ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଇସ୍ତଫା ଦିଅ ଦିବ୍ୟଶଙ୍କର । ପୂର୍ବରୁ ପଶ୍ଚିମ ଉତ୍ତରରୁ ଦକ୍ଷିଣ । ସବୁଠି ଗୋଟିଏ ନାରା । ଗାଦି ଛାଡ଼ କ୍ୟାପଟେନ୍ । ମନ୍ତ୍ରୀଙ୍କୁ ବହିଷ୍କାର ଓ ଗିରଫ ଦାବିରେ ତେଜୁଛି ଦାବି । ଉଠୁଛି ପଡୁଛି ସାରା ରାଜ୍ୟ । କେବଳ ରାଜ୍ୟ ରାଜଧାନୀ ଭୁବନେଶ୍ୱର ନୁହେଁ, ସାରା ରାଜ୍ୟରେ ଦେଖିବାକୁ ମିଳିଛି ବିକ୍ଷୋଭ, ପ୍ରତିବାଦ । ବଲାଙ୍ଗିର ମହାଲିଙ୍ଗ ମମିତା ମୃତ୍ୟୁ ମାମଲାରେ ବିବାଦ ଘେରରେ ଛନ୍ଦି ହୋଇଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଏହି ଘଟଣାରେ ମନ୍ତ୍ରୀଙ୍କ ସିଧାସଳଖ ସମ୍ପୃକ୍ତି ଥିବା ଅଭିଯୋକ କରିଛନ୍ତି ବିରୋଧୀ । ବିଜେପି, କଂଗ୍ରେସ ସମେତ ଅନେକ ସାମଜିକ ସଂଗଠନ ମଧ୍ୟ ରାଜରାସ୍ତାକୁ ଓହ୍ଲାଇଛନ୍ତି । ବଲାଙ୍ଗିରରେ ମନ୍ତ୍ରୀଙ୍କ ବହଷ୍କାର ଦାବିରେ ଏସପି ଅଫିସ ଘେରାଉ କରିଥିଲେ ବିଜେପି କର୍ମୀ । ଫଳରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟରେ ମହିଳା ଆଜି ଅସୁରକ୍ଷିତ । ବିଜେଡ଼ିର ଇଏ କି ପ୍ରକାର ମା’କୁ ସମ୍ମାନ ବୋଲି ବଲାଙ୍ଗିର ସାଂସଦ ସଙ୍ଗୀତା ସିଂହଦେଓ ପ୍ରଶ୍ନ କରିଛନ୍ତି ।

କେବଳ ବଲାଙ୍ଗିର ନୁହେଁ ଭୁବନେଶ୍ୱର କଟକରେ ମଧ୍ୟ ପ୍ରତିବାଦ ଦେଖିବାକୁ ମିଳିଥିଲା । କଟକରେ ବିଜେପି ଓ କଂଗ୍ରେସ କର୍ମୀମାନେ ରାଜରାସ୍ତାକୁ ଓହ୍ଲାଇଥିଲେ । ଏବଂ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ତାଙ୍କର କୁଶ ପୁତ୍ତଳିତା ଦାହ କରାଯାଇଥିଲା । ସେହିପରି ଭୁବନେଶ୍ୱରରେ ମଧ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ମମିତା ମେହେରଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଓ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା । ଫଳରେ ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ଶିକ୍ଷାନୁଷ୍ଠାନ ଓ କାର୍ଯ୍ରାଳୟ ସହିତ ଦୋକାନ ବଜାର ଏବଂ ଗାଡି ଚଳାଚଳ ବନ୍ଦ ରହିଥିଲା । ଅନ୍ୟପଟେ ଏହି ଘଟଣାରେ ଦୋଷୀକୁ କଠୋରରୁ କଠୋର ଦଣ୍ଡ ଦାବିରେ ଭବାନୀପାଟଣାରେ ପଦଯାତ୍ରା କରିଛି ଏବିଭିପି । ଗୋବିନ୍ଦ ସାହୁଙ୍କ ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଘନିଷ୍ଠତା ଥିବା ଚର୍ଚ୍ଚା ହେବା ପରେ ଗର୍ଜିଛି ଏ.ଆଇ.ଡି.ଏସ.ଓ. । ମନ୍ତ୍ରୀଙ୍କ ବହିଷ୍କାର ଏବଂ ଗିରଫ ଦାବି କରି ବଲାଙ୍ଗିର ଏସପି ଅଫଇସ ଘେରାଉ କରିଥିଲେ ଏ.ଆଇ.ଡି.ଏସ.ଓ. କର୍ମୀ । ସେହିପରି ଆସନ୍ତାକାଲି ୧୨ ଘଣ୍ଟିଆ ବଲାଙ୍ଗିର ବନ୍ଦ ଡାକରା ଦେଇଛି ବିଜେପି । ସେହିପରି ପୁରୀ ଠାରୁ ଆରମ୍ଭ କରି ହିଞ୍ଜଳିକାଟୁ, ବଙ୍ଗୋମୁଣ୍ଡା, ସଇଁତଳା ଓ କେସିଙ୍ଗାରେ ମଧ୍ୟ ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ବିରୋଧ ପ୍ରଦର୍ଶନ କରାଯାଇଛି ।

 

Leave a Reply

Your email address will not be published. Required fields are marked *