ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):କୋଭିଡ଼ ମୃତ୍ୟୁ ସଂଖ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଚଞ୍ଚକତାର ବଡ଼ ପ୍ରମାଣ ଲାଗିଛି ବଡ଼ ଖବର ହାତରେ । ନବୀନଙ୍କ ମିଛକୁ ଧରାଇଦେଇଛନ୍ତି ନବରଙ୍ଗପୁର ଜିଲ୍ଲାପାଳ । ରାଜ୍ୟରେ କୋଭିଡ଼ ମୃତ୍ୟୁ ସଂଖ୍ୟାକୁ ନେଇ ଭୁଲ ତଥ୍ୟ ଦିଆଯାଉଛି ବୋଲି ବାରମ୍ବାର କହିଆସୁଥିଲା ବଡ଼ ଖବର । ନବରଙ୍ଗପୁର ଜିଲ୍ଲାପାଳଙ୍କ ଏକ ଟ୍ୱିଟ ବଡ଼ ଖବରର ଦାବି ଉପରେ ଲଗାଇଛି ମୋହର । ଖୋଲିଯାଇଛି ରାଜ୍ୟ ସରକାରଙ୍କ ପୋଲ । ବଡ଼ ଖବର ଯାହା କହୁଥିଲା ସେଥିରେ ମୋହର ମାରିଲେ ଜିଳ୍ଲାପାଳ । ପଦାରେ ପଡ଼ିଲା କୋଭିଡ଼ ମୃତ୍ୟୁ ସଂଖ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଖେଳ । ନବୀନଙ୍କ ମିଛକୁ ଧରାଇଦେଲେ ନବରଙ୍ଗପୁର ଜିଲ୍ଲାପାଳ । ରାଜ୍ୟରେ କୋଭିଡ୍ ମୃତ୍ୟୁ ସଂଖ୍ୟାକୁ ନେଇ କିଭଳି ହେର ଫେର କରାଯାଉଛି ତା’ର ବଡ଼ ପ୍ରମାଣ ଲାଗିଛି ବଡ଼ ଖବର ହାତରେ । ପ୍ରଥମେ ଦେଖିନିଅନ୍ତୁ ଏକ ଟ୍ୱିଟକୁ ।
ତା-୦୫.୦୬.୨୦୨୧ ରିଖ ବିଶ୍ୱ ପରିବେଶ ଦିବସ ଅବସରରେ ଜିଲ୍ଲାର କରୋନା ପ୍ରଥମ ଏବଂ ଦ୍ଵିତୀୟ ଲହରୀରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିବା ଦିବଂଗତ ୧୧୪ ବ୍ୟକ୍ତି ବିଶେଷଙ୍କ ଉଦ୍ଦେଶ୍ୟ ରେ ପୋଲିସ ରିଜର୍ଭ ପଡିଆ ଠାରେ ୧୧୪ ଗୋଟି ବୃକ୍ଷ ରୋପଣ କରାଯାଇଛି । @CMO_Odisha @MoSarkar5T @ForestDeptt pic.twitter.com/uFXPDwfhH0
— Collector Nabarangpur (@DMnabarangpur) June 6, 2021
ଯାହାକି ଗତ ଜୁନ ୬ର । ନବରଙ୍ଗପୁର ଜିଲ୍ଲାପାଳ ତାଙ୍କ ଅଫିସିଆଲ ଆଇଡିରୁ ବିଶ୍ୱ ପରିବେଶ ଦିବସରେ କିଛି ଫଟୋ ସହ ଏହି ଟ୍ୱିଟ କରିଛନ୍ତି । ଯେଉଁଥିରେ ଲେଖାଯାଇଛି ୫/୬ ୨୦୨୧ ତାରିଖ ବିଶ୍ୱ ପରିବେଶ ଦିବସ ଅବସରରେ ଜିଲ୍ଲାର କରୋନା ପ୍ରଥମ ଏବଂ ଦ୍ୱିତୀୟ ଲହରୀରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିବା ଦିବଙ୍ଗତ ୧୧୪ ବ୍ୟକ୍ତି ବିଶେଷଙ୍କ ଉଦ୍ଦେଶ୍ୟରେ ପୋଲିସ ରିଜର୍ଭ ପଡ଼ିଆଠାରେ ୧୧୪ଗୋଟି ବୃକ୍ଷରୋପଣ କରାଯାଇଛି । ଭଲ ଭାବେ ଦେଖନ୍ତୁ ଏହି ଟ୍ୱିଟକୁ ଆଉ ମୃତ୍ୟୁ ସଂଖ୍ୟାକୁ ।
