ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଜିଲ୍ଲାପାଳଙ୍କ ସହ ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ଆରମ୍ଭ ହେଲା ସମୀକ୍ଷା ବୈଠକ। ବନ୍ୟା ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରୁଛନ୍ତି ରାଜସ୍ୱ ମନ୍ତ୍ରୀ, ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ସ୍ୱତନ୍ତ୍ର ରିଲିଫ କମିଶନର। ବନ୍ୟା ସ୍ଥିତି ଓ କ୍ଷୟକ୍ଷତି ନେଇ ଅପଡେଟ ଦେଉଛନ୍ତି ଜିଲ୍ଲାପାଳ । ବନ୍ୟା ପ୍ରଭାବିତ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲା ଗସ୍ତ କରିବ ଏକ ଉଚ୍ଚସ୍ତରୀୟ ଟିମ୍ । ଏହି ଟିମ୍ରେ ରହିବେ ରାଜସ୍ୱ ମନ୍ତ୍ରୀଙ୍କ ସହ ରାଜସ୍ୱ ସଚିବ ଓ ସ୍ପେଶାଲ ରିଲିଫ କମିସନର (SRC) ।
ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତି, ଲୋକଙ୍କ ସମସ୍ୟା ଓ ରିଲିଫ୍ ବ୍ୟବସ୍ଥାର ସ୍ଥିତିକୁ ନେଇ ଅଧିକାରୀମାନେ ସିଧାସଳଖ ଅଞ୍ଚଳ ପରିଦର୍ଶନ କରି ସମୀକ୍ଷା କରିବେ । ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରିବା ସହ ଆବଶ୍ୟକ ସହାୟତା ଓ ପୁନର୍ବାସ ବ୍ୟବସ୍ଥା ଉପରେ ମଧ୍ୟ ନଜର ରଖାଯିବ । ବର୍ତ୍ତମାନ ବନ୍ୟା ସ୍ଥିତିରେ ପ୍ରଶାସନର ପ୍ରସ୍ତୁତି ଓ କ୍ଷୟକ୍ଷତିର ଆକଳନ ନେଇ ଏହି ଗସ୍ତକୁ ଗୁରୁତ୍ୱ ଦିଆଯାଉଛି। ଗ୍ରାଉଣ୍ଡ ରିପୋର୍ଟ ଆଧାରରେ ଆଗାମୀ ପଦକ୍ଷେପ ନିଆଯିବ । ସେପଟେ ଆଜି ବନ୍ୟା ପ୍ରଭାବିତ ଅଞ୍ଚଳର ଗସ୍ତ କରିବେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଅତିରିକ୍ତ ମୁଖ୍ୟ ସଚିବ ଏବଂ ସ୍ୱତନ୍ତ୍ର ରିଲିଫ କମିଶନର ସହ ବରିଷ୍ଠ ଅଧିକାରୀ ମାନେ । ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ସ୍ଥିତି ଅନୁଧ୍ୟାନ କରିବେ।
