Before Header

କେଉଁ ଦେବୀଙ୍କ ସପ୍ତମାତୃକା ବେଶ ଦର୍ଶନ କଲେ ମିଳେ ମୋକ୍ଷ, ପଢନ୍ତୁ ପୂରା ଖବର

0 65

ଭଦ୍ରକ(ବଡ଼ ଖବର ବ୍ୟୁରୋ): ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀ. ସର୍ବଶକ୍ତିର ଆଧାର । ସେ ଆଦ୍ୟାଶକ୍ତି. ସର୍ବବ୍ୟାପିନି, ପରମା ବିଦ୍ୟା ମହାମାୟା ଓ ପରଂବ୍ରହ୍ମ ରୂପିଣୀ । ମା’ ଶାନ୍ତ । ପୁଣି ସୌମ୍ୟା ଓ ପରମବୈଷ୍ଣବୀ । ଭଦ୍ରକାଳୀଙ୍କ ନାମାନୁସାରେ ଭଦ୍ରକର ନାମକରଣ କରାଯାଇଛି । ଭଦ୍ରକର ପ୍ରସିଦ୍ଧ କାଳୀପୂଜା ଅବସରରେ ମା’୭ଦିନ ଧରି ସପ୍ତମାତୃକା ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି । ମା’ଭକ୍ତମାନଙ୍କ ମନସ୍କାମନା ପୂର୍ଣ୍ଣ କରିଥାନ୍ତି ବୋଲି ମଧ୍ୟ ବିଶ୍ୱାସ ରହିଛି ।

ମା’ ପୀଠରେ ସଦାସର୍ବଦା ବିଶ୍ଵମାତା ବେଶରେ ପୂଜା ପାଇଥାନ୍ତି । ହେଲେ ଜଗତ କଲ୍ୟାଣ ଉଦ୍ଦେଶ୍ୟରେ ପରମବୈଷ୍ଣବୀ ମା’ କାଳୀ ସପ୍ତମାତୃକା ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି । ମା’ଙ୍କର ପବିତ୍ର ସପ୍ତମାତୃକା ବେଶ ୧୪ ତାରିଖ ଠାରୁ ଆରମ୍ଭ ହୋଇ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ମା’ଙ୍କ ପୂଜା ପାଇଁ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କରୋନା କଟକଣା ଭିତରେ କରାଯିବ ମା’ଙ୍କ ପୂଜାର୍ଚ୍ଚନା । କିନ୍ତୁ ଏ ବର୍ଷ କରୋନା କଟକଣା ଯୋଗୁଁ ଫିକା ପଡିବ ମାହୋଲ ।

ଭଦ୍ରକର ଐତିହାସିକ କାଳିପୂଜା ପ୍ରସିଦ୍ଧି ଲାଭ କରିଛି । ଅନ୍ୟପକ୍ଷରେ ପ୍ରାଚୀନ ଶକ୍ତିପୀଠ ମଧ୍ୟରୁ ମା’ ଭଦ୍ରକାଳୀଙ୍କ ପୀଠ ମାହତ୍ମ୍ୟ ନିଆରା । ପୁରାଣରେ ମଧ୍ୟ ଏହା ସ୍ଥାନୀତ ହୋଇଛି । ସାଳନ୍ଦୀ ନଦୀ କୂଳରେ ଅବସ୍ଥିତ ଏହି ପୀଠରେ କାଳୀପୂଜା ଅବସରରେ ମାନସିକଧାରୀଙ୍କ କଳସ ଶୋଭାଯାତ୍ରା, ଘଟ ସ୍ଥାପନ, ଶତଚଣ୍ଡୀ ପାଠ, ବିଶ୍ଵଶାନ୍ତି ମହାଯଜ୍ଞ ସହ ଆରମ୍ଭ ହେବ ମା’ଙ୍କର ସପ୍ତ ଦିବସ ବ୍ୟାପି ବିଶେଷ ପୂଜା ରୀତିନୀତି। ପ୍ରଥମ ଦିନରେ ମା’ ବେଦମାତା ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଏହି ବେଶ ଦର୍ଶନ କଲେ ଦିବ୍ୟଜ୍ଞାନ ଅର୍ଜନ ସହିତ ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ଵାସ ରହିଛି।

ଦ୍ୱିତୀୟ ଦିନରେ ମହାକାଳୀ ଵେଶ ଦର୍ଶନ କଲେ ରୋଗ ଶୋକରୁ ମୁକ୍ତି ମିଳେ । ତୃତୀୟ ଦିନରେ ରାଜରାଜେଶ୍ୱରୀ ବେଶ । ପରେ ସିଂହବାହିନୀ, ଜଗଦ୍ଧାତ୍ରୀ, ମହା ସରସ୍ଵତୀ ଏବଂ ଶେଷରେ ମା’ ମହାଲକ୍ଷ୍ମୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ । ମା’ଙ୍କର ଏହି ସପ୍ତମାତୃକା ବେଶ ଦେଖିବାକୁ ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ଆସିଥାନ୍ତି । କିନ୍ତୁ ଏଥର କରୋନା ମହାମାରୀ ପାଇଁ ଜାରି ହୋଇଥିବା କଟକଣା ଯୋଗୁଁ ମନ୍ଦିର ଭିତରକୁ ଭକ୍ତମାନେ ପ୍ରବେଶ କରିପାରିବେ ନାହିଁ । ଦୂରରେ ରହି ମା’ଙ୍କୁ ଦୁଃଖ ଜଣେଇବେ। ଫିକା ପଡିବ ମା’ଙ୍କ ପୀଠରେ କାଳୀପୂଜା । ହଜାର ହଜାର ଶ୍ରଦ୍ଧାଳୁ ମା’ଙ୍କ ଅପୂର୍ବ ବେଶ ଦର୍ଶନରୁ ବଞ୍ଚିତ ହେବେ ।

Leave A Reply

Your email address will not be published.