ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଜେଲ୍ରୁ ମୁକ୍ତି ପାଇବାକୁ ଦାରା ସିଂ କରିଥିବା ଆବେଦନ ଖାରଜ ହୋଇଥିବା ସୂଚନା ମିଳିଛି। ଷ୍ଟେଟ୍ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ (SSRB) ଦାରା ସିଂଙ୍କ ଆବେଦନକୁ ଖାରଜ କରିଛି। ଗତ ୩୧ ତାରିଖରେ ହୋଇଥିବା SSRB ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଆଗୁଆ ମୁକ୍ତି ପାଇଁ ଦାରା ସିଂଙ୍କ ପକ୍ଷରୁ ହୋଇଥିବା ଆବେଦନକୁ SSRB ପୁଣି ଥରେ ଖାରଜ କରିଛି। ଏହା ପୂର୍ବରୁ ମଧ୍ୟ ୫ ଥର ଦାରା ସିଂଙ୍କ ଆଗୁଆ ମୁକ୍ତି ପିଟିସନ୍କୁ SSRB ୨୦୧୬, ୨୦୧୯, ୨୦୨୦, ୨୦୨୨ ଓ ୨୦୨୩ରେ ହୋଇଥିବା ଆବେଦନକୁ ଖାରଜ କରିସାରିଛି।
ଦାରା ସିଂଙ୍କ ମୁକ୍ତି ପ୍ରସଙ୍ଗରେ ଆସନ୍ତା ୧୭ ତାରିଖରେ ସୁପ୍ରିମକୋର୍ଟରେ ଶୁଣାଣି ରହିଛି। SSRB ପକ୍ଷରୁ ରିପୋର୍ଟ ଦାଖଲ କରିବାରେ ବିଳମ୍ବ ହୋଇଥିବାରୁ ପୂର୍ବରୁ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ। ଏବେ SSRB ଆବେଦନ ଖାରଜ କରିଥିବାରୁ ଆଗାମୀ ଶୁଣାଣି ଉପରେ ନଜର ରହିଛି। ସୂଚନା ଅନୁସାରେ, ଗତ ଅଗଷ୍ଟ ୧୫ରେ ଦାରା ସେନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା। ଏହି ସମୟରେ ପ୍ରାୟ ୨୫୦ ଦାରା ସେନା କର୍ମୀ ଉତ୍ତେଜନାମୂଳକ ସ୍ଲୋଗାନ ଦେଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ମଧ୍ୟ SSRB ସମୀକ୍ଷା କରିଥିବା ଜଣାପଡ଼ିଛି। ଏହାପରେ ଦାରା ସିଂଙ୍କ ଆଗୁଆ ମୁକ୍ତି ପିଟିସନ୍ ଖାରଜ କରାଯାଇଥିବା ସୂଚନା ମିଳିଛି।
୧୯୯୯ ମସିହାରେ କେନ୍ଦୁଝରର ମନୋହରପୁରରେ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହମ ଷ୍ଟେନ୍ସ ଓ ତାଙ୍କ ଦୁଇ ନାବାଳକ ପୁଅଙ୍କୁ ଜିପ୍ ଭିତରେ ପୋଡ଼ି ହତ୍ୟା କରାଯାଇଥିଲା। ଏହି ଘଟଣାରେ ଦାରା ସିଂଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ୨୦୦୩ରେ ସିବିଆଇ କୋର୍ଟ ଦାରା ସିଂଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ। ପରେ ୨୦୦୫ରେ ଓଡ଼ିଶା ହାଇକୋର୍ଟ ଏହି ଦଣ୍ଡାଦେଶକୁ କମାଇ ଆଜୀବନ କାରାଦଣ୍ଡରେ ପରିଣତ କରିଥିଲେ। ଦାରା ସିଂ ପ୍ରାୟ ୨୬ ବର୍ଷ ୬ ମାସ ହେଲା ଜେଲ୍ରେ ଅଛନ୍ତି। ବର୍ତ୍ତମାନ ସେ କେନ୍ଦୁଝର ଜେଲ୍ରେ ଅଛନ୍ତି। ଆଗୁଆ ମୁକ୍ତି ପାଇଁ ବାରମ୍ବାର ଆବେଦନ ହୋଇଥିଲେ ମଧ୍ୟ SSRB ପକ୍ଷରୁ ତାଙ୍କ ଆବେଦନ ଖାରଜ ହୋଇଆସିଛି।
