Before Header

ଧିରଜ ସାହୁ କିଏ, କେଉଁଠୁ ଆସିଲା ଏତେ ଟଙ୍କା?

0 475

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କିଛି ଦିନ ହେଲା ଚର୍ଚ୍ଚାରେ ଅଛନ୍ତି ସାଂସଦ ଧିରଜ ପ୍ରସାଦ ସାହୁ । ସେ କୌଣସି ରାଜା ନୁହଁନ୍ତି । ରାଜପରିବାରଠାରୁ ବି କମ୍ ନୁହଁନ୍ତି । ସେ ହେଉଛନ୍ତି ଖାନଦାନୀ ଧନୀ । ଝାଡ଼ଖଣ୍ଡରେ ଧନୀ ଲୋକଙ୍କ ନାଁ ଉଠିଲେ ଧିରଜଙ୍କ ନାଁ ଆଗେ ଆସେ । ସ୍ଥାନୀୟ ଲୋକେ ତାଙ୍କ ବାସଭବନକୁ ‘ହ୍ୱାଇଟ ହାଉସ’ କୁହନ୍ତି । ଧିରଜଙ୍କ ପିତା ରାୟସାହେବ ବଳଦେବ ସାହୁ ରାଜନୀତିରେ ଥିଲେ ବେଶ ସକ୍ରିୟ । ସ୍ୱାଧୀନତ୍ତୋର ଭାରତର ରାଜନୀତିରେ ଥିଲେ ବେଶ ପ୍ରତିଷ୍ଠିତ ।

କୁହାଯାଏ ନିର୍ବାଚନ ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ତାଙ୍କ ଘରେ ରୁହନ୍ତି । ଦେଶର ପୂର୍ବତନ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦ ମଧ୍ୟ ତାଙ୍କ ଘରକୁ ଆସିଥିବା ଯାହା ଚର୍ଚ୍ଚା ହୁଏ । ସ୍ୱାଧୀନତା ସମୟରେ ଦେଶର ଅର୍ଥବ୍ୟବସ୍ଥା ନିର୍ମାଣ ପାଇଁ ତତକାଳୀନ ଧନୀକଙ୍କ ମଧ୍ୟରେ ରାୟସାହେବ ବଳଦେବ ସାହୁ ରହିଥିଲେ । ୧୯୪୭ ମସିହାରେ ଦେଶକୁ ନଗଦ ୪୭ଲକ୍ଷ ଓ ୪୭ କେଜି ସୁନା ଦାନ କରିଥିଲେ ଧିରଜଙ୍କ ପରିବାର । ଏକ ସମୟରେ ତାଙ୍କ ଘର ଜାତୀୟ ରାଜନୀତିର ଗତିବିଧି କେନ୍ଦ୍ରଥିଲା । କେବଳ ସେତିକି ନୁହେଁ ଫିଲ୍ମ କଳାକାର, କ୍ରିକେଟରମାନଙ୍କର ମଧ୍ୟ ଧିରଜଙ୍କ ଘରକୁ ଯିବା ଆସିବା ଲାଗି ରହିଥାଏ । ବଲିଉଡ ଅଭିନେତ୍ରୀ ଭାଗ୍ୟଶ୍ରୀ, କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କ ସହ ଫଟୋ ସେ ନିଜେ ତାଙ୍କ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।

ଦେଶରେ କଂଗ୍ରେସ ଶାସନ କାଳରେ ଦଳର ପ୍ରାର୍ଥୀଙ୍କୁ ଟିକେଟ ଦେବା ପାଇଁ ଧିରଜ ସାହୁଙ୍କ ବଡ଼ ଭାଇ ଶିବ ପ୍ରସାଦ ସାହୁଙ୍କୁ ପଚରାଯାଉଥିଲା । ଧିରଜ ସାହୁଙ୍କ ପରିବାରର ମୁଖ୍ୟ କାରବାର ହେଉଛି ମଦ । ଝାଡଖଣ୍ଡ ଓ ଓଡ଼ିଶାରେ ଥିବା ଅଧିକାଂଶ ମଦ କମ୍ପାନୀ ତାଙ୍କ ପରିବାରର । ରାଞ୍ଚୀର ପ୍ରତିଷ୍ଠିତ ସଫାୟାର ଇଣ୍ଟରନ୍ୟାସନାଲ ସ୍କୁଲ ଓ ହସ୍ପିଟାଲକୁ ତାଙ୍କ ପରିବାର ପରିଚାଳନା କରନ୍ତି ।


ନିର୍ବାଚନ ସତ୍ୟପାଠରେ ଧିରଜ ତାଙ୍କ ମୋଟ ସମ୍ପତ୍ତିର ପରିମାଣ ୩୪ ଟଙ୍କା ଲେଖିଛନ୍ତି । ଏଥିରେ ତାଙ୍କର ଋଣ ୨କୋଟିରୁ ଅଧିକ ଟଙ୍କା ଥିବା ଦର୍ଶାଇଥିଲେ । କିନ୍ତୁ ଏ ସବୁକୁ ଭୁଲ ପ୍ରମାଣିତ କରିଛି ତାଙ୍କ ଘରେ ଆଇଟି ରେଡ । ମଦ ବ୍ୟବସାୟ ନେଇ ଓଡ଼ିଶା, ଝାଡଖଣ୍ଡର ବିଭିନ୍ନ ସ୍ଥାନରେ ଆୟକର ବିଭାଗ ଚଢାଉ ଜାରି ରଖିଛି । ଏପର୍ଯ୍ୟନ୍ତ ପାଖାପାଖି ୪୫୦ କୋଟିରୁ ଅଧିକ ନଗଦ କ୍ୟାସ ଜବତ କରିସାରିଛି ଆଇଟି ଟିମ । ଏହାର ପରିମାଣ ଆହୁରି ବଢିବ ବୋଲି ମଧ୍ୟ କୁହାଯାଉଛି । ଧିରଜଙ୍କ ଘରୁ ଯେତେ ଖୋଳିଲେ ସେତେ ବାହାରୁଛି ।

Leave A Reply

Your email address will not be published.