ବାରିପଦା (ବଡ଼ ଖବର ବ୍ୟୁରୋ): ପାଣିପଡ଼ା ଗ୍ରାମ ନିକଟ ସୁବର୍ଣ୍ଣରେଖା ନଦୀରେ ବାହାରିଲା ଦ୍ଵିତୀୟ ବିଶ୍ୱଯୁଦ୍ଧ ସମୟର ବୋମା । ମୟୂରଭଞ୍ଜ ଜିଲ୍ଲା ସୀମାନ୍ତବର୍ତ୍ତୀ ଝାରଖଣ୍ଡ ରାଜ୍ୟ ପାଣିପଡ଼ା ଗ୍ରାମର ସୁବର୍ଣ୍ଣରେଖା ନଦୀ କୂଳରେ ପୁଣି ଥରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଏକ ସନ୍ଦିଗ୍ଧ ବୋମା ଦେଖିବାକୁ ମିଳିଛି । ଭାରତୀୟ ସେନାର ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଁଚି ଯାଞ୍ଚ କରିଛନ୍ତି । କିଛିଦିନ ପୂର୍ବରୁ ମଧ୍ୟ ଏହି ସ୍ଥାନରୁ ଦୁଇଟି ବୋମା ମିଳିଥିଲା ଏବଂ ସେହି ଦୁଇଟି ବୋମାକୁ ପ୍ରାୟ ୧୦ ରୁ ୧୫ ଫୁଟ ଗଭୀର ଏକ ଗାତରେ ରଖାଯାଇ ସୁରକ୍ଷିତ ଭାବରେ ବିସ୍ଫୋରଣ କରାଯାଇଥିଲା।
ଆଗାମୀ ଦିନରେ ସ୍ଥାନୀୟ ଗ୍ରାମବାସୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭବିଷ୍ୟତରେ ଯେକୌଣସି ବଡ଼ ଦୁର୍ଘଟଣାକୁ ରୋକିବା ପାଇଁ ଏକ ବ୍ୟାପକ ତଦନ୍ତ ପାଇଁ ଦାବି ବୃଦ୍ଧି ପାଉଛି। ଘଟଣାର ଖବର ପାଇବା ପରେ ସ୍ଥାନୀୟ ପ୍ରଶାସନ ଏବଂ ସୁରକ୍ଷା ସଂସ୍ଥାଗୁଡ଼ିକ ତୁରନ୍ତ ହାଇ ଆଲର୍ଟ ଜାରି କରିଛନ୍ତି। ସୁରକ୍ଷା ଦୃଷ୍ଟିରୁ ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି ଏବଂ ସ୍ଥାନୀୟ ବାସିନ୍ଦାମାନଙ୍କୁ ନଦୀ ନିକଟବର୍ତ୍ତୀ ଅଞ୍ଚଳକୁ ଯିବାକୁ କଡ଼ା ବାରଣ କରାଯାଇଛି।