ନବରଙ୍ଗପୁର ଜିଲ୍ଲାପାଳଙ୍କ ସୂଚନାନୁସାରେ, ଜୁନ ୫ ବେଳକୁ କେବଳ ନବରଙ୍ଗପୁର ଜିଲ୍ଲାରେ କରୋନାରେ ୧୧୪ଜଣଙ୍କ ଜୀବନ ଯାଇଛି । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ରାଜ୍ୟ ସରକାର ନବରଙ୍ଗପୁର ଜିଲ୍ଲାର କୋଭିଡ୍ ମୃତ୍ୟୁ ସଂଖ୍ୟା କେତେ ଦର୍ଶାଇଛନ୍ତି । ଜୁନ ୫ କଥା ଛାଡ଼ନ୍ତୁ ଜୁଲାଇ ୪ରେ ମାନେ ମାସେ ପରେ ଯେତେବେଳେ ଆମେ ରାଜ୍ୟ ସରକାରଙ୍କ କୋଭିଡ୍ ସମ୍ପର୍କୀତ ଅଫିସିଆଲ ୱେବସାଇଟରେ ନବରଙ୍ଗପୁର ଜିଲ୍ଲାର ମୃତ୍ୟୁ ସଂଖ୍ୟା ଦେଖିଲୁ ଆଶ୍ଚର୍ଯ୍ୟ ହୋଇଗଲୁ । ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ୪ଜୁଲାଇ ୨୦୨୧ ସୁଦ୍ଧା ନବରଙ୍ଗପୁର ଜିଲ୍ଲାରେ କୋଭିଡରେ ପ୍ରାଣ ହରାଇଛନ୍ତି ମାତ୍ର ୪୫ଜଣ ।
ମାନେ ଯେଉଁଠି ଜିଲ୍ଲାପାଳ କହୁଛନ୍ତି ମାସେ ତଳେ ନବରଙ୍ଗପୁର ଜିଲ୍ଲାରେ କରୋନାରେ ୧୧୪ଜଣଙ୍କ ମୃତ୍ୟୁ ହୋଇସାରିଥିଲା ସେଠି ରାଜ୍ୟ ସରକାର କହୁଛନ୍ତି ଏବେ ସୁଦ୍ଧା ସେ ସଂଖ୍ୟା ମାତ୍ର ୪୫ । ଆମେ ରାଜ୍ୟ ସରକାରଙ୍କ ୱେବସାଇଟରେ ଏହା ମଧ୍ୟ ଦେଖିଲୁ ଗତ ୫ ଜୁନ ସୁଦ୍ଧା ନବରଙ୍ଗପୁରରେ ମୃତ୍ୟୁ ସଂଖ୍ୟା ୪୨ ଥିଲା ବୋଲି ଦର୍ଶାଯାଇଛି ।
ଗୋଟେପଟେ ୧୧୪ ଆଉ ଗୋଟେପଟେ ୪୨ । ପ୍ରାୟ ତିନିଗୁଣା ସଂଖ୍ୟା କମାଇଦିଆଯାଇଛି । କି ସାଂଘାତିକ ହେରାଫେରି ଦେଖନ୍ତୁ । ବଡ଼ ଖବର ବାରମ୍ବାର କହିଆସୁଥିଲା ଓଡ଼ିଶା ସରକାର କୋଭିଡ୍ ମୃତ୍ୟୁର ସତକୁ ଲୁଚାଉଛନ୍ତି । ନବରଙ୍ଗପୁର ଜିଲ୍ଲାପାଳଙ୍କ ଜୁନ ୬ର ଏହି ଟ୍ୱିଟ ବଡ଼ ଖବରର ତଥ୍ୟର ସତ୍ୟତା ଉପରେ ମୋହର ମାରିଛି । ଆଉ ଧରାଇ ଦେଇଛି ରାଜ୍ୟ ପ୍ରଶାସନର ମିଛ । ନିଜ ଛବି ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ସଂଖ୍ୟା ଓ ସତ ସହ ଯେଉଁ ଚଞ୍ଚକତା କରିଛନ୍ତି ତାହାର ଖୋଲି ଦେଇଛି ପୋଲ ।