ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଲଗାଣ ବର୍ଷାରେ ଉଛୁଳୁଛି ନଦୀ । ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ ସ୍ଥିତି ବେହାଲ । ପ୍ରଭାବିତ ଜିଲ୍ଲାରେ ସ୍କୁଲ, କଲେଜ, ଅଙ୍ଗନବାଡ଼ି ଛୁଟି ଘୋଷଣା । ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷାପରେ ଏସବୁ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରବାହିତ ନଦୀଗୁଡ଼ିକରେ ଜଳସ୍ତର ବଢ଼ିଛି। ତଳିଆ ଅଞ୍ଚଳରେ ବନ୍ୟାପାଣି ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ପ୍ରବଳ ବର୍ଷା ଯୋଗୁ ମହାନଦୀରେ ବନ୍ୟା ଆଶଙ୍କା ନଥିବା ଜଳସମ୍ପଦ ବିଭାଗ ଆକଳନ କରିଛି । ତେବେ ଜଳସ୍ତର ବଢ଼ୁଥିବାରୁ ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକର ବିଭିନ୍ନ ତଳିଆ ଗାଁଗୁଡ଼ିକକୁ ବନ୍ୟା ଆଶଙ୍କା ଘାରିଛି । ମହାନଦୀର ଉପରମୁଣ୍ଡରେ ବର୍ଷା ଲାଗି ରହିଛି । ଗଭୀର ଅବପାତ ଛତିଶଗଡ଼ ମୁହାଁ ହେଉଥିବାରୁ ସେଠାରେ ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା ରହିଛି ।
ଲଗାଣ ବର୍ଷା ଓ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ବୁଧବାର ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ଯାଜପୁର, ବରଗଡ଼, ବୌଦ୍ଧ, ସମ୍ବଲପୁର, ସୁନ୍ଦରଗଡ଼ ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଛି । ଭଦ୍ରକ ଜିଲ୍ଲାର ତିହିଡ଼ି ଓ ଧାମନଗର ବ୍ଲକରେ ବୁଧବାର ଓ ଗୁରୁବାର ସ୍କୁଲ, କଲେଜ, ଅଙ୍ଗନବାଡ଼ି ବନ୍ଦ ରହିବ । ଏହି ଦୁଇ ବ୍ଲକରେ ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ସୁନ୍ଦରଗଡ଼ ଜିଲ୍ଲା ବଣାଇଁର ଅଡ଼ାଡିହି ସେତୁ ଉପରେ ୨ ଫୁଟ୍ର ପାଣି ଚାଲିଛି । ଗୁରୁଣ୍ଡିଆ, ବଣାଇଁ, ଲହୁଣୀପଡ଼ା, ରାଜାମୁଣ୍ଡା ଓ କୋଇଡ଼ା ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି । ସହରାଞ୍ଚଳର ତଳି ଅଞ୍ଚଳ ସମେତ ରାସ୍ତାଘାଟ ପାଣିରେ ବୁଡ଼ିଛି । ମନ୍ଦିରା ଡ୍ୟାମର ୧୧ଟି ଗେଟ୍ରୁ ୫ଟି ଗେଟ୍ ଖୋଲାଯାଇଛି । ଶଙ୍ଖ ନଦୀର ପାଣି ମିଶିବା ପରେ ବ୍ରାହ୍ମଣୀର ଜଳପତ୍ତନ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି ।
