ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆସନ୍ତା ୧୫ ତାରିଖରୁ ରାଜ୍ୟରେ ରାତି ତାପମାତ୍ରା କମିପାରେ । ୧୭ ତାରିଖ ସୁଦ୍ଧା କେତେକ ଆଭ୍ୟନ୍ତରୀଣ ସ୍ଥାନରେ ପ୍ରାୟ ୨ରୁ ୩ ଡିଗ୍ରୀ କମିବ । କନ୍ଧମାଳ, କୋରାପୁଟ, ଗଜପତି, ମୟୂରଭଞ୍ଜ ଓ କେନ୍ଦୁଝରରେ ରାତି ତାପମାତ୍ରା ଅନ୍ୟ ସବୁ ଜିଲ୍ଲା ତୁଳନାରେ କମ୍ ରହିପାରେ । ଏ ସବୁ ସ୍ଥାନରେ କୁହୁଡ଼ି ଦେଖାଦେବ । ୩ରୁ ୪ ଦିନରେ ଓଡ଼ିଶାର କିଛି ସ୍ଥାନରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ହୋଇପାରେ ।
ସେହିଭଳି ୧୧ ତାରିଖରେ କଳାହାଣ୍ଡି, ରାୟଗଡ଼ା ଓ କୋରାପୁଟର କିଛି ସ୍ଥାନରେ ଅଧିକ ବର୍ଷା ହେବ । ଶନିବାର ଓ ରବିବାର ଦୁଇ ଦିନ ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି । ଏହି ସବୁ ସ୍ଥାନରେ ୩୦ରୁ ୪୦ କିମି ବେଗରେ ପବନ ବୋହିବ ବୋଲି ପୂର୍ବାନୁମାନ ଦିଆଯାଇଛି । ଗତ ୨୪ ଘଣ୍ଟାରେ ବାଲେଶ୍ୱରରେ ୧୧.୨ ମିମି ଓ ରାୟଗଡ଼ାରେ ୫.୪ ମିମି ବର୍ଷା ହୋଇଛି । ଖୁବଶୀଘ୍ର ରାଜ୍ୟକୁ ଶୀତ ଛୁଇଁବ । ଆସନ୍ତା ୧୫ ତାରିଖ ଆଡ଼କୁ ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ପଡ଼ିବା ଆରମ୍ଭ ହୋଇଯିବ ବୋଲି ଆକଳନ କରାଯାଉଛି । ପାଣିପାଗ ବିଶେଷଜ୍ଞଙ୍କ ମତରେ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିବ । ତେବେ ୧୩ ଓ ୧୪ ତାରିଖରେ ସମୁଦ୍ର ସଂଲଗ୍ନ ଜିଲ୍ଲାରେ ହାଲୁକାରୁ ସ୍ବଳ୍ପ ବର୍ଷା ହୋଇପାରେ ।
୧୫ ତାରିଖରୁ ରାତିରେ ତାପମାତ୍ରା କ୍ରମଶଃ କମିବ । ୧୭ ତାରିଖ ସୁଦ୍ଧା କେତେକ ଆଭ୍ୟନ୍ତରୀଣ ସ୍ଥାନରେ ପ୍ରାୟ ୨ରୁ ୩ ଡିଗ୍ରି ତାପମାତ୍ରା କମିପାରେ । କନ୍ଧମାଳ, କୋରାପୁଟ, ଗଜପତି, ମୟୂରଭଞ୍ଜ ଓ କେନ୍ଦୁଝର ତାପମାତ୍ରା ସବୁଠାରୁ କମ୍ ରହିବ । ଏହି ସବୁ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି କମ୍ ହେତୁ ଶିଶିରପାତ ସହ କୁହୁଡ଼ି ହେବାର ସମ୍ଭାବନା ରହିଛି । ୧୭ ତାରିଖରେ ଦକ୍ଷିଣ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ସମୁଦ୍ରରେ ୫ ଦିନରୁ ଅଧିକ ରହିବ । ଫଳରେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି । ତେବେ କେତେ ଘନୀଭୂତ ହେବ ଏବଂ ଏହା କେଉଁ ଆଡ଼କୁ ଗତି କରିବ ବର୍ତ୍ତମାନ ତାହା କହିହେବ ନାହିଁ ।
