ପୁରୀ (ବଡ଼ ଖବର ବ୍ୟୁରୋ): ଧିରେ ଧିରେ ସୁସ୍ଥ ହେବାରେ ଲାଗିଛନ୍ତି ମହାପ୍ରଭୁ । ଚତୁର୍ଦ୍ଧାମୂର୍ତ୍ତିଙ୍କ ନିକଟରେ ଆଜି ଲାଗି ହେବ ଦଶମୂଳ ମୋଦକ । ଚେରମୂଳି ସହ ନାନାଦି ଔଷଧ ପାନ କରି ପ୍ରଭୁ ଜ୍ୱରରୁ ସୁସ୍ଥ ହେଉଛନ୍ତି । ଶ୍ରୀଜିଉଙ୍କର ଅଣସରରେ ଚାଲିଛି ଗୁପ୍ତ ସେବା । ଅଣସର ଗୁପ୍ତ ସେବାରେ ମହାପ୍ରଭୁଙ୍କ ଶରୀରରେ ଲାଗି ହେଉଛି ଫୁଲୁରି ତେଲ, ଓଷ ଆଉ ଏହା ପରେ ଦଶମୂଳ ମୋଦକ ଲାଗି ହେବାର ରହିଛି ପରମ୍ପରା । ପରମ୍ପରା ମୁତାବକ ଚେରମୂଳି ଔଷଧ ପୂର୍ବରୁ ପ୍ରସ୍ତୁତ କରି ରଖାଯାଇଥାଏ । ଏହାକୁ ଖାଇ ସୁସ୍ଥ ହୋଇଚାଲନ୍ତି ମହାବାହୁ । ମହାପ୍ରଭୁଙ୍କ ନିକଟରେ ସ୍ୱତନ୍ତ୍ର ନୀତିକାନ୍ତି ମଧ୍ୟ ଏହାରି ଭିତରେ ଚାଲିଛି । ଆଜି ଦଶମୀତିଥି ରହିଥିବାରୁ ଦଶମୂଳ ମୋଦକ ସେବନ କରିବେ ଶ୍ରୀଜିଉ । ଯାହାକୁ ରାଜବୈଦ୍ୟ ମାନେ ଦଶ ପ୍ରକାରର ଚେର ମୂଳିରୁ ପ୍ରସ୍ତୁତ କରିଛନ୍ତି ।
ଦଶ ମୂଳାରିଷ୍ଟ ଅତ୍ୟନ୍ତ ଶୁଦ୍ଧପୂତ ଭାବେ ଏହି ଔଷଧକୁ ବୈଦ୍ୟ ମାନେ ପ୍ରସ୍ତୁତ କରି ଶ୍ରୀମନ୍ଦିର ଗାରଦକୁ ହସ୍ତାନ୍ତର କରିଛନ୍ତି । ଶାଳପର୍ଣ୍ଣି, ବେଲ, ଖଣିବଧୂ, ପାଟଳି, ଅଙ୍କରାନ୍ତି,ଗୋଖରା, ଲମ୍ବାଗୋତି,ଗମ୍ଭାରୀ,ଫଣଫଣା, କୃଷ୍ଣପର୍ଣ୍ଣି, କୃଷ୍ଣଚୁଡା, ଲବଙ୍ଗ, ଦେଶୀଘିଅ, ମହୁ, ନବାତ, ଖୁଆ, ଆଦି ବିଭିନ୍ନ ଦ୍ରବ୍ୟକୁ ମିଶାଯାଇ ଏହି ଔଷଧ ପ୍ରସ୍ତୁତ କରାଯାଇଛି । ଆଉ ଏହାକୁ ଖାଇବା ପରେ ଆଉ ଟିକେ ସୁସ୍ଥ ହେବେ ବ୍ରହ୍ମାଣ୍ଡ ଗୋସାଇଁ । ଅଣସର ପିଣ୍ଡିରୁ ଚକା ବିଜେ ନୀତି ମହାପ୍ରଭୁଙ୍କର ସମ୍ପର୍ଣ୍ଣ ହୋଇଛି । ଅଣସରରେ ଥିବାରୁ ଲିଳାମୟୀ ଠାକୁର କୌଣସି ରଙ୍ଗର ଫୁଲ ବା ପୋଷାକ ପିରିଧାନ କରିନଥାନ୍ତି । ମହାପ୍ରଭୁଙ୍କ ନିକଟରେ କେବଳ ଧଳା ଫୁଲ ଅର୍ପଣ କରାଯାଇଥାଏ । ସେହି ସମୟରେ କୌଣସି ଘଣ୍ଟଘଣ୍ଟା କିମ୍ବା ବାଜା ବାଜି ନ ଥାଏ । କିନ୍ତୁ ଆଜି ଖଳି ଲାଗି ଏକାଦଶୀ ଅନୁଷ୍ଠିତ ହେବ । ଯାହା ପାଇଁ ବାଜିବ ଘଣ୍ଟଘଣ୍ଟା, ମୃଦଙ୍ଗ, କାହାଳୀ ପରି ବାଦ୍ୟ ।
ସେପଟେ ମହାପ୍ରଭୁଙ୍କ ଅଣସର ନୀତି ଚାଲିଥିବାରୁ ବିଶ୍ୱନିୟନ୍ତା ପ୍ରଭୁ ଶ୍ରୀଅଲାରନାଥ ନଟବର ବେଶରେ ଅଣସର ଦର୍ଶନର ଦ୍ୱାଦଶ ଦିନରେ ବ୍ରହ୍ମଗିରି ସ୍ଥିତ ପୀଠରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ । ଭୋର ୩ଟାରୁ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ଦ୍ୱାରଫିଟା ପରେ ମଙ୍ଗଳା ଆଳତି , ଅବକାଶବେଶ, ଚନ୍ଦନ, ତୁଳସୀ ଲାଗି, ଗୋପାଳ ବଲ୍ଲଭ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଅଲାରନାଥ । ଭକ୍ତ ଦାସିଆ ବାଉରୀ ପୀଠରୁ ତୁଳସୀ ବାବା ଆଣିଥିବା ୨କ୍ୱିଣ୍ଟାଲରୁ ଅଧିକ ଫଳମୂଳ ଶ୍ରୀଜିଉଙ୍କୁ ଲାଗି କରାଯାଇଛି ।
