଯେଉଁ କୋଟି କୋଟି ଭକ୍ତ ଅଛନ୍ତି ସେମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଆସୁଛନ୍ତି । ପ୍ରଭୁଙ୍କ ଦର୍ଶନ କରି ସେମାନେ ଅପାର ଆନନ୍ଦ ଲାଭ କରନ୍ତି ଓ ନିଜକୁ କୃତାର୍ଥ ମନେକରନ୍ତି । ଦର୍ଶନ ସାରି କତିପୟ ବ୍ୟକ୍ତି ଯଦି ବେଢ଼ା ପରିକ୍ରମା ପ୍ରକଳ୍ପ ଓ ତାର ଚାକଚକ୍ୟ ଦେଖିବାରେ ଆଗ୍ରହ ପ୍ରକାଶ କରିବେ ସେଥିରେ ଆମର ଆପତ୍ତି କରିବାର କ’ଣ ଅଛି । ଏ ପ୍ରକଳ୍ପ ଯୋଗୁ ଭକ୍ତ ତା ଭଗବାନକୁ ମନଭରି ଦର୍ଶନ କରି ଯେଉଁ ଆନନ୍ଦ ଓ ଆତ୍ମସନ୍ତୋଷ ଲାଭ କରେ ସେଥିରେ କୌଣସି ପ୍ରତିବନ୍ଧକ ସୃଷ୍ଟି ନହେଉ ।
ଗଣ ମାଧ୍ୟମରେ ଅନେକ ସମୟରେ ପ୍ରକାଶ ପାଉଛି ଯେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତି ଠିକ୍ ସମୟରେ ସମ୍ପାଦିତ ହୋଇପାରୁନାହିଁ । ସେଥିପାଇଁ ଭକ୍ତମାନେ ପ୍ରଭୁଙ୍କ ଦର୍ଶନ କରିବାରେ କଷ୍ଟ ଭୋଗୁଛନ୍ତି । ଏହାର କ’ଣ ପ୍ରତିକାର କରାଯାଇପାରବ ନାହିଁ! ଅନେକ ସମୟରେ ସେବାୟତମାନଙ୍କର କେତେକ ଦାବି ମନ୍ଦିର ପ୍ରଶାସନ ପୂରଣ କରୁନଥିବାରୁ ସେମାନେ ପ୍ରଭୁଙ୍କ ସେବାରେ କେବଳ ବ୍ୟତିକ୍ରମ କରୁନାହାନ୍ତି, ଠାକୁରଙ୍କୁ ଘଣ୍ଟାଘଣ୍ଟା ଧରି କେତେବେଳେ ଦିନ ଦିନ ଧରି ଉପାସ ରଖୁଛନ୍ତି । କେହି କେବେ ଚିନ୍ତା କରିଛନ୍ତି କି ଜନସାଧାରଣ ଓ ଅସଂଖ୍ୟ ଭକ୍ତଙ୍କ ମନରେ ଏହା କେତେ ଯନ୍ତ୍ରଣା ସୃଷ୍ଟି କରୁଛି? ସେବାୟତମାନେ ସେ କଥା ଚିନ୍ତା କରିବା ଆବଶ୍ୟକ । ସେମାନେ ପରା ମହାପ୍ରଭୁଙ୍କର ଶ୍ରେଷ୍ଟ ଭକ୍ତ । ସେମାନେ ସେଭଳି ସୌଭାଗ୍ୟ ପାଇଥିବାରୁ ମହାପ୍ରଭୁଙ୍କ ନୀତିକାନ୍ତି ଓ ସେବାପୂଜା କରିବାର ଅଧିକାର ପାଇଛନ୍ତି । ଶ୍ରୀଜଗନ୍ନାଥଙ୍କର ନୀତିକାନ୍ତି ଓ ସମସ୍ତ ସେବା ପୂଜା ଠିକ୍ ସମୟରେ ହୋଇନ ପାରିଲେ ଏବଂ ସେଥିରେ ପ୍ରଶାସନ ଅବହେଳା କଲେ ସେମାନେ ବରଂ ପ୍ରତିବାଦର ସ୍ୱର ଉତ୍ତେଳନ କରିବା ବା ଆନ୍ଦୋଳନ କରିବା କଥା । ସେହିଭଳି ସେବାୟତମାନଙ୍କର କୌଣସି ନାର୍ଯ୍ୟ ଦାବି ପୂରଣ ପାଇଁ ଶାସନ ବା ପ୍ରଶାସନ ପାଖରେ ତାହା ଉପସ୍ଥାପନ କରିବା ବା ଆନ୍ଦୋଳନ କରିବାର ଅଧିକାର ସେମାନଙ୍କର ରହିଛି । କିନ୍ତୁ ତାହା ନକରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଉପାସ ରଖିବା କେତେ ବଡ଼ ଅନ୍ୟାୟ! ସେମାନେ ମହାପ୍ରଭୁଙ୍କ ସେବକ ଓ ସବୁଠାରୁ ବଡ଼ ଭକ୍ତ । ପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ସମଗ୍ର ବିଶ୍ୱର ସର୍ବମୟ କର୍ତ୍ତା । ତାଙ୍କୁ ତାଙ୍କର ପ୍ରିୟ ସେବାୟତ ତଥା ଭକ୍ତ ନିଜର ସମସ୍ୟା ଦାବି ପାଇଁ ଉପାସ ରଖିବା କେତେ ଦୁଃଖଦାୟକ ! ସେବାୟତଙ୍କ ନାର୍ଯ୍ୟ ଦାବି ପୂରଣ କରିବାର ଅଧିକାର ତ ମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କର । ସେଠାରେ ନିଜର ଦାବି ଉପସ୍ଥାପନ କରିବା ପରିବର୍ତ୍ତେ ମହାପ୍ରଭୁଙ୍କୁ ଉପବାସ ରଖିବା କେତେ ଯୁକ୍ତି ସଂଗତ! ଏହା ତ ଠିକ୍ ନିଜର କୌଣସି ଇଛା ପୂରଣ ନହେଲେ ଘରର ମୂରବି, ଯେ ସେମାନଙ୍କୁ ପାଳିପୋଷି ସମସ୍ତ ସ୍ନେହ, ମମତା ଦେଇ ମଣିଷ କରିଛି ତାକୁ ଭୋକ ଉପାସରେ ରଖିବା ଭଳି କଥା ।
ସେବାୟତମାନେ ଭୁଲିଯାଆନ୍ତୁ ନାହିଁ ଯେ ଦୀର୍ଘ ଅତୀତରେ ଶ୍ରୀମନ୍ଦିର ଉପରେ ମୋଗଲମାନେ ଆକ୍ରମଣ କରୁଥିଲାବେଳେ ପ୍ରଭୁଙ୍କର ସୁରକ୍ଷା ପାଇଁ ସେମାନେ ଅସ୍ତ୍ରଉତ୍ତୋଳନ କରୁଥିଲେ, ଯୁଦ୍ଧ କରୁଥିଲେ, ପ୍ରାଣବଳୀ ଦେଉଥିଲେ । ନିଜ ଜୀବନକୁ ଖାତିର ନ କରି ମନ୍ଦିରରୁ ଶ୍ରୀ ଜଗନ୍ନାଥଙ୍କୁ ସମସ୍ତ ସୁରକ୍ଷା ଦେଇ ମନ୍ଦିର ବାହାରକୁ ନେଇଯାଉଥିଲେ ଓ ଗୋପନୀୟ ସ୍ଥାନରେ ରଖୁଥିଲେ । ସେଥିପାଇଁ ଅସୀମ କଷ୍ଟଯନ୍ତ୍ରଣା ଭୋଗ କରୁଥିଲେ । ସେ ଲୋମହର୍ଷଣକାରୀ ଲମ୍ବା ଇତିହାସ ବା କାହାଣୀର ଅବତାରଣା କରିବା ଏଠାରେ ସମ୍ଭବ ନୁହେଁ । ସେବାୟତ ବନ୍ଧୁଙ୍କୁ ଅନୁରୋଧ କରୁଛି ମହାପ୍ରଭୁଙ୍କୁ କେବେ ଏଭଳି ଉପାସ ରଖନ୍ତୁ ନାହିଁ । ବରଂ ଛାତିକୁ ପିଟି କୁହନ୍ତୁ ଆମ ମହାପ୍ରଭୁଙ୍କୁ ଉପାସରେ ରଖିଲାଭଳି ପରିସ୍ଥିତି କେହି ସୃଷ୍ଟ କରନ୍ତୁ ନାହିଁ । ଏହା କଲେ ସେବାୟତଙ୍କ ମହାନତା ପାଖରେ ଜନସାଧାରଣ ମଥାନତ କରିବେ ଓ କୋଟିକୋଟି ଭକ୍ତ ସେବାୟତମାନଙ୍କୁ ଧନ୍ୟ ଧନ୍ୟ କହିବେ, ଭକ୍ତି ଓ ସମ୍ମାନ ପ୍ରଦର୍ଶନ କରିବେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ ବେଦନାଦାୟକ ପ୍ରସଙ୍ଗ ଟି ହେଲା ଭକ୍ତମାନଙ୍କୁ ଶୃଙ୍ଖଳିତ ଦର୍ଶନ କରିବାକୁ ଯାଇ ସେମାନଙ୍କୁ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଠିଆ କରି ରଖିବା । ଆଗରୁ ଗଣମାଧ୍ୟମ ଜରିଆରେ ଶୁଣିଥିଲି ଓ ଦେଖିଥିଲି ଏବେ ସ୍ୱଚକ୍ଷୁରେ ଭକ୍ତମାନଙ୍କର ଏ ଦୁର୍ଦ୍ଦଶା ଦେଖିଲି । ମାର୍କେଟ ଛକ ପାଖରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଲମ୍ବା ଧାଡ଼ି ଦେଖିବାକୁ ପାଇଲି । ଧାଡ଼ିରେ ଅନେକ ବୃଦ୍ଧ, ବୃଦ୍ଧା, ପିଲାଛୁଆମାନେ ଘଣ୍ଟା ଘଣ୍ଟା ଧରି ଠିଆ ହୋଇ ଦର୍ଶନ କରିବାକୁ ଅପେକ୍ଷା କରିଛନ୍ତି । କିଏ ହାଲିଆ ହୋଇ ବସିପଡୁଛି ତ କିଏ କିଛି ସମୟ ପାଇଁ ଶୋଇଯାଉଛି ।
କେତେ ଶ୍ରଦ୍ଧା ଓ ଭକ୍ତିରେ, କେତେ ଆବେଗରେ ଦେଶର, ବିଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରଭୁଙ୍କୁ ଦର୍ଶନ କରିବାକୁ ଦୌଡି ଆସୁଛନ୍ତି ସେମାନେ! ସେମାନଙ୍କ ମନର ଭାବନା, ଭକ୍ତି ଓ ଆବେଗକୁ ଆମେ କେବେ ବୁଝିବାକୁ ଚେଷ୍ଟା କରିଛେ ! ଘଣ୍ଟା ଘଣ୍ଟା ଧରି ଏପରିକି ୫-୬ଘଣ୍ଟା ପର୍ଯ୍ୟନ୍ତ ଧାଡିରେ ପ୍ରଚଣ୍ଡ ଖରା ଓ ବର୍ଷା ସମୟରେ ଠିଆ ହୋଇ କେତେ କଷ୍ଟ ଓ ଯନ୍ତ୍ରଣା ସେମାନେ ଭୋଗୁଛନ୍ତ ଆମେ କେବେ କଳ୍ପନା କରିଛେ । ସେ ଭିତରେ ବହୁ ଲୋକଙ୍କୁ ମଳତ୍ୟାଗ ବା ପରିସ୍ରା ଲାଗିଲେ ଯନ୍ତ୍ରଣାରେ କେତେ ଛଟପଟ ହେଉଥିବେ ସେମାନେ! ତା ଛଡା ସେଥିପାଇଁ ତ କୌଣସି ବ୍ୟବସ୍ଥା ନାହିଁ । ଏ ସବୁ ଶାସନ ଓ ପ୍ରଶାସନ ଅନୁଭବ କରିବା ଉଚିତ୍ । ବେଢ଼ା ପରିକ୍ରମା ପ୍ରକଳ୍ପ ଶ୍ରୀମନ୍ଦିରର ଗୋଟିଏ ଦ୍ୱାର ପଟେ କରି ଅନ୍ୟ ୩ ଦ୍ୱାରକୁ ଭକ୍ତଙ୍କ ପ୍ରବେଶ ପାଇଁ ଉନ୍ମୁକ୍ତ ରଖିଲେ ସେମାନେ ଯନ୍ତ୍ରଣାରୁ ଅନେକ ପରିମାଣରେ ମୁକ୍ତି ପାଇଯାଆନ୍ତେ । ଭକ୍ତ ଓ ଭଗବାନଙ୍କ ଭିତରେ ଏପ୍ରତିବନ୍ଧକ ସୃଷ୍ଟି କରିବା କେତେ ବଡ଼ ଅନ୍ୟାୟ! ପ୍ରଭୁ ଶ୍ରୀ ଜଗନ୍ନାଥ ପରା ସମଗ୍ର ବିଶ୍ୱର କର୍ତ୍ତା । ସେ ପରା ପତିତପାବନ । ତାଙ୍କର ଅବାଧ ଦର୍ଶନ ପାଇଁ ସମସ୍ତ ଭକ୍ତଙ୍କର ଅଖଣ୍ଡ ଅଧିକାର ରହିଛି ତେଣୁ ଏହାର ବିକଳ୍ପ ବ୍ୟବସ୍ଥା କରାଯାଉ । ଦର୍ଶନ ଶୃଙ୍ଖଳିତ ହେବା ସହିତ ଯନ୍ତ୍ରଣା ରହିତ ହେବା ଆବଶ୍ୟକ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଜଣେ ସାଧାରଣ ଭକ୍ତ ଭାବରେ ସରକାରଙ୍କୁ ଏ ମୋର ପରାମର୍ଶ ଓ ଅନୁରୋଧ ।