ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଡିଜିଟାଲ୍ ପେମେଣ୍ଟ ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର। UPI ଓ RuPay ଡେବିଟ୍ କାର୍ଡ ପେମେଣ୍ଟକୁ ନେଇ କେନ୍ଦ୍ର ସରକାର ଜାରି କରିଛନ୍ତି ନୂଆ ଗେଜେଟ୍ ନୋଟିଫିକେସନ୍। ଏହି ନୋଟିଫିକେସନ୍ ଅନୁସାରେ, ୨ ହଜାର ଟଙ୍କା ପର୍ୟ୍ୟନ୍ତ UPI ଦେଣନେଣ ଉପରେ କୌଣସି ଚାର୍ଜ ଲାଗିବ ନାହିଁ। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଆର୍ଥିକ ସେବା ବିଭାଗ ପକ୍ଷରୁ ସେପ୍ଟେମ୍ବର ୧୪ ତାରିଖରେ ଏହି ନୋଟିଫିକେସନ୍ ଜାରି କରାଯାଇଛି। ଏଥିରେ UPI ର ୨ ହଜାର ଟଙ୍କା ପର୍ୟ୍ୟନ୍ତ ଦେଣନେଣ ଏବଂ RuPay ଦ୍ୱାରା ପରିଚାଳିତ ଡେବିଟ୍ କାର୍ଡ ପେମେଣ୍ଟକୁ ନିର୍ଦ୍ଦିଷ୍ଟ ଇଲେକ୍ଟ୍ରୋନିକ୍ ପେମେଣ୍ଟ ମୋଡ୍ ଭାବେ ଉଲ୍ଲେଖ କରାଯାଇଛି।
ସରକାରଙ୍କ ନିର୍ଦ୍ଦେଶ ଅନୁସାରେ, ଏହି ନିର୍ଦ୍ଦିଷ୍ଟ ଡିଜିଟାଲ୍ ପେମେଣ୍ଟ ମୋଡ୍ ବ୍ୟବହାର କରି ପେମେଣ୍ଟ କରୁଥିବା କିମ୍ବା ପେମେଣ୍ଟ ଗ୍ରହଣ କରୁଥିବା ବ୍ୟକ୍ତିଙ୍କ ଉପରେ ବ୍ୟାଙ୍କ କିମ୍ବା ସିଷ୍ଟମ୍ ପ୍ରୋଭାଇଡର୍ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ କୌଣସି ଚାର୍ଜ ଲଗାଇପାରିବେ ନାହିଁ। ଅର୍ଥାତ୍, ୨ ହଜାର ଟଙ୍କା ପର୍ୟ୍ୟନ୍ତ UPI ପେମେଣ୍ଟ କରିବା ସମୟରେ ଗ୍ରାହକଙ୍କ ଉପରେ ଅତିରିକ୍ତ ପେମେଣ୍ଟ ଚାର୍ଜ ଲଗାଇବାକୁ ନିଷେଧ କରାଯାଇଛି। ସେହିପରି RuPay ଡେବିଟ୍ କାର୍ଡ ଦ୍ୱାରା ହେଉଥିବା ପେମେଣ୍ଟ ଉପରେ ମଧ୍ୟ ଏହି ନିୟମ ଲାଗୁ ହେବ। ଏଠାରେ ଗୋଟିଏ କଥା ସ୍ପଷ୍ଟ କରିବା ଜରୁରୀ। ଗେଜେଟ୍ ନୋଟିଫିକେସନ୍ରେ UPI ଦେଣନେଣ ପାଇଁ ସ୍ପଷ୍ଟ ଭାବେ ୨ ହଜାର ଟଙ୍କା ପର୍ୟ୍ୟନ୍ତ ରାଶିକୁ ଉଲ୍ଲେଖ କରାଯାଇଛି।
ତେଣୁ ଏହାକୁ ଆଧାର କରି ୨ ହଜାର ଟଙ୍କାରୁ ଅଧିକ ପେମେଣ୍ଟ ଉପରେ ଚାର୍ଜ ଲାଗିବ ବୋଲି ସିଧାସଳଖ କହିବା ଠିକ୍ ହେବ ନାହିଁ। ନୋଟିଫିକେସନ୍ର ନିର୍ଦ୍ଦିଷ୍ଟ ବ୍ୟବସ୍ଥା ହେଉଛି—୨ ହଜାର ଟଙ୍କା ପର୍ୟ୍ୟନ୍ତ UPI ଟ୍ରାଞ୍ଜାକ୍ସନ୍ ଉପରେ ବ୍ୟାଙ୍କ କିମ୍ବା ସିଷ୍ଟମ୍ ପ୍ରୋଭାଇଡର୍ ଚାର୍ଜ ଲଗାଇପାରିବେ ନାହିଁ।
