ଚେନ୍ନାଇ (ବଡ଼ ଖବର ବ୍ୟୁରୋ): ଆଜି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ବିଜୟଙ୍କ ଫ୍ଲୋର୍ ଟେଷ୍ଟ । କଂଗ୍ରେସ ଓ ବାମଦଳ ସହାୟତାରେ ସରକାର ଗଢିଛନ୍ତି ବିଜୟ । ଟିଭିକେ ନିକଟରେ ରହିଛନ୍ତି ୧୦୮ ବିଧାୟକ । ସଙ୍କଟରେ AIADMK ଦଳର ରାଜନୈତିକ ଭବିଷ୍ୟତ । ୪୭ ବିଧାୟକଙ୍କ ମଧ୍ୟରୁ ୩୦ ଜଣ ଟିଭିକେ ସମର୍ଥନରେ ରହିଥିବା ସୂଚନା । ଦୁଇ ତୃତୀୟାଂଶ ବିଧାୟକଙ୍କୁ ଆଣିଲେ ଟିଭିକେରେ ବିଲୟ ହୋଇପାରେ AIADMK ।ମଙ୍ଗଳବାର ମୁଖ୍ୟମନ୍ତ୍ରୀ ତଥା ଟିଭିକେ ମୁଖ୍ୟ ସି. ଜୋସେଫ୍ ବିଜୟ ଏଆଇଏଡିଏମ୍କେର ବିଦ୍ରୋହୀ ବିଧାୟକଙ୍କ ନେତା ଏସ୍ପି ବେଲମଣି ଏବଂ ସିଭି ସନମୁଗମ୍ଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ବେଶ୍ ଗୁରୁତ୍ୱପୂର୍ଣ୍ଣ ।
କାରଣ ବେଲୁମଣି-ଷନମୁଗମ ଗୋଷ୍ଠୀ ପାଖରେ AIADMKର ୪୭ ବିଧାୟକଙ୍କ ମଧ୍ୟରୁ ୩୦ ବିଧାୟକଙ୍କ ସମର୍ଥନ ରହିଥିବା କୁହାଯାଉଛି। ଏହି ବିଧାୟକମାନେ ବୁଧବାର ବହୁମତ ପ୍ରମାଣ କରିବା ଲାଗି ହେବାକୁ ଥିବା ଫ୍ଲୋର ଟେଷ୍ଟରେ ଟିଭିକେ ସରକାର ପକ୍ଷରେ ନିଜ ସମର୍ଥନ ଦେବେ ବୋଲି ସନ୍ମଗମ୍ ଘୋଷଣା କରିଛନ୍ତି । ଏହା ହେଲେ ଏଆଇଏଡିଏମ୍କେରେ ବିଭାଜନ ହେବାର ଆଶଙ୍କା ରହିଛି । ତେବେ ଦଳକୁ ସେ ବିଭାଜିତ କରିବାକୁ ଚାହାନ୍ତିନି ବୋଲି ସନ୍ମଗମ୍ କହିଛନ୍ତି । ତାମିଲନାଡ଼ୁ ବିଧାନସଭାରେ ଟିଭିକେ ସରକାର ବୁଧବାର ଫ୍ଲୋର ଟେଷ୍ଟ ଦେବ ।
ଟିଭିକେ ବହୁମତ ସାବ୍ୟସ୍ତ କରିବା ଲାଗି ୧୧୮ ବିଧାୟକଙ୍କ ସମର୍ଥନ ଥିବା ପ୍ରମାଣ ଦେବେ । ୨୩୪ ସଦସ୍ୟ ବିଶିଷ୍ଟ ବିଧାନସଭାରେ ଟିଭିକେ ପାଖରେ ୧୦୭ ବିଧାୟକ ଥିବା ବେଳେ କଂଗ୍ରେସ, ବାମ ଦଳ, IUML ଏବଂ VCKର ୧୩ ବିଧାୟକଙ୍କ ସମର୍ଥନ ରହିଛି । ଯଦି AIADMKର ୩୦ ବିଧାୟକ TVKକୁ ସମର୍ଥନ କରନ୍ତି ତେବେ ଏହି ମେଣ୍ଟରେ ମୋଟ ବିଧାୟକଙ୍କ ସଂଖ୍ୟା ୧୫୦ ହୋଇଯିବ ।
