ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଜାରି ରହିଥିବା ଅସହ୍ୟ ଗରମ ଓ ଗୁଳୁଗୁଳି ମଧ୍ୟରେ କାଳବୈଶାଖୀର ପ୍ରକୋପ ଜନଜୀବନକୁ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ କରିଦେଇଛି । ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସମଗ୍ର ଓଡ଼ିଶା ପାଇଁ କାଳବୈଶାଖୀ ଏବଂ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ନେଇ ସ୍ୱତନ୍ତ୍ର ସତର୍କ ସୂଚନା ଜାରି କରାଯାଇଛି । ଶୁକ୍ରବାରଠାରୁ ତାତି ଆହୁରି କମିବ । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରୁ ସାମାନ୍ୟ ଆଶ୍ୱସ୍ତି ମିଳିବ । ଗତ କିଛି ଦିନ ଧରି ଜାରି ରହିଥିବା ଗ୍ରୀଷ୍ମ ଜ୍ୱାଳାରେ ସାମୟିକ ବ୍ରେକ୍ ଲାଗିପାରେ । ଏଭଳି ଆଶା ଦେଖାଇଛନ୍ତି ପାଣିପାଗ ବିଶେଷଜ୍ଞ ।
ଆସନ୍ତା ୨୯ ଓ ୩୦ ତାରିଖରେ କାଳବୈଶାଖୀର ପ୍ରଭାବ ବଢ଼ିବ । ଏଥିପାଇଁ ତାତି କମିଯିବ । ଅଧିକାଂଶ ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ତଳେ ରହିବ । ଆସନ୍ତା ୪ ଓ ୬ ତାରିଖ ଯାଏ ତାତି କମ୍ ରହିବ ବୋଲି ସେ କହିଛନ୍ତି । ପାଣିପାଗ ବିଭାଗର ଆକଳନ କହୁଛି, ଆସନ୍ତା ଦୁଇ ଦିନରେ ତାପମାତ୍ରା ୨ରୁ ୩ ଡିଗ୍ରୀ କମିଯିବ । ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାତି ୩୫ ଡିଗ୍ରୀରୁ ୩୭ ଡିଗ୍ରୀକୁ ଖସିବ । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବି କମିବ ।
ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ, ୧ରୁ ୩ ତାରିଖ ଯାଏ ଓଡ଼ିଶାର ବିକ୍ଷିପ୍ତ ସ୍ଥାନରେ ଅଧିକ ବର୍ଷା ହେବ । ୨୮ରୁ ୩୦ ତାରିଖ ଯାଏ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ତଥାପି ୩୧ ତାରିଖ ଯାଏ ଗୁଳୁଗୁଳିରୁ ଆଶ୍ୱସ୍ତି ମିଳିବନି ବୋଲି ଏଥିରେ କୁହାଯାଇଛି । ପୁଣି ଜୁନ୍ ୪ରୁ ୧୦ ତାରିଖ ଯାଏ ରାଜ୍ୟର କିଛି ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ (୩ରୁ ୫ ଡିଗ୍ରୀ ଅଧିକ) ରହିପାରେ ବୋଲି ବିସ୍ତାରିତ ଆକଳନରେ କୁହାଯାଇଛି ।
