ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ତିନି ଦିନିଆ ଓଡ଼ିଶା ଗସ୍ତ ସମାପ୍ତ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି। ବ୍ରହ୍ମପୁରରୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଭୁବନେଶ୍ୱରକୁ ଫେରୁଛନ୍ତି। ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଭୁବନେଶ୍ୱରରେ ପହଞ୍ଚିବା ପରେ ସେଠାରୁ ବିମାନ ଯୋଗେ ଆଜି ଦିଲ୍ଲୀ ଅଭିମୁଖେ ବାହାରିବେ ରାଷ୍ଟ୍ରପତି । ଓଡ଼ିଶାରେ ବିଭିନ୍ନ ସରକାରୀ ଓ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ବ୍ରହ୍ମପୁର ସମେତ ବିଭିନ୍ନ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ଉପସ୍ଥିତ ରହି ବିକାଶ, ଶିକ୍ଷା ଓ ମହିଳା ସଶକ୍ତିକରଣ ଭଳି ବିଷୟ ଉପରେ ମତ ରଖିଥିଲେ। ଏଥିସହ ଆଜି ସକାଳେ ବ୍ରହ୍ମପୁର ସ୍ଥିତ ଧବଳେଶ୍ୱର ମନ୍ଦିରରେ ପୂଜାଚ୍ଚର୍ନା କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଗତକାଲି ରାଷ୍ଟ୍ରପତି ଗୋପାଳପୁର ସ୍ଥିତ ଆର୍ମି ଏୟାର୍ ଡିଫେନ୍ସ କଲେଜରେ ରାତ୍ରୀଯାପନ କରିଥିଲେ। ଦିଲ୍ଲୀରୁ ଆସିଥିବା ସ୍ବତନ୍ତ୍ର ସାଲୋନ୍ କୋଚ ଟ୍ରେନରେ ଭୁବନେଶ୍ବରରୁ ବ୍ରହ୍ମପୁର ଯାଇଥିଲେ ରାଷ୍ଟ୍ରପତି।
ବ୍ରହ୍ମପୁରରେ ପହଞ୍ଚିବା ପରେ ୮୦ କିଲୋମିଟର ଦୂର ତପ୍ତପାଣିକୁ ସଡ଼କ ପଥରେ ଯାତ୍ରା କରିଥିଲେ । ତାଙ୍କ ଗସ୍ତକୁ ନେଇ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସୁଚାରୁ ଭାବେ ସମ୍ପନ୍ନ କରାଯାଇଥିଲା। ରାଷ୍ଟ୍ରପତିଙ୍କ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନକୁ ନେଇ ରେଳ ଷ୍ଟେସନ୍ ସହ ପାଖାପାଖି ଅଞ୍ଚଳରେ ସୁରକ୍ଷାବଳ ମୁତୟନ କରାଯାଇଛି।
