ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କଳ୍ପନାଜଳ୍ପନାର ହେଲା ଅନ୍ତ । ବିଜେଡିରେ ବିଧିବଦ୍ଧ ଭାବେ ଯୋଗଦେଲେ ସୁଜାତା । ଶଙ୍ଖ ଭବନରେ ଦଳର ସଭାପତି ନବୀନ ପଟ୍ଟନାୟକ ଦେଲେ ଉତ୍ତରି । ଶଙ୍ଖ ଶିବିରକୁ ନେଲେ ପାଛୋଟି । ଦଳର ସାଂସଦ, ବିଧାୟକ ଏବଂ ନେତାଙ୍କ ଗହଣରେ ଶଙ୍ଖ ଫୁଙ୍କିଛନ୍ତି ପାଣ୍ଡିଆନଙ୍କ ଧର୍ମପତ୍ନୀ । ସୁଜାତାଙ୍କୁ ନେଇ ନେତାଙ୍କ ଭିତରେ ଅନେକ ଆଶା ଆଶଙ୍କା ରହିଥିବା ବେଳେ ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ମିଶ୍ରଣ ପର୍ବକୁ ନେଇ ବିରୋଧୀ ଦଳ ନେତା ତଥା ଦଳପତି ନବୀନ କହିଛନ୍ତି ଯେ, ସୁଜାତା ଦଳର ଜଣେ ସାଧାରଣ କର୍ମୀ ଭାବରେ କାର୍ଯ୍ୟ ତୁଲାଇବେ । ଆଇଏଏସ୍ ଭାବରେ ରାଜ୍ୟବାସୀଙ୍କ ପାଇଁ କାର୍ଯ୍ୟ କରିଛନ୍ତି । ଓଡ଼ିଶାର ମହିଳାଙ୍କ ପ୍ରତି ତାଙ୍କ ଅବଦାନ ଅନେକ ରହିଛି । ମୁଁ ଆଗାମୀ ନିର୍ବାଚନରେ ନେତୃତ୍ୱ ନେବି ବୋଲି ନବୀନ ସ୍ପଷ୍ଟ କରିଛନ୍ତି । ତେଣେ ଦଳରେ ଯୋଗଦେଉ ଦେଉ ସୁଜାତା ରାଉତ କାର୍ତ୍ତିକେୟନ ପାଣ୍ଡିଆନ କହିଛନ୍ତି କି, ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ମୁଁ ୨୪ବର୍ଷ ଧରି ଓଡ଼ିଶାବାସୀଙ୍କ ସେବା କରିଛି । ପୁଣିଥରେ ଆଜି ତାଙ୍କ ଦଳରେ ସାମିଲ ହୋଇ ତାଙ୍କ ସାଥିରେ ରହି ଓଡ଼ିଶାବାସୀଙ୍କ ସେବା କରିବି ।
ଲକ୍ଷ ଲକ୍ଷ ବିଜେଡି କର୍ମୀଙ୍କ ଆଶୀର୍ବାଦ ମୋ ଉପରେ ରହିଛି । ସମ୍ପୂର୍ଣ୍ଣ ଆନ୍ତରିକତା ଏବଂ ସର୍ମପଣ ଭାବରେ କାର୍ଯ୍ୟ କରିବି । ପାଣ୍ଡିଆନଙ୍କ ପତ୍ନୀ ସୁଜାତା ଶଙ୍ଖ ଫୁଙ୍କିବା ପରେ ନେତା-ନେତ୍ରୀଙ୍କ ମଧ୍ୟରେ ଖେଳିଯାଇଛି ଖୁସି । ଯାହାକୁ ନେଇ ଦଳର ବରିଷ୍ଠ ଉପ ସଭାପତି ଦେବୀ ମିଶ୍ର କହିଛନ୍ତି, ସୁଜାତା ଆସିବା ଦଳ ପାଇଁ ଗୋଟେ ଭଲ କଥା । କାହିଁକି ନା ସେ ଆମ ସରକାରରେ ଲୋକଙ୍କ ପାଇଁ ଅନେକ କାର୍ଯ୍ୟ କରୁଛନ୍ତି । ତାଙ୍କୁ ସମସ୍ତେ ଗ୍ରହଣ କରୁଛନ୍ତି । ସେପଟେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଯୁକ୍ତି ଦଳରେ କୌଣସି ବିଶୃଙ୍ଖଳା କି କେହି ସୁଜାତାଙ୍କୁ ନେଇ ଅସନ୍ତୋଷ କରିବାର ନାହିଁ । ସମସ୍ତେ ତାଙ୍କୁ ଆଦରି ନେବେ କହିଥିବା ବେଳେ ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ କହିଛନ୍ତି କି, ଦଳରେ ଥିବା ମୂଷା ମାନେ ନିପାତ ହୋଇଯିବେ । ଆଉ କେହି ଢୋଲ ଭିତରେ ମୂଷା ରହିବେ ନାହିଁ । ନାହିଁ ନାହିଁରେ ସ୍ୱାମୀଙ୍କ ରାଜନୀତିରୁ ସନ୍ୟାସ ନେବାର ଦୁଇ ବର୍ଷରେ ଶଙ୍ଖ ଫୁଙ୍କିଲେ ପନ୍ତ୍ରୀ ସୁଜାତା । କର୍ମୀ କହି ସାମିଲ ହେଲେ କିନ୍ତୁ ଭୈରବ କ୍ଷମତା ଉପଭୋଗ କରିବେ ସୁଜାତା ।
