ପୁରୀ (ବଡ଼ ଖବର ବ୍ୟୁରୋ): ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଦତ୍ତମହାପାତ୍ର ସେବକମାନେ ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ସିଂହାର କରିବେ । ଏହି ବିଶେଷ ନୀତି ପାଇଁ ଅପରାହ୍ଣରେ ଭକ୍ତଙ୍କ ପାଇଁ ଦର୍ଶନ କଟକଣା ରହିବ । ଭକ୍ତମାନେ ଠାକୁରଙ୍କ ଦର୍ଶନ ପାଇବେ ନାହିଁ । ଅପରାହ୍ଣରେ ଦ୍ୱିତୀୟ ଭୋଗମଣ୍ଡପ ନୀତି ସରିଲେ ମହାପ୍ରଭୁଙ୍କ ବନକଲାଗି ନୀତି ଆରମ୍ଭ ହେବ । ଦତ୍ତ ମହାପାତ୍ର ସେବକ ଭିତରେ ପ୍ରବେଶ କରିବେ। ବିଭିନ୍ନ ପ୍ରାକୃତିକ ରଙ୍ଗରେ ସେମାନେ ପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଏବଂ ଚକ୍ରରାଜ ଶ୍ରୀ ସୁଦର୍ଶନଙ୍କ ଶ୍ରୀମୁଖ ସିଂହାର କରିବେ। ଏହି ନୀତି ସମ୍ପନ୍ନ ପରେ ଠାକୁରଙ୍କୁ ମହାସ୍ନାନ ଏବଂ ବେଶ କରାଯିବ। ଏହାପରେ ସନ୍ଧ୍ୟା ଆଳତି, ସନ୍ଧ୍ୟା ଧୂପ, ଚନ୍ଦନ ଲାଗି, ବଡ଼ ସିଂହାର ବେଶ, ବଡ଼ ସିଂହାର ଭୋଗ ଏବଂ ରାତ୍ର ପହୁଡ଼ ନୀତି ଅନୁଷ୍ଠିତ ହେବ।
