ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଇରାନ-ଆମେରିକା ମଧ୍ୟରେ ଯୁଦ୍ଧବିରତି। ୨ସପ୍ତାହ ପାଇଁ ବନ୍ଦ ରହିବ ରକ୍ତପାତ। ଅସ୍ତ୍ରବିରତି ଘୋଷଣା କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ହୋର୍ମୁଜ୍ ପ୍ରଣାଳୀକୁ ଖୋଲିବାକୁ ଇରାନ ରାଜି ହେବା ପରେ ଯୁଦ୍ଧ ବିରତି ଘୋଷଣା ହୋଇଛି। ଟ୍ରମ୍ପ କହିଛନ୍ତି ଯେ, ଇରାନର ୧୦ ସୂତ୍ରୀ ପ୍ରସ୍ତାବ ଉପରେ ଆଲୋଚନା କରାଯିବ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଓ ସେନାମୁଖ୍ୟଙ୍କ ଅନୁରୋଧ ପରେ ଯୁଦ୍ଧ ଟଳିଲା। ଦୁଇ ସପ୍ତାହ ମଧ୍ୟରେ ଉଭୟ ପକ୍ଷରୁ କୌଣସି ଆକ୍ରମଣ ହେବ ନାହିଁ।
ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ୍ ସରିଫ ଏ ସମ୍ପର୍କରେ ଡୋନାଲଡ ଟ୍ରମ୍ପଙ୍କୁ ଅନୁରୋଧ କରିଥିଲେ । ଶେଷରେ ଟ୍ରମ୍ପ ଯୁଦ୍ଧବିରତି ପାଇଁ ରାଜି ହୋଇଛନ୍ତି । ଷ୍ଟ୍ରେଟ୍ ଅଫ୍ ହର୍ମୁଜ ଖୋଲିବା ସର୍ତ୍ତରେ ଯୁଦ୍ଧବିରତି ପାଇଁ ରାଜି ହୋଇଥିବା ଟ୍ରମ୍ପ ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି । ଅନ୍ୟପଟେ ଆମେରିକା ବିରୋଧରେ ଇରାନ ସହ ଏକାଠି ଛିଡ଼ାହେଲେ ରୁଷ ଓ ଚୀନ । ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଭିଟୋ ପାୱାରର ବ୍ୟବହାର କରି ହର୍ମୁଜ୍ ପ୍ରଣାଳୀ ଖୋଲିବା ପାଇଁ ବଳ ପ୍ରୟୋଗ ପ୍ରସ୍ତାବକୁ ବିରୋଧ କରିଛନ୍ତି । ବାହାରିନ ଦ୍ୱାରା ସୁରକ୍ଷା ପରିଷଦରେ ଆଗତ ପ୍ରସ୍ତାବକୁ ଚୀନ୍ ଏବଂ ରୁଷିଆ ଦ୍ୱାରା ଭିଟୋ ପ୍ରୟୋଗ କରିଛନ୍ତି ।
ଏହି ପ୍ରସ୍ତାବ ସପକ୍ଷରେ ୧୧ଟି ଭୋଟ ପଡ଼ିଥିବା ବେଳେ କଲମ୍ବିଆ ଏବଂ ପାକିସ୍ତାନ ଭୋଟଦାନରୁ ବିରତ ରହିଥିଲେ । ମଙ୍ଗଳବାରର ପ୍ରସ୍ତାବଟି ସୁରକ୍ଷା ପରିଷଦର ପର୍ଯ୍ୟାୟକ୍ରମେ ସଭାପତି ପଦ ଧାରଣ କରୁଥିବା ବାହାରିନ ଦ୍ୱାରା ଏବଂ ଗଲ୍ଫ ସହଯୋଗ ପରିଷଦ ସଦସ୍ୟ ରାଷ୍ଟ୍ର ଏବଂ ଜୋର୍ଡାନ ସହିତ ସମନ୍ୱୟରେ ପ୍ରସ୍ତୁତ କରାଯାଇଥିଲା । ବାହାରିନର ପ୍ରାରମ୍ଭିକ ପ୍ରସ୍ତାବ ଦେଶଗୁଡ଼ିକୁ ସମସ୍ତ ଆବଶ୍ୟକ ପଦକ୍ଷେପ ବ୍ୟବହାର କରିବାକୁ ଅନୁମତି ଦେଇଥିଲା, ଯାହା ଜାତିସଂଘର ଭାଷାରେ ସାମରିକ କାର୍ଯ୍ୟାନୁଷ୍ଠାନ ଅନ୍ତର୍ଭୁକ୍ତ ହୋଇଥାନ୍ତା । ଏହାଦ୍ୱାରା ହର୍ମୁଜ୍ ପ୍ରଣାଳୀ ଦେଇ ନୌଚାଳନା ସୁନିଶ୍ଚିତ ହୋଇପାରିବ ଏବଂ ଏହାକୁ ବନ୍ଦ କରିବାର ପ୍ରୟାସକୁ ରୋକିବାକୁ ହେବ ।
