ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଗରମ, ଗୁଳୁଗୁଳିରୁ ନିସ୍ତାର ନାହିଁ । ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ହିଟୱେଭ ନେଇ ପାଣିପାଗ ବିଭାଗର ପୂର୍ବାନୁମାନ । ୪୫ ଡିଗ୍ରୀ ଡେଇଁବ ଦିନ ତାପମାତ୍ରା । ରାତିରେ ପ୍ରବଳ ଗରମ ହେବ । ସୋମବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହୋଇପାରେ । ଟିଟିଲାଗଡ଼, ବଲାଙ୍ଗୀର ଓ ଝାରସୁଗୁଡ଼ାରେ ଦିନ ତାପମାତ୍ରା ୪୩ ଡିଗ୍ରୀ ଛୁଇଁପାରେ ।
ବରଗଡ଼ରେ ୪୨ ଓ ବୌଦ୍ଧରେ ୪୧ ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ତାପମାତ୍ରା ଅପେକ୍ଷାକୃତ କମ ରହିବ ।୧୮ ଏପ୍ରିଲ ଯାଏଁ ଗରମ ଗୁଳୁଗୁଳିକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତାକାଲି ପାଇଁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, ଗଞ୍ଜାମ, ଗଜପତି, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକରେ ବାୟୁମଣ୍ଡଳରେ ଆଦ୍ରତା ଅଧିକ ରହିବା କାରଣରୁ ଗୁଳୁଗୁଳି ଜାରି ରହିବ ବୋଲି କହିଛି ପାଣିପାଗ କେନ୍ଦ୍ର ।
